ଓଡ଼ିଶାଲାଇଭ୍ ବ୍ୟୁରୋ

ଯାହାକୁ କୁହାଯାଏ ଦୁଇ ପାଦ ଆଗକୁ ତ ପାଦେ ପଛକୁ। ଗୋଟିଏ ପଟେ ଦେଶ ସମସ୍ତ ପାଶ୍ଚାତ୍ୟ ଜୀବନଶୈଳୀକୁ ଗ୍ରହଣ କରୁଥିବା ବେଳେ ଶିକ୍ଷା କ୍ଷେତ୍ରରେ ଏବେ ଘଣ୍ଟାକଣ୍ଟା ଠିକ୍ ଓଲଟା ବୁଲିବାକୁ ଯାଉଛି। ଶନିବାର ଦିନ ଆରଏସଏସ ମୁଖ୍ୟ ମୋହନ ଭଗବତ ରାଜଧାନୀ ଦିଲ୍ଲୀରେ ଦେଶର ସ୍କୁଲ୍ ଶିକ୍ଷା ପାଇଁ ‘ଏକ ବିକଳ୍ପ ପାଠ୍ୟକ୍ରମ’ର ଉନ୍ମୋଚନ କରିଛନ୍ତି।
ଚଳିତ ବର୍ଷ ଶେଷ ସୁଦ୍ଧା କେନ୍ଦ୍ର ମାନବ ସମ୍ବଳ ମନ୍ତ୍ରାଳୟ ଏକ ନୂଆ ଶିକ୍ଷା ନୀତି ଆଣିବାକୁ ଯାଉଥିବା ବେଳେ ତା’ ଆଗରୁ ଏହି ବିକଳ୍ପ ପାଠ୍ୟକ୍ରମର ଉନ୍ମୋଚନ ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।
ଅହମ୍ମଦାବାଦର ଏକ ଥିଙ୍କ ଟ୍ୟାଙ୍କ୍ ‘ପୁନରୁତ୍ଥାନ ବିଦ୍ୟାପୀଠ’ ଦ୍ୱାରା ଏହି ନୂଆ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ପାଞ୍ଚ ଖଣ୍ଡ ବିଶିଷ୍ଟ ଏହି ଦଲିଲରେ ଭାରତୀୟ ପଦ୍ଧତିର ଶିକ୍ଷା ଉପରେ ଗୁରୁତ୍ୱ ଦିଆଯାଇଛି। ବିଦ୍ୟାପୀଠର କୁଳପତି ଇନ୍ଦୁମତି କତଡ଼ାରେଙ୍କ କହିବା ଅନୁସାରେ ଭାରତର ମୂଲ୍ୟବୋଧ ଉପରେ ଏହି ନୂଆ ପାଠ୍ୟକ୍ରମ ଆଧାରିତ। ଉପନିଷେଦରେ ଶିକ୍ଷା ସମ୍ପର୍କରେ ଯାହା ଉଲ୍ଲେଖ ଅଛି ଏବଂ ଅଷ୍ଟାଦଶ ଶତାଦ୍ଦୀରେ ଦେଶରେ ଯେଉଁ ଶିକ୍ଷା ବ୍ୟବସ୍ଥା ଥିଲା ତାହାରି ଭିତ୍ତିରେ ଏହି ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। କତଡ଼ାରେଙ୍କ କହିବା କଥା ଯେ ବୈଦିକ ଶିକ୍ଷା ପରିବାରର ମୂଲ୍ୟବୋଧ ଓ ନୈତିକତାକୁ ନେଇ ଏବେ ପିଲା ପାଠ ପଢ଼ିବେ।
ଖାଲି ପିଲା ନୁହେଁ ବାପାମାଆମାନେ ମଧ୍ୟ ଏହି ପାଠ୍ୟକ୍ରମରେ ସାମିଲ୍ ହେବେ। ୫ ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ କିଭଳି ଲାଳନପାଳନ କରିବାକୁ ହେବ ସେ ବିଷୟରେ ମଧ୍ୟ ଏହି ବିକଳ୍ପ ପାଠ୍ୟକ୍ରମରେ କୁହାଯାଇଛି। ଡିସେମ୍ବର ୨୦୧୪ରେ ଆରଏସଏସର ମୁଖ୍ୟ କାର୍ଯ୍ୟାଳୟ ନାଗପୁରରେ ଯେଉଁ ଦୁଇ ଦିନିଆ ସମ୍ମିଳନୀ ହୋଇଥିଲା ସେଥିରେ ମୋହନ ଭଗବତ ଅଧ୍ୟକ୍ଷତା କରିଥିଲେ। ଏହି ବିଦ୍ୟାପୀଠ ଦ୍ୱାରା ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଉପରେ ଏକ ସର୍ଭେ କରାଯାଇଥିଲା। ସେହି ସର୍ଭେରୁ ଯାହା ଫଳ ବାହାରିଥିଲା ତାହାରି ଭିତ୍ତିରେ ଏହି ବିକଳ୍ପ ପାଠ୍ୟକ୍ରମ ପ୍ରସ୍ତୁତ ହୋଇଛି। ଏହି କରିକୁଲମର ପ୍ରସ୍ତୁତକାରୀଙ୍କ ମତରେ ବର୍ତ୍ତମାନ ଶିକ୍ଷା ବ୍ୟବସ୍ଥାରେ ଭାରତୀୟ ମୂଲ୍ୟବୋଧ ବୋଲି କିଛି ନାହିଁ। ଗୋଟିଏ ଶଦ୍ଦରେ କହିଲେ ବ୍ରିଟିଶ ଶାସନ ପରଠାରୁ ଯେଉଁଭଳି ଭାରତର ଶିକ୍ଷା ବ୍ୟବସ୍ଥାର ଇଂରାଜୀକରଣ ହୋଇଆସିଛି ତାହାକୁ ବର୍ତ୍ତମାନ ଓଲଟାଇବାକୁ ଚାହୁଁଛି ଆରଏସଏସ।
ମୂଳ ଭାରତୀୟ ଶିକ୍ଷା କହିଲେ କ’ଣ ବୁଝାଯାଏ ସେ କଥା ଉଲ୍ଲେଖ ରହିବା ବେଳେ, ପାଶ୍ଚାତ୍ୟ ଶିକ୍ଷା କିଭଳି ପିଲାଙ୍କ ଉପରେ ବୋଝ ହୋଇଛି ତାହା ମଧ୍ୟ ଏଥିରେ କୁହାଯାଇଛି। ସବୁଠାରୁ ବଡ଼ କଥା ହିନ୍ଦୀ କିମ୍ବା ନିଜ ମାତୃଭାଷାରେ ପିଲମାନେ ପାଠ ପଢ଼ିବା ଉଚିତ ବୋଲି ଏଥିରେ ମତ ଦିଆଯାଇଛି। ବିକଳ୍ପ ପାଠ୍ୟକ୍ରମର ପଞ୍ଚମ ଖଣ୍ଡରେ ଜଗତୀକରଣକୁ କିଭଳି ସାମ୍ନା କରିହେବ ଓ ଦେଶୀ ଶିକ୍ଷା ପଦ୍ଧତି ଜରିଆରେ କିଭଳି ବିଶ୍ୱର ସମସ୍ୟାଗୁଡ଼ିକୁ ଭାରତର ଲୋକେ ସମାଧାନ କରିପାରିବେ ସେ କଥା କୁହାଯାଇଛି।

Tags: Gurukul, Education, India Education System, Mohan Bhagawat, RSS, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment