ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପି ସଭାପତି ଅମିତ ଶାହା ତାଙ୍କର ଓଡ଼ିଶା ଗସ୍ତ ବେଳେ ଯେଉଁଭଳି ଉଚ୍ଚ ସ୍ୱରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସରକାରକୁ ଓପାଡ଼ି ଫୋପାଡ଼ି ଦେବା ପାଇଁ  କହିଲେ ତାହା ଏକ କଣ୍ଟକିତ ରାସ୍ତା ଭଳି ମନେହେଉଛି।

ଏକସ୍ତରୀ ବର୍ଷୀୟ ନବୀନ ପଟ୍ଟନାୟକଙ୍କୁ ଏକ ‘ପୋଡ଼ା ଟ୍ରାନ୍ସଫର୍ମର’ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ‘ଶକ୍ତିର ଗନ୍ତାଘର’ ବୋଲି ତୁଳନା କରିବା ସହିତ ବିଜେଡି ସରକାରକୁ ଗାଦିଚ୍ୟୁତ କରିବା ପାଇଁ ବିଜେପି ସଭାପତି ଅମିତ ଶାହାଙ୍କ ଆହ୍ୱାନକୁ କୁହାଯାଇପାରେ, ‘କଥାରେ ସହଜ କାମରେ କଷ୍ଟ’। ନିକଟରେ ତିନି ଦିନିଆ ଗସ୍ତରେ ଭୁବନେଶ୍ୱର ଆସିଥିବା ଶାହା କହିଲେ ଯେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପାଖରେ କିଛି ନୂଆ ଚିନ୍ତାଧାରା ନାହିଁ କି ବିକାଶ କାର୍ଯ୍ୟ ଠିକ୍ ଭାବରେ ଚାଲିନାହିଁ।
ଏଭଳି ଏକ ହାଇଭୋଲଟେଜ୍ ଆହ୍ୱାନ ଓଡ଼ିଶାର ଭୋଟ୍ ରାଜନୀତି ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଅମିତ ଶାହାଙ୍କ ଗସ୍ତ ପରେ ରାଜ୍ୟର ରାଜନୀତିକ ପାଣିପାଗ ଉଷ୍ଣ ହୋଇଥିଲେ ହେଁ ବିଜେପି ପାଇଁ ୧୨୦ଟି ଆସନ ହାସଲ କରିବା କାଠିକର ପାଠ ନିଶ୍ଚିତରେ।
୨୦୧୪ ନିର୍ବାଚନରେ ଯେତେବେଳେ ସମଗ୍ର ଦେଶରେ ମୋଦି ହାୱା ଚାଲିଥିଲା ବିଜେପି ଓଡ଼ିଶାରେ ବିଶେଷ ଭଲ ଫଳ ଦେଖାଇପାରିନଥିଲା। ଏହାର କାରଣ ହେଉଛି ଦଳର ବୁଥ୍‌ ସ୍ତରରେ ସେଭଳି କିଛି ଶକ୍ତି ନଥିଲା। ସେହି କଥାକୁ ଅନୁଭବ କରି ଶାହା ୧୪୭ଟି ବିଧାନସଭା ନିର୍ବାଚନ ମଣ୍ଡଳୀର ୩୬,୦୦୦ ବୁଥ୍ ଉପରେ ଗୁରୁତ୍ୱଦେବା ଆରମ୍ଭ କରିଛନ୍ତି। ‘ମୋ ବୁଥ୍‌ ସବୁଠି ମଜ୍‌ବୁତ’ ଶୀର୍ଷକ କାର୍ଯ୍ୟକ୍ରମରେ ପ୍ରତି ବୁଥ୍ ପିଛା ପ୍ରାୟ ୭୦ ଜଣ ଲୋକଙ୍କୁ ନିଯୁକ୍ତି ଦିଆଯିବାର ଚିନ୍ତା କରାଯାଇଛି।
ଶାହାଙ୍କ ଗସ୍ତ ପରେ ବିଜେଡି ସଭାପତି ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯେ ଚୁପ୍‌ଚାପ୍ ବସିଯାଇଛନ୍ତି ତାହା ନୁହେଁ। ସେ ଗୋଟିକ ପରେ ଗୋଟିଏ ନୂଆ ନୂଆ ଘୋଷଣା କରିଚାଲିଛନ୍ତି। ବିଜେପି ଭଳି ନବୀନ ମଧ୍ୟ ଆଗକୁ ଥିବା ପୌର ନିର୍ବାଚନରେ ବୁଥ୍‌ଗୁଡ଼ିକୁ ଶକ୍ତିଶାଳୀ କରିବା ପାଇଁ ଏକ କାର୍ଯ୍ୟକ୍ରମ ଘୋଷଣା କରିଛନ୍ତି। ଏହାର ନାମ ଦିଆଯାଇଛି ‘ଆମ ସହର ଆମ ଉନ୍ନତି’।
ଆସନ୍ତା ବର୍ଷ ପ୍ରାରମ୍ଭରେ ହେବାକୁ ଥିବା ପୌର ନିର୍ବାଚନରେ ପ୍ରକୃତରେ ବିଜେପିର ମୋ ବୁଥ୍ କାର୍ଯ୍ୟକ୍ରମର ସଫଳତା ଜଣାପଡ଼ିବ।
ବିଜେପି ସଭାପତି ୨୦୧୯ ନିର୍ବାଚନରେ ୧୦୦ରୁ ଅଧିକ ଆସନ ତାଙ୍କ ଜଳ ଜିତିବ ବୋଲି ଯେଉଁ ଦୃଢ଼ୋକ୍ତି କରିଛନ୍ତି ତା’ର ଗଣିତଟି ଅତି ସାଦାସିଧା। ଏହି ୧୦୦ଟି ଆସନରେ ବିଜେପି ଚାହୁଁଛି କୋଟିଏ ଭୋଟ୍‌କୁ ହାତେଇବା ପାଇଁ । ୨୦୧୪ ନିର୍ବାଚନରେ ଶାସକ ବିଜେଡି ୧୧୭ଟି ଆସନ ପାଇଥିବା ବେଳେ ତା’ ସପକ୍ଷରେ ୯୩ ଲକ୍ଷ ଭୋଟ୍ ପଡ଼ିଥିଲା।
ଏ ବର୍ଷ ହୋଇଥିବା ପଞ୍ଚାୟତ ନିର୍ବାଚନରେ ବିଜେପି ୬୭ ଲକ୍ଷ ଭୋଟ୍ ପାଇଥିଲା ଓ ଜିଲ୍ଲା ପରିଷଦ ଆସନରେ ଦଳ ୯ ଗୁଣା ଫାଇଦା ପାଇଥିଲା। ଶାହାଙ୍କ ହିସାବ ହେଉଛି ଯଦି ୩୬,୦୦୦ ବୁଥ୍‌ରେ କିଛି ନ ହେଲେ ବି ୪୦୦ ଭୋଟ୍ ପଡ଼େ ତେବେ ଏହା ୧.୪ କୋଟିରେ ପହଞ୍ଚିବ। ଏଥିରୁ ଶାହାଙ୍କ ଦୃଢ଼ୋକ୍ତି ଓ ସାହସର କାରଣକୁ ବୁଝିହେବ।
ବିଜେପି ପାଇଁ ଆଉ ଏକ ଆଶାର ବିଷୟ ହେଉଛି ବିଜେଡି ସରକାରର ତଥାକଥିତ ଲୋକପ୍ରିୟତା ହ୍ରାସ। ରାଜ୍ୟର ବରିଷ୍ଠ ସାମ୍ବାଦିକ ଓ ଖବରକାଗଜ ସମ୍ପାଦକମାନଙ୍କୁ ଭେଟିବା ଅବସରରେ ମୋଦି ଏହି ଆଣ୍ଟି-ଇନକମ୍ବେନ୍ସି କଥାକୁ ଜୋର ଦେଇଥିଲେ। ତେବେ କଥା ହେଉଛି ନବୀନ ପଟ୍ଟନାୟକଙ୍କର ନିର୍ମଳ ଭାବମୂର୍ତ୍ତି ଏ ପର୍ଯ୍ୟନ୍ତ ବଜାୟ ରହିଛି ଏବଂ ଏହି ଦୃଷ୍ଟିରୁ ତାଙ୍କୁ ଗାଦିଚ୍ୟୁତ କରିବା ଅସମ୍ଭବ ମନେ ହୁଏ। ଏପରିକି ଯେଉଁ ୬୭ ଲକ୍ଷ ଭୋଟ୍ ବିଜେପିକୁ ମିଳିଥିଲା ସେତିକିବି ୨୦୧୯ ବିଧାନସଭା ନିର୍ବାଚନରେ ମିଳିବ କି ନା ତାହା କହିବା କଷ୍ଟ।
ଅନ୍ୟ ଏକ ଋଣନୀତି ସ୍ୱରୂପ ବିଜେଡି ଓ କଂଗ୍ରେସର ଅସନ୍ତୁଷ୍ଟ ନେତାମାନଙ୍କୁ ଦଳ ଭିତରକୁ ଆଣିବା ପାଇଁ ବିଜେପି ଲକ୍ଷ୍ୟ ରଖିଛି। ସେହିଭଳି ବିଜେଡି ମଧ୍ୟ କଂଗ୍ରେସ ଓ ବିଜେପିର ଅସନ୍ତୁଷ୍ଟମାନଙ୍କୁ ଗୋଟେଇବା ପାଇଁ ଯୋଜନା କରୁଛି।
ଘଟଣାବଶତଃ, ପଞ୍ଚାୟତ ନିର୍ବାଚନରେ ବିଜେପି ଯେଉଁ ୬୭ ଲକ୍ଷ ଭୋଟ୍ ପାଇଥିଲା ତାହା କଂଗ୍ରେସ ଦଳର ହିଁ ଭୋଟ୍ ଥିଲା। ଏ ପର୍ଯ୍ୟନ୍ତ ଯେହେତୁ କଂଗ୍ରେସ ଦଳରେ ବିବାଦ ତୁଟୁ ନାହିଁ ଏବଂ ଦିନକୁ ଦିନ ଦଳ ତା’ର ସ୍ଥିତି ହରାଇବସିଛି ଏ କଥା ସ୍ପଷ୍ଟ ଯେ ଆଗାମୀ ନିର୍ବାଚନରେ ମଧ୍ୟ କଂଗ୍ରେସର ଭୋଟ୍‌ଗୁଡ଼ିକ ଅନ୍ୟ ଦଳକୁ ହିଁ ଯିବ।
ବର୍ତ୍ତମାନ ସବୁ କଥା ନିର୍ଭର କରୁଛି ବିଜେପି କେତେ ଦୂର କଂଗ୍ରେସ ଭୋଟ୍‌କୁ ଅକ୍ତିଆର କରିପାରୁଛି। ଯଦି ରାହୁଲ ଗାନ୍ଧି ତୁରନ୍ତ ଓଡ଼ିଶା ପ୍ରସଙ୍ଗରେ କୌଣସି ସମାଧାନ ନ କରନ୍ତି ଓ ପିସିସି ପରିବର୍ତ୍ତନ ପ୍ରସଙ୍ଗକୁ ଝୁଲାଇ ରଖନ୍ତି ତେବେ କଂଗ୍ରେସ ଆଗାମୀ ନିର୍ବାଚନରେ ବିପୁଳ କ୍ଷତି ସହିବ ଏଥିରେ ସନ୍ଦେହ ନାହିଁ।

Tags: Amit Shah, Bhubaneswar News, BJD, BJP, BJP Govt, Breaking News, Latest News, MAHAADHIBESHAN, Mission-120, Naveen Patnaik, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, ShahInOdisha, Top Stories

Comment