ଓଡ଼ିଶାଲାଇଭ୍‌ ବ୍ୟୁରୋ

କଳିଙ୍ଗ ଷ୍ଟାଡିୟମରେ ଏସୀୟ କ୍ରୀଡାର ସଫଳତା ପରେ ବିଶ୍ୱ ହକି ଲିଗ୍ ଏବଂ ହକି ବିଶ୍ୱକପକୁ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି।
ଏନେଇ ମଙ୍ଗଳବାର ରାଜ୍ୟ ସଚିବାଳୟରେ ଏକ ବୈଠକ ବସିଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟତାରେ ଅନୁଷ୍ଠିତ ବୈଠକରେ କ୍ରୀଡା ସଚିବ ଓ ହକି ଲଗର କର୍ମକର୍ତ୍ତା ଉପସ୍ଥିତ ଥିଲେ।
ଏସିଆନ୍ ଆଥଲେଟିକ୍ସ ଅପେକ୍ଷା ହକି ଲିଗକୁ ଆହୁରି ଭଲଭାବେ ଆୟୋଜନ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ କହିଛନ୍ତି।
ଆସନ୍ତା ଡିସେମ୍ବରରେ ବିଶ୍ୱ ହକି ଲିଗ୍ ଅନୁଷ୍ଠିତ ହେବ। ସେହିପରି ୨୦୧୮ ନଭେମ୍ବରରେ ହକି ବିଶ୍ୱକପ୍ କଳିଙ୍ଗ ଷ୍ଟାଡିୟମରେ ଖେଳାଯିବ।
୯୦ ଦିନରେ ଏସୀୟ କ୍ରୀଡାର ପ୍ରସ୍ତୁତି ଭଲଭାବେ କରାଯାଇଥିବାରୁ ରାଜ୍ୟ ସରକାରଙ୍କୁ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଥିଲା। କ୍ରୀଡା ଦିବସରେ ଏନେଇ କେନ୍ଦ୍ର ସରକାର ରାଜ୍ୟକୁ ପୁରସ୍କୃତ କରିଥିଲେ। ଏହା ରାଜ୍ୟ ସରକାରଙ୍କୁ ବେଶ୍ ପ୍ରଭାବିତ କରିଛି।
ବିଶ୍ୱ ହକି ଲିଗ୍ ଫାଇନାଲ ଓ ବିଶ୍ୱ ହକି ଚାମ୍ପୟନସିପକୁ ସଫଳତାର ସହ ଆୟୋଜନ କରିବାକୁ ସରକାର ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।
ଡିସେମ୍ବର ପ୍ରଥମ ସପ୍ତାହରେ ହେବାକୁ ଥିବା ବିଶ୍ୱ ହକି ଲିଗ ଫାଇନାଲରେ ବିଶ୍ୱର ବଛାବଛା ୮ଟି ଟିମ୍ ଭାଗନେବେ। ହକି ଲିଗ୍ ଫାଇନାଲ ଏବଂ ହକି ବିଶ୍ୱକପ ପାଇଁ ରାଜ୍ୟ ସରକାର ୮୯.୫ କୋଟିର ବଜେଟ କରିଛନ୍ତି।  ଏହି ଦୁଇ ମେଗା ଇଭେଣ୍ଟ ପାଇଁ କଳିଙ୍ଗ ଷ୍ଟାଡିୟମର ସିଟ୍ ସଂଖ୍ୟା ୧୫ ହଜାରକୁ ବୃଦ୍ଧି କରିବା ପାଇଁ ନିଷ୍ପତ୍ତି ହୋଇଛି। ଏହାସହ ଖେଳାଳିମାନେ ବ୍ୟବହାର କରିବାକୁ ଥିବା ରୁମର ଉନ୍ନତିକରଣ କରାଯାଉଛି।
ଷ୍ଟାଡିୟମର ପ୍ରବେଶ ପଥ ଏବଂ ଅନ୍ୟ ରାସ୍ତାଗୁଡିକୁ ସମ୍ପ୍ରସାରଣ କରାଯିବାକୁ ନିଷ୍ପତ୍ତି ହୋଇଛି। ଏଥିପାଇଁ ଭୁବନେଶ୍ୱର ଉନ୍ନୟନ କର୍ତ୍ତୃପକ୍ଷ (ବିଡିଏ) ଏବଂ ପର୍ଯ୍ୟଟନ ବିଭାଗ ମିଳିତ ଭାବେ କାର୍ଯ୍ୟ କରିବେ।

Tags: World Hockey Championship, Kalinga Stadium, Hockey, Indian Sports, Sports, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment