ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାତ୍ର ଅଧଘଣ୍ଟା ବ୍ୟବଧାନରେ ଆଜି ବିଜେପି ଓ ବିଜେଡି ସାମ୍ବାଦିକ ସମ୍ମିଳନୀ ଜରିଆରେ ଓଡ଼ିଶାକୁ ମିଳିଥିବା କେନ୍ଦ୍ରୀୟ ଅନୁଦାନ ଅର୍ଥକୁ ନେଇ ମୁହାଁମୁହିଁ ହୋଇଛନ୍ତି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଗତ ୩ ବର୍ଷ ମଧ୍ୟରେ କେନ୍ଦ୍ର ଓଡ଼ିଶାକୁ ଦେଇଥିବା ଅର୍ଥର ଗୋଟି ଗୋଟି ହିସାବ ବଖାଣିଥିବା ବେଳେ ଏହାର କଡା ଜବାବ ଦେଇ ବିଜେଡି କହିଛି ଯେ, ଏହା କେନ୍ଦ୍ରର ଦୟା ନୁହେଁ, ଓଡ଼ିଶାର ହକ୍।
କେନ୍ଦ୍ରର ଏନଡିଏ ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଅବହେଳା କରିନାହାନ୍ତି। ଉପା ସରକାର ତୁଳନାରେ ଆମ ସରକାର ଓଡ଼ିଶାକୁ ୩ ବର୍ଷ ମଧ୍ୟରେ ଯଥେଷ୍ଟ ଅଧିକ ଅନୁଦାନ ଦେଇଛନ୍ତି। ହେଲେ ରାଜ୍ୟ ସରକାର କେନ୍ଦ୍ର ଅବହେଳା କଥା କହି ଲୋକଙ୍କୁ ବିଭ୍ରାନ୍ତ କରୁଛନ୍ତି। ଗୁରୁବାର ଏମିତି କିଛି ବାକ୍ୟ ବାଣ ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ମାରିଥିଲେ ରାଷ୍ଟ୍ରୀୟ ସଭାପତି ଅମିତ ଶାହା।
୩ ବର୍ଷ ମଧ୍ୟରେ କେନ୍ଦ୍ର ଓଡ଼ିଶା ସରକାରଙ୍କୁ କେତେ ଟଙ୍କା ଦେଇଛନ୍ତି ତାହାର ହିସାବ ମଧ୍ୟ ଦେଇଥିଲେ।
ଉପା ସରକାର ଅମଳରେ କେନ୍ଦ୍ରୀୟ ଟିକସ ବାବଦରେ ଓଡ଼ିଶାକୁ ମିଳୁଥିଲା ୬୮୧୯୬ କୋଟି ଟଙ୍କା। ତେବେ ଚତୁର୍ଦ୍ଦଶ ଅର୍ଥ କମିଶନଙ୍କ ସୁପାରିଶ କ୍ରମେ ମୋଦି ସରକାର ଏହି ଅର୍ଥକୁ ୩ ଗୁଣା ବୃଦ୍ଧି କରିଛନ୍ତି। ମୋଦିଙ୍କ ୩ ବର୍ଷର ଶାସନ ମଧ୍ୟରେ ଓଡ଼ିଶା ୧୮୪୦୭୦ କୋଟି ଟଙ୍କା ଅନୁଦାନ ପାଇଛି।
ସେହିପରି ତ୍ରୟୋଦଶ ଅର୍ଥ କମିଶନ ଅନୁଦାନ ସହାୟତା ରାଶି ଭାବେ ୭୪୯୬ କୋଟି ଟଙ୍କା ପାଇଛି। ତେବେ ମୋଦି ସରକାରଙ୍କ ଅମଳରେ ଓଡ଼ିଶାକୁ ୧୩୭୨୦ କୋଟି ଟଙ୍କା ଆବଣ୍ଟନ କରାଯାଇଛି। ଓଡ଼ିଶା ରିଲିଫ୍ ପାଣ୍ଠିକୁ ମଧ୍ୟ ୧୬୦୦ କୋଟିରୁ ବୃଦ୍ଧି କରାଯାଇ ୩୦୦୦ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଓଡ଼ିଶାର ରେଳ ପ୍ରକଳ୍ପ ଉପରେ ମଧ୍ୟ କେନ୍ଦ୍ର ସରକାର ଧ୍ୟାନ ଦେଇଛନ୍ତି।
