ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପି ଓଡିଶାରେ ପ୍ରୟୋଗ କରୁଛି ୟୁପି ଫର୍ମୁଲା। ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନରେ ଏହି ଜାତୀୟ ଦଳ କର୍ମୀଙ୍କୁ ୧,୬୫୦ ବାଇକ୍ ଦେଇ ନିର୍ବାଚନ ବୈତରଣୀ ପାର୍ ହୋଇଥିଲା। ଆଉ ଏକାକୀ ୩୨୦ ଆସନ ପାଇଥିଲା। ୨୦୧୯ ନିର୍ବାଚନ ପାଇଁ ବିଜେପି ଏବେ ଏହି ବାଇକ୍ ଫର୍ମୁଲା ଓଡିଶାରେ ଆପଣାଇଛି। ୧୫୦ ବାଇକ୍ ରାଜ୍ୟ କାର୍ଯ୍ୟାଳୟରେ ଆସି ପହଞ୍ଚିଛି। ଫୁଲ ଟାଇମ କର୍ମୀଙ୍କୁ ବାଇକ୍ ଦେଇ ବିଜେପି ‘ମିଶନ-୧୨୦’କୁ ସଫଳ କରିବାକୁ ଅଣ୍ଟା ଭିଡିଛି।

ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହାଙ୍କ ଓଡ଼ିଶା ଗସ୍ତ ପରେ ବିଜେପି କର୍ମୀ ଉତ୍ସାହିତ ହୋଇ ଯାଇଛନ୍ତି।
ଆସିନି ନିର୍ବାଚନ। ଭୁବନେଶ୍ୱରରେ ବଡ଼ ଧରଣର ରାଲି ମଧ୍ୟ ହୋଇନି। କୌଣସି ରାଜନୈନିକ ଦଳର ବଡ଼ ଧରଣର ବୈଠକ ବି ହୋଇନି। ହେଲେ ଗୋଟିଏ କ୍ୟାମ୍ପସ ପରିସରରେ ରହିଛି ୧୫୦ରୁ ଊର୍ଦ୍ଧ୍ୱ ବାଇକ। ଏତେ ସଂଖ୍ୟାରେ ଧଳା ରଙ୍ଗର ବାଇକ ଯିଏ ଦେଖୁଛି ସିଏ ହତବାକ୍ ହୋଇ ଯାଉଛି। ଏହି ଚିତ୍ର ବାଇକ୍ ସୋ ରୁମର ଭ୍ରମ ସୃଷ୍ଟି କରୁଛି।
ବାଇକ ସୋ ରୁମର ଭ୍ରମ ସୃଷ୍ଟି କରୁଥିବା ସ୍ଥାନ ହେଉଛି ରାଜ୍ୟ ବିଜେପି ପାର୍ଟି ଅଫିସ। ଅମିତ ଶାହା ଓଡ଼ିଶା ଗସ୍ତ ସାରି ଫେରିଯିବା ପରେ ପାର୍ଟି ଅଫିସ କ୍ୟାମ୍ପସ ଧଳା ରଙ୍ଗର ବାଇକରେ ପରିପୂର୍ଣ୍ଣ ହୋଇଯାଇଛି। ବିଜେପି କର୍ମୀଙ୍କୁ ବାଣ୍ଟିବା ପାଇଁ ଏହି ବାଇକ୍ ଆସିଥିବା ସାଧାରଣରେ ଚର୍ଚ୍ଚା ହେଉଛି।
ବିଜେପି ମୁଖପାତ୍ର ସଜ୍ଜନ ଶର୍ମା ‘ଓଡିଶାଲାଇଭ’କୁ କହିଛନ୍ତି, “ଯେଉଁ କର୍ମକର୍ତ୍ତାମାନେ ବିଜେପିକୁ ପୂର୍ଣ୍ଣ ସମୟ ଦେଇ ବୁଥ୍ ସ୍ତରରେ ସଙ୍ଗଠନ ମଜଭୁତ ପ୍ରକ୍ରିୟାରେ ସାମିଲ ହେବେ ସେମାନଙ୍କୁ ଏହି ବାଇକ୍ ଦିଆଯିବ। ଏଥିପାଇଁ ୧୫୦ ବାଇକ୍ ଆସିଛି। ୩୧୪ ବ୍ଲକର ଆକ୍ଟିଭ କାର୍ଯ୍ୟକର୍ତ୍ତାଙ୍କୁ ବାଇକ୍ ଦିଆଯିବ।’’
ଶ୍ରୀ ଶର୍ମା ଆହୁରି କହିଛନ୍ତି ଯେ, ଓଡ଼ିଶା ପରିବର୍ତ୍ତନ ଆଡକୁ ଗତି କରୁଛି। ଲୋକଙ୍କ ମୁଡ୍ ମଧ୍ୟ ପରିବର୍ତ୍ତନ ହେଉଛି। ଓଡ଼ିଶାବାସୀ ନେତୃତ୍ୱକୁ ବଦଳାଇବା ପାଇଁ ଚାହିଁଲେଣି। ବିଜେପି ଆଗାମୀ ଦିନରେ କ୍ଷମତାକୁ ଆସିବା, ଏହା ନିଶ୍ଚିତ। ଏଣୁ କର୍ମୀଙ୍କୁ ଉତ୍ସାହିତ କରିବା ଲାଗି ବିଜେପି ପଦକ୍ଷେପ ନେଉଛି।
ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ୍ ଶାହା ୩ ଦିନିଆ ଓଡ଼ିଶା ଗସ୍ତ ସାରି ନୂଆଦିଲ୍ଲୀ ଫେରି ଯାଇଛନ୍ତି। ୨୦୧୯ରେ ୧୨୦ ପ୍ଲସ ଆସନ ହାସଲ ପାଇଁ କର୍ମୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି। ୧୭ ବର୍ଷର ନବୀନ ପଟ୍ଟନାୟକଙ୍କ ସରକାର ଉପରେ ବର୍ଷି କର୍ମୀଙ୍କ ମନୋବଳ ବଢ଼ାଇଛନ୍ତି।
କାର୍ଯ୍ୟକର୍ତ୍ତାଙ୍କ ମନୋବଳକୁ ବଜାୟ ରଖିବା ପାଇଁ ଏବଂ ବୁଥ ସ୍ତରରେ ସଙ୍ଗଠନ ମଜଭୁତ କରିବା ଲାଗି ବିଜେପି ଏହି ଅଭିଯାନ ଆରମ୍ଭ କରିବାକୁ ଯାଉଛି।
ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ‘ଓଡିଶାଲାଇଭ’କୁ କହିଛନ୍ତି, “ସାଧାରଣ ନିର୍ବାଚନକୁ ଆହୁରି ବର୍ଷେ ବାକି ରହିଛି। ହେଲେ ଏବେଠୁ ବିଜେପି ଅର୍ଥ ବଳ ଦେଖାଇବା ଆରମ୍ଭ କଲାଣି। ଅନ୍ତର୍ଜାତୀୟ ବଜାରରେ ତୈଳ ଦର କମୁଥିବା ବେଳେ ଭାରତରେ ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି ପାଉଛି। ଗରିବ ଲୋକଙ୍କୁ ଶୋଷଣ କରୁଛନ୍ତି। ସ୍ୱଚ୍ଛ ଶାସନର ଡିଣ୍ଡିମ ପିଟୁଥିବା ବିଜେପି କେତେ ସ୍ୱଚ୍ଛ ତାହା ଏଥିରୁ ପ୍ରମାଣିତ ହେଉଛି।”

ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ବେଳେ ବିଜେପି ଏହି ବାଇକ୍ ଫର୍ମୁଲା ଆପଣାଇଥିଲା। ଧଳା ରଙ୍ଗର ବାଇକ୍ ପ୍ରତି ନିର୍ବାଚନମଣ୍ଡଳିରେ ବୁଲୁଥିବା ଦେଖିବାକୁ ମିଳିଥିଲା। ୪୦୩ବିଶିଷ୍ଟ ୟୁପି ବିଧାନସଭାକୁ କବ୍‌ଜା କରିବା ପାଇଁ ଦଳ ୧,୬୫୦ ବାଇକ୍ କିଣିଥିଲା। ଏଥିପାଇଁ ୬ କୋଟି ଟଙ୍କା ଦଳ ବ୍ୟୟ କରିଥିଲା।

ଏବେ ଏହି ବାଇକ୍ ଫର୍ମୁଲା ବିଜେପି ଓଡ଼ିଶାରେ ପ୍ରୟୋଗ କରିବାକୁ ଯାଉଛି। ଏଥିପାଇଁ ଉତ୍ତରପ୍ରଦେଶରୁ ପ୍ରାୟ ୧୫୦ଟି ବାଇକ୍ ଆସିଛି। ଏହି ବାଇକ୍ କର୍ମୀ (ବିସ୍ତାରକ)ମାନଙ୍କୁ ଦିଆଯିବ। ଏମାନେ ପ୍ରତି ବୁଥ୍ ବୁଲି ନରେନ୍ଦ୍ର ମୋଦି ସରକାରଙ୍କ ଲୋକପ୍ରିୟ ଯୋଜନା ସମ୍ପର୍କରେ ଲୋକଙ୍କୁ ଅବଗତ କରିବେ ଏବଂ ମିଶନ-୧୨୦ ପ୍ଲସ କିପରି ସଫଳ ହେବ ସେ ଦିଗରେ କାମ କରିବେ।

ବାଇକ୍ ଫର୍ମୁଲା ୟୁପିରେ ପ୍ରୟୋଗ କରି ବିଜେପି ୩୨୦ ଆସନ ହାସଲ କରିଥିଲା। ଏଣୁ ବିଜେପି ୟୁପିରୁ ବାଇକ୍ ଆଣି ଓଡ଼ିଶାରେ ୧୨୦ ଆସନ ହାତେଇବା ପାଇଁ ଲକ୍ଷ୍ୟ ରଖିଛି। ୟୁପି ନିର୍ବାଚନ ୩ ମାସ ପୂର୍ବରୁ ଏହି ବାଇକ୍ କର୍ମୀମାନଙ୍କୁ ଦିଆଯାଇଥିଲା। କିନ୍ତୁ ଓଡ଼ିଶାରେ ୨୦୧୯ ନିର୍ବାଚନର ବର୍ଷେ ପୂର୍ବରୁ ବାଇକ୍ ଭୁବନେଶ୍ୱରରେ ଆସି ପହଞ୍ଚିଯାଇଛି। ତେବେ ଏହି ବାଇକ୍ ଫର୍ମୁଲା ଓଡିଶାରେ ବିଜେପିକୁ କେତେ ସଫଳତା ଆଣିଦେଉଛି ତାହା ଅପେକ୍ଷା କରି ଦେଖିବାର କଥା।

Tags: Sajjan Sharma, Prashanta Nanda, Amit Shah, Bhubaneswar News, BJD, BJP, BJP Govt, Breaking News, Dharmendra Pradhan, Latest News, MAHAADHIBESHAN, Mission-120, Narasingh Mishra, Naveen Patnaik, Odisha BJP, Odisha Breaking News, Odisha News, Odisha Politics, Odisha Stories, Odisha Top Stories, OdishaWantsBJP, Panchayat Election, Politics, ShahInOdisha, Top Stories

Comment