ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜଧାନୀ ଭୁବନେଶ୍ୱରରେ ପ୍ରଥମ ଥର ପାଇଁ ଶକ୍ତି ପ୍ରଦର୍ଶନ କରିଛି ବିଜେପି। ୩୬ ହଜାର ବୁଥ୍‌ରୁ ପ୍ରାୟ ୫୦ ହଜାର କର୍ମୀଙ୍କୁ ଆଣି ଭୁବନେଶ୍ୱରର ଜନତା ମଇଦାନରେ ୨୦୧୯ ନିର୍ବାଚନ ପାଇଁ ବିଗୁଲ୍ ଫୁଙ୍କିଛି। ତେବେ ବିଜେପିର ଏହି ‘ମହାଅଧିବେଶନ’କୁ ସମାଲୋଚନା କରିଛନ୍ତି କଂଗ୍ରେସ ଏବଂ ବିଜେଡି। ଲୋକ ଯୋଗାଡ କରି ସମାବେଶ କରିବା କିଛି ବଡ କଥା ନୁହେଁ ବୋଲି ଉଭୟ ଦଳର ନେତା କହିଛନ୍ତି।
ଭୁବନେଶ୍ୱର ଜନତା ମଇଦାନରେ ଆୟୋଜିତ ‘ମହାଅଧିବେଶନ’କୁ ନେଇ ବିଜେପି ଉତ୍ସାହିତ ହୋଇ ଯାଇଛି। ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ରଣନୀତି ବଳରେ ଆଗାମୀ ନିର୍ବାଚନରେ ଓଡ଼ିଶାରେ ପଦ୍ମ ଫୁଟିବ ବୋଲି ଦାବି କରୁଛନ୍ତି। ଓଡ଼ିଶାର ୩୬ ହଜାର ବୁଥରୁ କର୍ମୀ ଆଣି ରାଜ୍ୟ  ବିଜେପି ନେତା ଅନ୍ୟ ରାଜନୈତିକ ଦଳକୁ ଚ୍ୟାଲେଞ୍ଜ ଦେଇଛନ୍ତି।
ଓଡ଼ିଶାରେ ପଦ୍ମ ଫୁଟାଇବା ଲାଗି ବିଜେପି ନେତାମାନେ ୨୦୧୪ ନିର୍ବାଚନଠାରୁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ହେଲେ ୨୦୧୪ରେ ଓଡ଼ିଶାରେ ପଦ୍ମ ଫୁଟି ନ ଥିଲା। ସମଗ୍ର ଦେଶରେ ନରେନ୍ଦ୍ର ମୋଦିଙ୍କ ହାୱାରେ ବିଜେପି ପୂର୍ଣ୍ଣ ବହୁମତ ପାଇଥିବା ବେଳେ ଓଡ଼ିଶାରେ ବ୍ୟତିକ୍ରମ ଦେଖାଦେଇଥିଲା।
ଓଡ଼ିଶାରେ ବିଜେପିକୁ ମାତ୍ର ୧୦ଟି ବିଧାନସଭା ଏବଂ ଗୋଟିଏ ଲୋକସଭା ଆସନରେ ସନ୍ତୁଷ୍ଟ ରହିବାକୁ ପଡିଥିଲା। ତେବେ ନରେନ୍ଦ୍ର ମୋଦିଙ୍କ ନେତତ୍ୱରେ କେନ୍ଦ୍ରରେ ସରକାର ଗଠନ ହେବା ପରେ ଓଡ଼ିଶାକୁ ଫୋକସ୍ କରି ଆସୁଛନ୍ତି ବିଜେପିର କେନ୍ଦ୍ରୀୟ ନେତା। ଆଉ କେନ୍ଦ୍ରରେ ମୋଦିଙ୍କ ନେତୃତ୍ୱରେ ସରକାର ହେବା ପରେ ଓଡ଼ିଶା ବିଜେପି ନେତାମାନେ ଉତ୍ସାହିତ ହୋଇ ଯାଇଛନ୍ତି। ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ଦୋଷ ଦୁର୍ବଳତାକୁ ଅସ୍ତ୍ର କରି ରାଜ ରାସ୍ତାକୁ ଆସିଛନ୍ତି।
ଜିଲ୍ଲା ଓ ବ୍ଲକସ୍ତରରେ ବିକ୍ଷୋଭ, ଧାରଣାମାନ ଆୟୋଜନ କରି ରାଜ୍ୟ ସରକାରଙ୍କ ନୀତିକୁ ସମାଲୋଚନା କରିଛନ୍ତି। ହେଲେ ରାଜଧାନୀରେ ଏତେ ସଂଖ୍ୟକ କର୍ମୀଙ୍କୁ କେବେ ବି ଦଳ ଏକାଠି କରି ଶକ୍ତି ପ୍ରଦର୍ଶନ କରି ନ ଥିଲା। କେବଳ ୨୦୧୪ ନିର୍ବାଚନ ବେଳେ ମୋଦିଙ୍କ ନିର୍ବାଚନୀ ସଭାରେ ଭୁବନେଶ୍ୱରରେ ଏକ ବଡ ସମାବେଶ ଆୟୋଜନ କରିଥିଲା ବିଜେପି।
ନିର୍ବାଚନର ୩ ବର୍ଷ ପରେ ଓଡ଼ିଶା ବିଜେପି ଭୁବନେଶ୍ୱରରେ ବଡ ରାଲି ଆୟୋଜନ କରିବାରେ ସମର୍ଥ ହୋଇଛି। ଆଉ ଏହି ରାଲିରେ ଅମିତ ଶାହା ଉଦବୋଧନ ଦେଇଥିବାରୁ ବିଜେପି ନେତା, କର୍ମୀ ଉତ୍ସାହିତ ହୋଇ ଯାଇଛନ୍ତି।
