ଓଡ଼ିଶାଲାଇଭ୍‌ ବ୍ୟୁରୋ

”ବିଜେଡି କେ ଉପର୍ ହମାରା କୋଇ ଗୁସ୍ସା ନହିଁ। ରାଜ୍ୟ ସରକାର କା ଭ୍ରଷ୍ଟାଚାର, ଅବ୍ୟବସ୍ଥା ହମାରା ଟାର୍ଗଟେ ହୈ”, କହିଛନ୍ତି ବିଜେପିର ଷ୍ଟ୍ରାଟେର୍ଜି ମାଷ୍ଟର ଅମିତ୍ ଶାହା।
‘ମିଶନ-୧୨୦’ ପାଇଁ ଷ୍ଟାଟେର୍ଜି ପ୍ରସ୍ତୁତ କରିବାକୁ ୩ ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ଶାହା ସାମ୍ବାଦିକ ସମ୍ମିଳନୀରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି। ଗୁରୁବାର ପାଲହାଇଟସଠାରେ ବୁଦ୍ଧିଜୀବୀ ସମ୍ମିଳନୀରେ ଶାହା ଯେଉଁ ଗରମ ମନୋଭାବ ଦେଖାଇଥିଲେ ତାହା ଶୁକ୍ରବାର ନରମ ପଡ଼ିଯାଇଥିବା କୁହାଯାଉଛି।
ଗୁରୁବାର ଶାହା ବିଜେଡିକୁ କଡ଼ା ଭାଷାରେ ସମାଲୋଚନା କରିଥିଲେ। ନବୀନଙ୍କ ନାଁ ନେଇ ତାଙ୍କୁ ପୋଡ଼ା ଟ୍ରାନ୍ସଫର୍ମର ସଦୃଶ ବୋଲି କହିଥିଲେ। ପୋଡ଼ା ଟ୍ରାନ୍ସଫର୍ମର ସରକାରକୁ ଓପାଡ଼ି ଫିଙ୍ଗିଦେବାକୁ କହି ବିଜେପିକୁ ସୁଯୋଗ ଦେବାକୁ ଆହ୍ୱାହ୍ବାନ ଦେଇଥିଲେ। ମାତ୍ର ଶୁକ୍ରବାର ସାମ୍ବାଦିକ ସମ୍ମିଳନୀରେ ସବୁକିଛି ଓଲଟପାଲଟ ହୋଇ ଯାଇଥିଲା। ରାଜ୍ୟ ସରକାରଙ୍କ ଉପରେ ବର୍ଷିଲେ, ହେଲେ ବିଜେଡି କିମ୍ବା ନବୀନଙ୍କ ନାଁ ନେଲେ ନାହିଁ।
ବିଜେଡି ଶାସନ ଏବଂ ୨୦୧୯ରେ ମେଣ୍ଟ ହେବା ସମ୍ପର୍କରେ ପ୍ରଶ୍ନ ହେବାରୁ ଶାହା ନରମି ଯାଇଥିଲେ।
ବିଜେଡି ଉପରେ ଆମର କିଛି ରାଗ ନାହିଁ। ହେଲେ ରାଜ୍ୟ ସରକାର ଯେଉଁ ନୀତି କରୁଛନ୍ତି ତାହାକୁ ଆମେ ସମାଲୋଚନା କରୁଛୁ। ଭ୍ରଷ୍ଟାଚାର ଓ ଅବ୍ୟବସ୍ଥାମୁକ୍ତ ଶାସନ ଚାହୁଁଛୁ। ୨୦୧୯ରେ ବିଜେପି-ବିଜେଡି ମେଣ୍ଟ ହେବାର ପ୍ରଶ୍ନ ଉଠୁନି। ବିଜେପି ଓଡ଼ିଶାରେ ଏକାକୀ ଲଢ଼େଇ କରିବ ବୋଲି ଶାହା କହିଛନ୍ତି।
ରାଜ୍ୟ ଭ୍ରଷ୍ଟାଚାରରେ ବୁଡ଼ି ରହିଛି। ଯେଉଁଭଳି ବିକାଶ ହେବା କଥା ତାହା ହୋଇପାରୁନି। ନରେନ୍ଦ୍ର ମୋଦିଙ୍କ ସରକାର ୩ ବର୍ଷରେ ଓଡ଼ିଶାକୁ ୪ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ହେଲେ ଲୋକଙ୍କ ପାଖରେ କେନ୍ଦ୍ରୀୟ ଯୋଜନା ପହଞ୍ଚି ପାରୁନାହିଁ।
ଚତୁର୍ଦ୍ଦଶ ଅର୍ଥ କମିଶନ ବ୍ୟବସ୍ଥାରେ ଉପା ସରକାର ତୁଳନାରେ ଏନଡ଼ିଏ ପ୍ରଚୁର ଅର୍ଥ ଦେଇଛି। ହେଲେ ଓଡ଼ିଶାର ବିକାଶ ହୋଇପାରିନି। ବିଜେପି ଶାସିତ ରାଜ୍ୟରେ ଯେଉଁଭଳି ବିକାଶ ହେଉଛି ତାହା ଓଡ଼ିଶାରେ ହୋଇପାରୁନାହିଁ। କେବଳ ଶ୍ରେଷ୍ଠ ପୁରସ୍କାର ପାଇଲେ ରାଜ୍ୟର ବିକାଶ ହୋଇଯାଏ ନାହିଁ ବୋଲି ଶାହା ନବୀନଙ୍କ ନାଁ ନ ନେଇ ତାତ୍ସଲ୍ୟ କରିଥିଲେ।
ବିନା ସେନାପତିରେ ‘ମିଶନ-୧୨୦’
‘ମିଶନ୍-୧୨୦’ ଉପରେ ମଧ୍ୟ ଶାହା ପୁଣି ମୁହଁ ଖୋଲିଥିଲେ। ବିଜେପିକୁ ପଞ୍ଚାୟତ ନିର୍ବାଚନରେ ୩୦ ପ୍ରତିଶତ ଭୋଟ ମିଳିଥିବାରୁ ଆମେ ୨୦୧୯ରେ ୧୨୦ରୁ ଅଧିକ ଆସନ ପାଇ ରାଜ୍ୟରେ ସରକାର ଗଢ଼ିବୁ। ଆଉ ଯୁବ ନେତୃତ୍ୱକୁ ଦାୟିତ୍ୱ ମିଳିବ।
ତେବେ ‘ମିଶନ-୧୨୦’ର ସେନାପତି କିଏ ହେବ ଏବଂ ୨୦୧୯ରେ ବିଜେପିର ଯୁବ ଚେହେରା ଜଣକ କିଏ ସେ ସମ୍ପର୍କରେ କିଛି ସ୍ପଷ୍ଟ କଲେ ନାହିଁ। ଏହି ମିଶନକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି ହୋଇଛି। ବିଜେଡି-ବିଜେପି-କଂଗ୍ରେସ ମଧ୍ୟରେ କାଦୁଅଫିଙ୍ଗା ଚାଲିଛି। ଏଣୁ ବିନା ସେନାପତିରେ ବିଜେପିର ମିଶନ କିପରି ସଫଳ ହେବ ତାକୁ ନେଇ ଏବେ ରାଜନୀତି କରିଡରରେ ଚର୍ଚ୍ଚା ଜୋର୍ ଧରିଛି।
ପରିବାରବବାଦ ରାଜନୀତିରେ ବିଜେଡି ବିଶ୍ୱାସ କରୁଛି ବୋଲି ଶାହା ଗୁରୁବାର କହିଥିଲେ। ଏଥିରେ ବିଜେଡିର ବରିଷ୍ଠ ନେତା ତଥା ମନ୍ତ୍ରୀ ଡ଼ାକ୍ତର ଦମୋଦର ରାଉତ ଜବାବ ଦେଇଛନ୍ତି।
ଡାକ୍ତର ରାଉତ କହିଛନ୍ତି,”ଅମିତ ଜଣେ ସଟ୍ଟା ବେପାରୀ ଭଳି କଥା କହୁଛନ୍ତି। ତାଙ୍କ ଆଚରଣ, ଉଚ୍ଚାରଣରେ କୌଣସି ସମ୍ପର୍କ ରହୁନି। ବିଜେପିରେ ପରିବାରବାଦ ରାଜନୀତିର ବହୁତ ଉଦାହରଣ ରହିଛି। ବିଜେପି ରଜା ପୁଅ ରଜା ହେବାରେ ବିଶ୍ୱାସ ରଖିଥାଏ।”

Tags: Amit Shah, Bhubaneswar News, BJP, Naveen Patnaik, BJD, Breaking News, Dharmendra Pradhan, Latest News, Mission-120, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Top Stories

Comment