ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ରାଜ୍ୟ ସରକାରଙ୍କୁ ୪ ଲକ୍ଷ କୋଟି ଟଙ୍କାର ହିସାବ ମାଗିବା ପରେ ଏହାକୁ ନେଇ ବିବାଦ ଘନଉଛି। କେତେ ନେଉଛ କେତେ ଦେଉଛର ହିସାବ କରିବାକୁ ବିଜେଡି ଶୁକ୍ରବାର ଦେଇଥିବା ବିତର୍କ ଆହ୍ୱାନକୁ ବିଜେପି ଗ୍ରହଣ କରିଛି। ମାତ୍ର ସର୍ତ୍ତ ରଖିଛି ବିତର୍କକୁ ମୁଖ୍ୟମନ୍ତ୍ରୀ ଆସନ୍ତୁ ଏବଂ ଓଡ଼ିଆରେ କୁହନ୍ତୁ। ଜବାବରେ ବିଜେଡି କହିଛି ବିତର୍କକୁ ପ୍ରଧାନମନ୍ତ୍ରୀଙ୍କୁ ଡାକ।

ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାର ୩ ବର୍ଷରେ ୪ ଲକ୍ଷ କୋଟି ଟଙ୍କାର ଅନୁଦାନ ଦେଇଛନ୍ତି। ହେଲେ ଏହି ଟଙ୍କା କେଉଁ ବାବଦରେ ଖର୍ଚ୍ଚ କରାଯାଇଛି ଶୁକ୍ରବାର ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ରାଜ୍ୟ ସରକାରଙ୍କୁ ହିସାବ ମାଗିଥିଲେ।
ଏହାର ଜବାବରେ ବିଜେଡି କହିଥିଲା ‘ଖୋଲା ବିତର୍କ’ ହେଉ। କେତେ ନେଉଛ ଆଉ କେତେ ଦେଉଛ ତାର ଟିକିନିଖି ହିସାବ ହେବ। ବିଜେଡିର ଏହି ଆହ୍ୱାନକୁ ବିଜେପି ଶନିବାର ଗ୍ରହଣ କରିଛି। କହିଛି ‘ବିଜେଡି ତରଫରୁ ମୁଖ୍ୟମନ୍ତ୍ରୀ ବିତର୍କକୁ ଆସନ୍ତୁ ଏବଂ ଓଡ଼ିଆରେ କୁହନ୍ତୁ’। ଆଉ  ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିତର୍କକୁ ଯିବେ।
ମାତ୍ର ବିଜେଡି ଏହାକୁ ଗ୍ରହଣ କରିନି। କହିଛି ଯଦି ମୁଖ୍ୟମନ୍ତ୍ରୀ ବିତର୍କକୁ ଯିବେ ତାହାଲେ ପ୍ରଧାନମନ୍ତ୍ରୀଙ୍କୁ ଡାକ। ଏହାକୁ ନେଇ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।
ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ”ଆମେ ବିଜେଡିର ବିତର୍କ ଆହ୍ୱାନକୁ ଗ୍ରହଣ କରୁଛୁ। ବିକାଶ, ଭ୍ରଷ୍ଟାଚାର ଏବଂ କେନ୍ଦ୍ର ଅନୁଦାନ ଉପରେ ଆଲୋଚନା ହେବ। ତେବେ ବିତର୍କର ସମୟ, ସ୍ଥାନ ଏବଂ ତାରିଖ ବିଜେଡି ନିର୍ଦ୍ଧାରଣ କରୁ।”
ରାଜ୍ୟସଭା ସାଂସଦ ପ୍ରତାପ ଦେବ କହିଛନ୍ତି, ”ବିତର୍କ ପାଇଁ ବିଜେଡି ପ୍ରସ୍ତୁତ ଅଛି। ବିତର୍କର ସ୍ଥାନ ଭୁବନେଶ୍ବର ଦେଉଛି। ସମୟ ଏବଂ ତାରିଖ ଖୁବଶୀଘ୍ର ଜଣାଇବୁ।”
ଅନୁଦାନ ପ୍ରସଙ୍ଗକୁ ନେଇ ବିଜେପି-ବିଜେଡି ମଧ୍ୟରେ ଚାଲିଥିବା ବାକଯୁଦ୍ଧକୁ ନେଇ ରାଜ୍ୟ ରାଜନୀତି ଉଷ୍ମ ହୋଇଯାଇଛି।

Tags: Amit Shah, Bhubaneswar News, BJD, BJP, BJP Govt, Breaking News, Latest News, MAHAADHIBESHAN, Mission-120, Naveen Patnaik, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, ShahInOdisha, Top Stories

 

Comment