ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ‘ଆଇ ଡାଉଟ୍ ଭେରି ମଚ୍’ର ଉତ୍ତର ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ୍ ଶାହା। ଭୁବନେଶ୍ୱରର ପାଲହାଇଟସ ଠାରେ ଆୟୋଜିତ ବୁଦ୍ଧିଜୀବୀ ସମ୍ମିଳନୀରେ ଶାହା ନବୀନଙ୍କୁ କଡା ଜବାବ ଦେଇଛନ୍ତି।
ଶ୍ରୀ ଶାହା କହିଛନ୍ତି, “୧୨୦ ଆସନ କେମିତି ପାଇବୁ ସେଥିପାଇଁ ନବୀନ ଆଜିଠାରୁ ଗଣିବା ଆରମ୍ଭ କରନ୍ତୁ।”
ସେ ମଧ୍ୟ କହିଛନ୍ତି ଯେ ବିଜେପିର ଗଣିତ ବୁଝିପାରୁ ନାହାନ୍ତି ନବୀନ। ଆମ ଆକଳନ କେବେ ଭୁଲ୍ ହେବ ନାହିଁ। ଗତ ଜୁଲାଇରେ କହିଥିଲି ୧୨୦ରେ ଆସନରେ ଜିତିବୁ। ଆଜି ମଧ୍ୟ ଏହି ପ୍ରସଙ୍ଗକୁ ଦେହରାଉଛି। ଆମେ କେମିତି ୧୨୦ ଆସନ ପାଇବୁ ତାହା ନିର୍ବାଚନ ଫଳ ବାହାରିବାର ସକାଳ ସାଢ଼େ ୧୦ଟାରେ ଜଣାପଡିବ। ଏଣୁ ନବୀନବାବୁ ଆଜିଠାରୁ ଗଣିବା ଶିଖନ୍ତୁ।
ଶାହା ଭୁବନେଶ୍ୱରରେ ପହଞ୍ଚିବା ପରେ ‘ମିଶନ-୧୨୦’ ଉପରେ ମନ୍ଥନ ଆରମ୍ଭ କରିଛନ୍ତି। ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ ଶାହା ଗୁରୁବାର ସନ୍ଧ୍ୟାରେ କେତେକ ବୁଦ୍ଧିଜୀବୀଙ୍କୁ ଭେଟି ଆଲୋଚନା କରିଥିଲେ। ଏହି ଆଲୋଚନା ବେଳେ ଶାହା ଉଭୟ କଂଗ୍ରେସ ଓ ବିଜେଡି ଉପରେ ବର୍ଷିବା ସହ ନବୀନଙ୍କୁ ପୋଡା ଟ୍ରାନ୍ସଫର୍ମର ସହ ତୁଳନା କରିଥିଲେ। ଜଳି ଯାଇଥିବା ଟ୍ରାନ୍ସଫର୍ମରକୁ ଉପାଡି ଫୋପାଡି ଦେବାକୁ ଶାହା ଆହ୍ବାନ ଦେଇଛନ୍ତି।
ବୁଦ୍ଧିଜୀବୀ ସମ୍ମିଳନୀରେ ଶାହା କହିଲେ ଯେ ରାଜ୍ୟ ସରକାର ବାରମ୍ବାର କେନ୍ଦ୍ରୀୟ ଅବହେଳା କଥା କହି କେନ୍ଦ୍ର ଉପରେ ଦୋଷ ଲଦୁଛନ୍ତି। ତେବେ କେଉଁ କ୍ଷେତ୍ରରେ ଅବହେଳା କରାଯାଇଛି ବୋଲି ଶାହା ପ୍ରଶ୍ନବାଣ ମାରିଥିଲେ।
ରାଜ୍ୟ ସରକାରଙ୍କୁ ଚତୁର୍ଦ୍ଦଶ ଅର୍ଥ କମିଶନ ଦେଇଥିବା ଅର୍ଥର ହିସାବ ମାଗିଥିଲେ। ଚତୁର୍ଦ୍ଦଶ ଅର୍ଥ କମିଶନ ଓଡିଶାକୁ ୨ ଲକ୍ଷ ୧୧ ହଜାର ୫୧୦ କୋଟି ଦେଇଛନ୍ତି। ସେ ଟଙ୍କା କେଉଁ ବାଟରେ ଖର୍ଚ୍ଚ ହେଲା ବୋଲି ଶାହା ରାଜ୍ୟ ସରକାରଙ୍କୁ ହିସାବ ମାଗିଛନ୍ତି।
ଏପଟେ ପରିବାରବାଦ ରାଜନୀତିକୁ ମଧ୍ୟ ଶାହା ସମାଲୋଚନା କରିଛନ୍ତି। ଯଦି କୌଣସି ବ୍ୟକ୍ତି ଗାନ୍ଧୀ ପରିବାରର ହୋଇ ନ ଥିବ ସେ କଂଗ୍ରେସ ଦଳର ଅଧ୍ୟକ୍ଷ ହୋଇପାରିବ ନାହିଁ। ଠିକ୍ ସେମିତି ବିଜେଡିର ଅବସ୍ଥା। ବିଜେଡିର ସଭାପତି ହେବାକୁ ହେଲେ ବିଜୁ ପରିବାରର ହୋଇଥିବା ଦରକାର।
ମାତ୍ର ବିଜେପିର ଜଣେ ଚା’ଦୋକାନୀ ବି ପ୍ରଧାନମନ୍ତ୍ରୀ ହୋଇପାରେ ବୋଲି ଶାହା କହିଥିଲେ।

Tags: Amit Shah, Bhubaneswar News, BJD, BJP, Breaking News, Latest News, Naveen Patnaik, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Sajjan Sharma, Top Stories

 

Comment