ହେଲେ ବିଜେପିର ଏହି ‘ମହାଅଧିବେଶନ’ କୌଣସି ପ୍ରଭାବ ପକାଇବ ନାହିଁ ବୋଲି ଶସକ ବିଜେଡି ଓ ବିରୋଧୀ କଂଗ୍ରେସ କହିଛନ୍ତି।
ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ‘ଓଡ଼ିଶାଲାଇଭ’କୁ କହିଛନ୍ତି, ”ଏକ ରାଜନୈତିକ ଦଳ ଭାବେ ବିଜେପି ଯାହା କରିବା କଥା କରିଛି। ହେଲେ ଏତେ ସଂଖ୍ୟକ ଲୋକଙ୍କୁ ଆଣି ବିଜେପି ଯେଉଁ ‘ମିଶନ-୧୨୦’ର ଅଙ୍କ କଷୁଛି ତାର କୌଣସି ପ୍ରଭାବ ପଡିବ ନାହିଁ। କାରଣ ଲୋକ ଯୋଗାଡ କରିବା କିଛି ବଡ କଥା ନୁହେଁ। ଆମେ ବି ବିଗତ ଦିନରେ ସଂଖ୍ୟାଧିକ ଲୋକଙ୍କୁ ଯୋଗାଡ କରି ବଡ ସମାବେଶ ଆୟୋଜନ କରିଛୁ। ବିଜେପି ପ୍ରଥମେ କହୁ ଏତେ ଲୋକଙ୍କୁ ସେ କେଉଁଠୁ ଆଣିଲେ। ବୁଥ୍ ସଜାଡିବା କାମ ଭୁବନେଶ୍ୱରରେ କରାଯାଏ ନାହିଁ। ଯଦି ବୁଥ ସଜାଡିବାର ଅଛି ତାହାଲେ ନେତା ଗାଁକୁ ଯାଆନ୍ତୁ।”
କଂଗ୍ରେସ ମୁଖପାତ୍ର ଡକ୍ଟର ବିଶ୍ୱରଞ୍ଜନ ପାତ୍ର ‘ଓଡ଼ିଶାଲାଇଭ’କୁ କହିଛନ୍ତି, ”କଂଗ୍ରେସ ହେଉଛି କଂସାରୀ ଘରର ପାରା। ବିଜେପି ଆଜି ଯେଉଁ ଶକ୍ତି ଦେଖାଉଛି ତାହା ଆମେ ଅତୀତରେ ଦେଖାଇସାରିଛୁ। ବିଜେପିର ଏହି ରାଲି କଂଗ୍ରେସ ପାଇଁ କିଛି ଫରକ ପକାଇବନି। ବିଜେପି ସ୍ପଷ୍ଟ କରୁ ଏତେ ବଡ ରାଲି କରିବା ପାଇଁ ଟଙ୍କା କେଉଁଠୁ ଆଣିଲା।”
୨୦୧୯ରେ ‘ମିଶନ-୧୨୦’ ବିଜେପି କିପରି ହାସଲ କରିବ ସେଥିପାଇଁ ରୋଡମ୍ୟାପ୍ ପ୍ରସ୍ତୁତ କରିବାକୁ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଭୁବନେଶ୍ୱର ଆସିଥିଲେ। ଦୁଇ ଦିନ ଧରି ଦଳୀୟ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିବା ପରେ ତୃତୀୟ ଦିନ ଜନତା ମଇଦାନରେ ଆୟୋଜିତ ମହାଅଧିବେଶନରେ ୫୦ ହଜାର କର୍ମୀଙ୍କୁ ଉଦବୋଧନ ଦେଇଥିଲେ।
ଏହି ମହାଅଧିବେଶନକୁ ସଫଳ କରିବା ଲାଗି ବିଜେପି ନେତାମାନେ ଦିନ ରାତି ଏକ କରି ଦେଇଥିଲେ।  ୩୬ ହଜାର ବୁଥ୍‌ରୁ କର୍ମୀଙ୍କୁ ଭୁବନେଶ୍ୱର ଆଣିଥିଲେ। ଏଥିପାଇଁ ରାଜଧାନୀରେ ଶୁକ୍ରବାର ଅସମ୍ଭବ ଭିଡ ପରିଲକ୍ଷିତ ହୋଇଥିଲା। ଭୁବନେଶ୍ୱରକୁ ସଂଯୋଗ କରୁଥିବା ରାସ୍ତାରେ ଟ୍ରାଫିକ ଜାମ୍ ରହିଥିଲା। ପୂର୍ବାହ୍ନ ୧୦ଟାରୁ ସନ୍ଧ୍ୟା ୭ଟା ପର୍ଯ୍ୟନ୍ତ ରାଜଧାନୀର ସମସ୍ତ ରାସ୍ତାରୁ ଭିଡ ଭାଙ୍ଗି ନଥିଲା। ଫଳରେ ସାଧାରଣ ଲୋକେ ଏବଂ ଛାତ୍ରଛାତ୍ରୀମାନେ ନାକେଦମ୍ ହୋଇଥିଲେ।
Tags: Mission 120, Dr. Bishwaranjan Patra, Prashanta Nanda, BJD, Congress, Amit Shah, Bhubaneswar News, BJP, BJP Govt, Breaking News, KARYAKARTA, Latest News, MAHAADHIBESHAN MISSION120, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, ShahInOdisha, Top Stories

Comment