ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନକୁ ଆହୁରି ୧୭ ମାସ ବାକି। ହେଲେ ଏହା ପୂର୍ବରୁ ରାଜ୍ୟ ରାଜନୀତି ପାଣିପାଗ ଉଷ୍ମ ହୋଇଯାଇଛି।
ବିଜେପି, ବିଜେଡି ଏବଂ କଂଗ୍ରେସ ଏବେଠାରୁ ସଂଖ୍ୟା ଖେଳରେ ମାତିଛନ୍ତି। କିଏ କେତେ ଆସନ ପାଇବ ତାକୁ ନେଇ ୩ ଦଳର ନେତା ଅଙ୍କ କଷାରେ ଲାଗି ପଡିଛନ୍ତି।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ‘ମିଶନ-୧୨୦’ର ସ୍ୱପ୍ନ ଦେଖାଇଛନ୍ତି। ଏହାକୁ ସାକାର କରିବା ପାଇଁ ଶାହା ୬ରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏପଟେ ବିଜେଡି ଉପସଭାପତି ସୂର୍ଯ୍ୟ ପାତ୍ରଙ୍କ ୧୨୩ ଆକଳନକୁ ଦଳ ବ୍ୟକ୍ତିଗତ କହିବା ସହ ୧୪୭ ଆସନ କବଜା କରିବାକୁ ଦଳ ଟାର୍ଗେଟ କରିଥିବା କହିଛି। କଂଗ୍ରେସ ମଧ୍ୟ ୮୫ ଆସନ ପାଇବ ବୋଲି ଦାବି କରିଛି। ୩ ଦଳର ଏହି ପୂର୍ବାନୁମାନ ରାଜନୀତି ପଣ୍ଡିତଙ୍କୁ ଚକିତ କରିଛି।
ଜୁଲାଇ ମାସରେ ଓଡ଼ିଶା ଗସ୍ତରେ ଆସିଥିଲେ ଶାହା। ଯାଜପୁର, ବ୍ରହ୍ମପୁର ଏବଂ ଭୁବନେଶ୍ବର ଗସ୍ତ ଅବସରରେ ବିଜେପି ୨୦୧୯ରେ ୧୨୦ ଆସନ ପାଇବ ବୋଲି କହି ରାଜନୀତିକୁ ଉଷ୍ମ କରି ଦେଇଥିଲେ। ଏହାକୁ ଏବେ ବିଜେପି ନେତାମାନେ ଗଣ୍ଠି କରିଛନ୍ତି। ମଙ୍ଗଳବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏବଂ ଅରୁଣ ସିଂହ ମଧ୍ୟ ଶାହାଙ୍କ ଆକଳନକୁ ଦୋହରାଇଛନ୍ତି। କହିଛନ୍ତି ଶାହାଙ୍କ ଗଣିତ କେବେ ଭୁଲ୍ ହେବ ନାହିଁ। ଓଡ଼ିଶାରେ ଦଳ ୧୨୦ ଆସନ ପାଇବ। ଏଥଇପାଇଁ କର୍ମୀମାନେ ଜୋରଦାର କସରତ କରିବେ।
”ଅମିତ୍ ଶାହାଙ୍କ ଆକଳନ କେବେ ଭୁଲ୍ ହୋଇନାହିଁ। ସେ ଯେବେ ଯାହା କହିଛନ୍ତି ତାହା ଠିକ୍ ହୋଇଛି। ଓଡ଼ିଶାରେ ଯେଉଁ ‘ମିଶନ-୧୨୦’ର ଲକ୍ଷ୍ୟ ରଖିଛନ୍ତି ତାହା ୨୦୧୯ରେ ପ୍ରତିଫଳିତ ହେବ। ବିଜେପି ୧୨୦ ଆସନ ପାଇବା ପରେ ଆଉ ଯାହା ବଳିବ ତାହାକୁ ବିଜେଡି, କଂଗ୍ରେସ ଭାଗ ବାଣ୍ଟି ନେବେ”, ଏହା କହିଛନ୍ତି ପ୍ରଭାରି ଅରୁଣ ସିଂ।
ଏପଟେ ବିଜେପିର ମିଶନ-୧୨୦କୁ ସୋମବାର ବିଜେଡି ନେତା ଶ୍ରୀ ପାତ୍ର କାଉଣ୍ଟର ଆଟାକ୍ କରିଥିଲେ। କହିଥିଲେ ଯେ ୨୦୧୯ରେ ବିଜେଡି ୧୨୩ ଆସନ ପାଇବ।  ହେଲେ ପରିସ୍ଥିତି ଅଣାୟତ୍ତ ହେବାରୁ ମଙ୍ଗଳବାର ମୁଖପାତ୍ର ପ୍ରଶାନ୍ତ ନନ୍ଦ ମୁହଁ ଖୋଲିଛନ୍ତି। ଶ୍ରୀ ପାତ୍ରଙ୍କ ଆକଳନକୁ ବ୍ୟକ୍ତିଗତ ଦର୍ଶାଇଛନ୍ତି। ୨୦୧୯ରେ ଦଳ ୧୪୭ ଆସନ ଦଖଲ କରିବାକୁ ଉଦ୍ୟମ କରିବ କହି ରାଜ୍ୟ ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି।
”ସୂର୍ଯ୍ୟ ପାତ୍ର ହେଉଛନ୍ତି ଜଣେ ବରିଷ୍ଠ ତଥା ଅଭିଜ୍ଞ ନେତା। ସେ ବ୍ୟକ୍ତିଗତ ଆକଳନ କରି ଦଳ ୧୨୩ ଆସନ ପାଇବ ବୋଲି କହିଥିଲେ। ହେଲେ ଆମ ଦଳ ୧୨୩ ନୁହେଁ ୧୪୭ ଆସନରେ ପ୍ରାର୍ଥୀ ଦେଇ ଜିତିବାକୁ ଉଦ୍ୟମ କରିବ”, ଏହା କହିଛନ୍ତି ପ୍ରଶାନ୍ତ ନନ୍ଦ।
ବିଜେପି ଓ ବିଜେଡିର ଏହି ମିଶନ ଯୁଦ୍ଧ ଭିତରେ ଧସେଇ ପଶିଛି କଂଗ୍ରେସ। ନେତୃତ୍ୱ ବିବାଦକୁ ନେଇ ଏହି ଜାତୀୟ ଦଳ ଏପର୍ଯ୍ୟନ୍ତ ସଙ୍ଗଠନ ମଜଭୁତ କରିପାରି ନାହିଁ। ହେଲେ ତାଙ୍କ ଦଳ ୮୫ ଆସନ ପାଇବ ବୋଲି ବରିଷ୍ଠ ନେତା ସୁରେଶ ରାଉତରାୟ ଦାବି କରିବା ପରେ ରାଜ୍ୟ ରାଜନୀତିରେ ଝଡ ସୃଷ୍ଟି ହୋଇଛି।
ନିର୍ବାଚନ ପୂର୍ବରୁ ଏହି ୩ ଦଳର ଅଙ୍କକଷା କେତେ ସତ ହେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Tags: Surya Narayan Patro, BJD, BJP, Congress, Politics, Odisha Politics, Prashanta Nanda, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment