ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜୁ ଜନତା ଦଳକୁ ଏବେ ବିଜେପୁର ଉପ ନିର୍ବାଚନ ଚିନ୍ତା ଘାରିଛି। କଂଗ୍ରେସ ଗଡକୁ ବିଜେଡି କିପରି ଅକ୍ତିଆର କରିବ ତାକୁ ନେଇ ରଣନୀତି ପ୍ରସ୍ତୁତ କରିଛି ଦଳ। ନବୀନ ନିବାସରେ ଏଥିପାଇଁ ଶନିବାର ବରଗଡ ଜିଲ୍ଲା ବିଧାୟକଙ୍କ ବୈଠକ ବସିଥିଲା। ବୈଠକରେ ଜିଲ୍ଲାର ବରିଷ୍ଠ ନେତା ଓ ବିଧାୟକମାନେ ଉପସ୍ଥିତ ରହି କଂଗ୍ରେସ ଦୁର୍ଗକୁ ଭାଙ୍ଗିବା ଏବଂ ବିଜେପିକୁ ମାତ୍ ଦେବା ପାଇଁ ଚର୍ଚ୍ଚା କରିଛନ୍ତି।
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହାଙ୍କ ମହା ଅଧିବେଶନ ରାଲିକୁ ୨୪ ଘଣ୍ଟା ନ ପୂରୁଣୁ ବିଜେଡି ବିଜେପୁର ପାଇଁ ପାଗ ଭିଡିଛି। ଶନିବାର ପୂର୍ବାହ୍ନରେ ବରଗଡ ଜିଲ୍ଲାର ବିଜେଡି ବିଧାୟକଙ୍କୁ ଡାକି ସୁପ୍ରିମୋ ନବୀନ ପଟ୍ଟନାୟକ ନବୀନ ନିବାସରେ ଆଲୋଚନା କରିଛନ୍ତି। ବିଜେପୁର ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଇଛନ୍ତି। ବୁଥ୍ ସ୍ତରରୁ ସଙ୍ଗଠନ ସଜାଡିବା କାମ ଏବେଠାରୁ ଆରମ୍ଭ କରିବାକୁ ନବୀନ ବିଧାୟକ ଏବଂ ବରିଷ୍ଠ ନେତାଙ୍କୁ ତାଗିଦ କରିଛନ୍ତି।
ସ୍ୱର୍ଗତ ସୁବଳ ସାହୁ। ବରଗଡ ଜିଲ୍ଲାର ଜଣେ ଟାଣୁଆ ନେତା। ଗତ ୧୭ ବର୍ଷ ହେଲା ସାରା ରାଜ୍ୟରେ ନବୀନ ପଟ୍ଟନା଼ୟକଙ୍କ ହାୱାରେ ସବୁଠି ବିଜେଡି ବିଜୟ ବାନା ଉଡାଉଥିଲା। ଏପରିକି ବରଗଡ ଜିଲ୍ଲାର ଅଧିକାଂଶ ନିର୍ବାଚନମଣ୍ଡଳୀକୁ ଦଳ କବଜା କରୁଥିଲା। ହେଲେ ବିଜେପୁର ଆସନରେ ବ୍ୟତିକ୍ରମ ଦେଖାଦେଉଥିଲା। ସୁବଳଙ୍କ ଉପରେ ବିଜେପୁରବାସୀ ବାରମ୍ବାର ଆସ୍ଥା ପ୍ରକଟ କରି ଆସୁଥିଲେ। ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ସୁବଳ ଲଗାତାର ବିଜୟୀ ହୋଇ ନିଜ ଲୋକପ୍ରିୟତାର ପରିଚୟ ଦେଇଥିଲେ। ଏବେ ତାଙ୍କ ଅବର୍ତ୍ତମାନରେ ଏହି ଆସନକୁ କବଜା କରିବା ପାଇଁ ଉଭୟ ବିଜେଡି ଏବଂ ବିଜେପି ଆଖି ପକାଇଛନ୍ତି।
ବିଜେଡି ତା’ର ପ୍ରାରମ୍ଭିକ ପ୍ରସ୍ତୁତି ଆରମ୍ଭ କରି ଦେଇଥିବା ବେଳେ ବିଜେପି ଅମିତ ଶାହାଙ୍କୁ ଭୁବନେଶ୍ୱର ଆଣି ନିଜର ବଳ ଦେଖାଇଛି। ଏପଟେ କଂଗ୍ରେସ ପିସିସି ସଭାପତି ପରିବର୍ତ୍ତନକୁ ଚାହିଁ ରହିଛି। ପିସିସି ବଦଳିବା ପରେ ନୂଆ ସଭାପତିଙ୍କ ପାଇଁ ବିଜେପୁର ବଡ ଚ୍ୟାଲେଞ୍ଜ ହେବ ବୋଲି କୁହାଯାଉଛି।
ବିଜେଡି ସାଂସଦ ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି,”ବିଜେପୁରରେ ଆମେ ବିଗତ ଦିନରେ ଜିତିଛୁ। ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ୧୭ ବର୍ଷରେ କରିଥିବା ଯୋଜନାକୁ ନେଇ ଆମେ ନିର୍ବାଚନ ଲଢ଼ିବୁ। ଆମେ ବିଜେପୁର ଉପ ନିର୍ବାଚନ ଲାଗି ପ୍ରସ୍ତୁତ ରହିଛୁ।”
ବିଜେପୁର ଉପ-ନିର୍ବାଚନରେ କେଉଁ ଦଳରୁ କିଏ ପ୍ରାର୍ଥୀ ହେବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ୨୦୧୪ରେ ବିଜେଡିରୁ ପ୍ରାର୍ଥୀ ହୋଇଥିଲେ ପ୍ରସନ୍ନ ଆଚାର୍ଯ୍ୟ। ହେଲେ ଏବେ ସେ ରାଜ୍ୟସଭା ସାଂସଦ ଅଛନ୍ତି। ଏଣୁ ପୁଣି ସେ ବିଧାନସଭା ଲଢ଼ିବାର କୌଣସି ସମ୍ଭାବନା ନାହିଁ। ବିଜେଡି ଏହି କଂଗ୍ରେସ ଦୁର୍ଗକୁ ଅକ୍ତିଆର କରିବାକୁ ନୂଆ ଚେହେରା ଖୋଜୁଛି।
କୁହାଯାଉଛି ଅନୁକମ୍ପା ଭୋଟ ହାତେଇବା ପାଇଁ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀଙ୍କୁ ପ୍ରାର୍ଥୀ କରିପାରେ। ଏନେଇ ମଧ୍ୟ ଦଳର ବରିଷ୍ଠ ନେତା ଡାକ୍ତର ଦାମୋଦର ରାଉତ ଗଣମାଧ୍ୟମକୁ କିଛି ଇସାରା ଦେଇଛନ୍ତି। ଯଦି ଏହା ସମ୍ଭବ ନ ହେଲା ତାହାଲେ ୨୦୦୯ରେ ଏଠାରୁ ପ୍ରାର୍ଥୀ ହୋଇଥିବା ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ ନେଇ ମଧ୍ୟ ବିଜେଡି ମହଲରେ ଆଲୋଚନା ହେଉଛି।
ଏପଟେ ବିଜେପି ଏବଂ କଂଗ୍ରେସ ବିଜେପୁରକୁ ନେଇ କୌଣସି ପ୍ରକ୍ରିୟା ଆରମ୍ଭ କରି ନ ଥିବାରୁ ବିଜେଡି ପ୍ରାର୍ଥୀ ଚୟନକୁ ଝୁଲେଇକି ରଖିଛି।
ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ”ଆମେ ଉପ-ନିର୍ବାଚନ ପାଇଁ ପ୍ରସ୍ତୁତ ଅଛୁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଅମିତ ଶାହାଙ୍କ ରଣନୀତି ବଳରେ ଆମେ ଏହି ଉପ ନିର୍ବାଚନ ନିଶ୍ଚିତ ଜିତିବୁ।”

Tags: Politics, Odisha Politics, Naveen Patnaik, BJD, BJP, Amit Shah, Prasanna Acharya, Aditya Mishra, Prithwiraj Harichandan, Subala Sahoo, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

 

Comment