ଓଡ଼ିଶାଲାଇଭ୍‍ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ନବୀନ ସରକାରକୁ ‘ପୋଡା ଟ୍ରାନ୍ସଫର୍ମର’ କହି ତାତ୍ସଲ୍ୟ କରିବା ପରେ ସାମ୍ବାଦିକ ସମ୍ମିଳନୀରେ ବିଜେଡି ଜବାବ ଦେଇଛି। ସିଧାସଳଖ ବିଜେଡି ଶାହାଙ୍କୁ ‘ବ୍ଲୁ ହ୍ୱେଲ ଭାଇରସ୍’ କହିଛି।

ବିଜେପି ରାଷ୍ଟ୍ରୀୟ ସଭାପତିଙ୍କୁ ଶିଷ୍ଟାଚାର ଜଣା ନାହିଁ। ସେ ଉଚ୍ଚାରଣ କରୁଥିବା ଭାଷାରେ ଶାଳୀନତା ନାହିଁ। ଶାହା ଯେଉଁ ଭାଷା କହୁଥିଲେ ତାହା ‘ଅସୁର’ର ଭାଷା। ପୁରାଣ ଯୁଗରେ ରାବଣ, କଂସ, ଦୁର୍ଯ୍ୟୋଧନ ଯେଉଁ ଭାଷା ବ୍ୟବହାର କରୁଥିଲେ ତାହାକୁ ଶାହା ବର୍ତ୍ତମାନ ବ୍ୟବହାର କରୁଛନ୍ତି ବୋଲି ବିଜେଡି ବିଧାୟକ ଡକ୍ଟର ଅରୁଣ ସାହୁ କହିଛନ୍ତି।
ଜନତା ମଇଦାନରେ ଅନୁଷ୍ଠିତ ମହାଅଧିବେଶନରେ ବିଜେଡି ସରକାରକୁ ଅମିତ ଶାହା କଟୁ ସମାଲୋଚନା କରିବା ପରେ ତାଙ୍କୁ ଜବାବ ଦେବା ପାଇଁ ବିଜେଡି ପାର୍ଟି ଅଫିସରେ ଆୟୋଜନ ହୋଇଥିଲା ସାମ୍ବାଦିକ ସମ୍ମିଳନୀ। ବିଜେଡିର ୩ ନେତା ସାଂସଦ ପ୍ରତାପ ଦେବ, ବିଧାୟକ ଡକ୍ଟର ଅରୁଣ ସାହୁ ଏବଂ ସଞ୍ଜୟ କୁମାର ଦାସବର୍ମା ଏହି ସମ୍ମିଳନୀରେ ଶାହାଙ୍କୁ ଟାର୍ଗେଟ୍‍ କରିଛନ୍ତି। କହିଛନ୍ତି ୩ ଦିନ ଭିତରେ ଶାହା ଯାହା କହିଛନ୍ତି ସେଥିରେ କୌଣସି ସତ୍ୟତା ନାହିଁ। ଓଡ଼ିଶାରେ କ୍ଷମତାକୁ ଆସିବା ପାଇଁ ଶାହା ଏବଂ ତାଙ୍କ ଦଳର ନେତୃବୃନ୍ଦ ବ୍ୟାକୁଳ ହୋଇ ଯାଇଛନ୍ତି।
ଡକ୍ଟର ଅରୁଣ ସାହୁ କହିଛନ୍ତି, ”ଶାହା ଓଡ଼ିଶାକୁ ଆସି ପୁରୁଣା କ୍ୟାସେଟ ବଜାଇଛନ୍ତି। ଯାହାର ସ୍ୱର ଅତି କର୍କଶ। କ୍ଷମତାକୁ ଆସିବା ପାଇଁ ବିଜେପି ବାଉଳା ହେଲାଣି। ବିଭ୍ରାନ୍ତିକର ତଥ୍ୟ ଦେଇ ଓଡ଼ିଶାର ଯୁବପିଢ଼ିଙ୍କୁ ଭୂୟାଁ ବୁଲାଇବାକୁ ଉଦ୍ୟମ କରିଛନ୍ତି। ଏଣୁ ଶାହାଙ୍କ ମନ୍ତବ୍ୟ ‘ବ୍ଲୁ ହ୍ୱେଲ୍’ ଭାଇରସ୍ ଭଳି।”
୩ ବର୍ଷରେ ଓଡ଼ିଶାକୁ କେନ୍ଦ୍ର ଦେଇଥିବା ଅର୍ଥର ହିସାବ ମାଗିଛନ୍ତି ଶାହା। ଏହି ପରିପ୍ରେକ୍ଷୀରେ ଡକ୍ଟର ସାହୁ ଶାହାଙ୍କୁ ଜବାବ ଦେଇ କହିଛନ୍ତି, ଓଡ଼ିଶାରୁ କେଉଁ ବାବଦରେ କେତେ କେନ୍ଦ୍ର ନେଉଛି ଏବଂ ସେହି ତୁଳନାରେ କେତେ ଦେଉଛି ତାହା ସ୍ପଷ୍ଟ କରନ୍ତୁ।
ବିଧାୟକ ଦାସବର୍ମା କହିଛନ୍ତି ଯେ, ”ଓଡ଼ିଶାର ଇତିହାସ, ଭୂଗୋଳ ଶାହାଙ୍କୁ ଜଣାନାହିଁ। ଯେଉଁଥିପାଇଁ ସେ ମିଶନ-୧୨୦ର କଥା କହିଛନ୍ତି। ୨୦୦୯ରେ ଆମେ ୧୦୩ ଆସନରେ ଜିତିଥିଲୁ। ୨୦୧୪ରେ ୧୧୭ ଆସନ ପାଇଛୁ। ୨୦୧୯ରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଆମେ ପୁଣି ସରକାର ଗଢ଼ିବୁ।”
୧୦ ବର୍ଷରେ ଓଡ଼ିଶାର ଜିଡିପି ୭ରୁ ୮ ପ୍ରତିଶତ ବୃଦ୍ଧି ପାଇଛି। ଯାହା ଜାତୀୟ ହାରଠାରୁ ସବୁଠୁ ଅଧିକ। ଛତିଶଗଡ, ମଧ୍ୟପ୍ରଦେଶ ତୁଳନାରେ ମଧ୍ୟ ଆମ ରାଜ୍ୟର ଜିଡିପି ଅଧିକ ବୋଲି ବିଜେଡି କହିଛି।
ବିଜେଡି ଶାହାଙ୍କୁ ଜବାବ ଦେବାର ମାତ୍ର ଅଧ ଘଣ୍ଟା ଭିତରେ ବିଜେପି ପୁଣି ବିଜେଡିକୁ କାଉଣ୍ଟର ଜବାବ ଦେଇଛି। ବିଜେପି ପାର୍ଟି ଅଫିସରେ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଅମିତ ଶାହାଙ୍କ ଗସ୍ତ ପରେ ବିଜେଡି ଆତଙ୍କିତ ହୋଇ ଯାଇଛନ୍ତି। ଶାହା ମାଗିଥିବା ହିସାବର ଉତ୍ତର ବିଜେଡି ପ୍ରଥମେ ଦେଉ ବୋଲି ଶ୍ରୀ ହରିଚନ୍ଦନ ଦୋହରାଇଛନ୍ତି। ବିଧାୟକ ଡକ୍ଟର ଅରୁଣ ଇତିହାସ ବିଭାଗର ଛାତ୍ର। ସେ ଅର୍ଥନୀତି ବିଷୟରେ ଅଧ୍ୟୟନ କରନ୍ତୁ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି।

Tags: Blue Whale Game, Dr. Arun Kumar Sahoo, Amit Shah, Bhubaneswar News, BJD, BJP, BJP Govt, Breaking News, Latest News, MAHAADHIBESHAN, Mission-120, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics,  ShahInOdisha, Top Stories

Comment