ଓଡ଼ିଶାର ୪୯ ଲକ୍ଷ ମହିଳାଙ୍କୁ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଏଲପିଜି ଗ୍ୟାସ ମିଳିଛି। ସେହିପରି ୧ କୋଟିରୁ ଊର୍ଦ୍ଧ୍ୱ ଲୋକଙ୍କୁ ଏଲଇଡି ବଲବ ମିଳିପାରିଛି। ରାଜ୍ୟରେ ଖୋଲିଥିବା ୨ଟି ମେଡିକାଲ କଲେଜରେ ମଧ୍ୟ କେନ୍ଦ୍ରର ସହାୟତା ରହିଛି।
କେନ୍ଦ୍ର ସରକାର ୩ ବର୍ଷରେ ରାଜ୍ୟରେ ଯୋଜନା ଅଜାଡି ଦେଇଥିଲେ ହେଁ ରାଜ୍ୟ ସରକାର ସହଯୋଗ କରୁନାହାନ୍ତି। କେବଳ କେନ୍ଦ୍ର ଅବହେଳା କହି ଲୋକଙ୍କୁ ଭୂଆଁ ବୁଲାଉଛନ୍ତି।
ସାମ୍ବାଦିକ ସମ୍ମିଳନୀରେ ଶାହା ୩ ବର୍ଷର ହିସାବ ଦେବାର ଅଧଘଣ୍ଟା ଭିତରେ ବିଜେଡି ଏହାର ପ୍ରତି ଜବାବ ଦେଇଛି। ରାଜ୍ୟସଭା ସାଂସଦ ପ୍ରତାପ ଦେବ, ବିଧାୟକ ଅରୁଣ ସାହୁ ଏବଂ ସଞ୍ଜୟ ଦାସବର୍ମା କଡା ଭାଷାରେ ଶାହାଙ୍କୁ ସମାଲୋଚନା କରିଛନ୍ତି।
ଶ୍ରୀ ଦେବ କହିଛନ୍ତି,” କେନ୍ଦ୍ର ଓଡ଼ିଶାକୁ ଦୟା ଦେଖଉନି। ସଙ୍ଘୀୟ ବ୍ୟବସ୍ଥା ଅନୁଯାୟୀ ଓଡ଼ିଶା ତାର ହକ୍ ପାଉଛି। ଯଦି ରାଜ୍ୟ ସରକାର ସ୍ଥାଣୁ ତାହାଲେ କେନ୍ଦ୍ର ସରକାର କାହିଁକି ରାଜ୍ୟକୁ ପୁରସ୍କାର ଦେଉଛନ୍ତି।”
ବିଧାୟକ ଅରୁଣ ସାହୁ କହିଛନ୍ତି,”ପୂର୍ବରୁ କେନ୍ଦ୍ରରେ ଯେଉଁ ସରକାର ଥିଲେ ସେ ଟଙ୍କା ଦେଉଥିଲେ। ବର୍ତ୍ତମାନ ବି ଯିଏ ଅଛନ୍ତି ସେ ସଙ୍ଘୀୟ ବ୍ୟବସ୍ଥା ଅନୁଯାୟୀ ଟଙ୍କା ଦେଉଛନ୍ତି। ଓଡ଼ିଶାରୁ କେନ୍ଦ୍ର କେତେ ନେଉଛି ଏବଂ କେତ ଦେଉଛି ତାର ଆଗେ ହିସାବ ଦେଉ।”
Tags: Arun Sahoo, NDA, Amit Shah, Bhubaneswar News, BJD, BJP, Breaking News, Dharmendra Pradhan, Latest News, Mission-120, Naveen Patnaik, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Top Stories

Comment