ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱାସ କରନ୍ତୁ କି ନା କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ବି ନୋଟ୍ କାରବାର ହେଉଛି। ନିଜ ସପକ୍ଷରେ ଭୋଟ୍ ପାଇଁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀମାନଙ୍କୁ ବହୁ ପ୍ରକାର ପ୍ରଲୋଭନ ଦେଖାଉଛନ୍ତି। ନିର୍ବାଚନ ପାଇଁ ବର୍ତ୍ତମାନ ପ୍ରକ୍ରିୟା ଜାରି ରହିଥିବା ବେଳେ ମଉଜ ମଜଲିସ୍ ଏକ ସାଧାରଣ କଥାରେ ପରିଣତ ହୋଇଯାଇଛି। ବିଭିନ୍ନ କଲେଜ ପରିସରରେ ବର୍ତ୍ତମାନ କେବଳ ଖାଇବା ମାହୋଲ। ବିରିଆନିଠାରୁ ଆଇସକ୍ରିମ୍ ଓ ମିଠା ପର୍ଯ୍ୟନ୍ତ କ୍ୟାମ୍ପସଗୁଡ଼ିକରେ ଖାଇବା ହିଁ ଆଖିରେ ପଡ଼ୁଛି।
ଲିଙ୍ଗଡୋ କମିଶନ ନିର୍ଦ୍ଦେଶାବଳି ଅନୁସାରେ ଛାତ୍ର ସଂସଦ ନିର୍ବାଚନରେ ଜଣେ ପ୍ରାର୍ଥୀ ଅତି ବେଶୀରେ ପାଞ୍ଚ ହଜାର ଟଙ୍କା ଖର୍ଚ୍ଚ କରିପାରିବେ। କିନ୍ତୁ ପ୍ରାର୍ଥୀମାନେ ଏହି ଧାର୍ଯ୍ୟ ସୀମାଠାରୁ ବହୁଗୁଣ ଅର୍ଥ ଖର୍ଚ୍ଚ କରୁଥିବା ଦେଖାଯାଇଛି। ନିୟମ ଭାଙ୍ଗିବା ଅଭିଯୋଗକୁ ଏଡ଼ାଇବା ପାଇଁ କିଛି କିଛି ପ୍ରାର୍ଥୀ ଅନ୍ୟ ବାଟରେ ଖର୍ଚ୍ଚ କରୁଛନ୍ତି।
ରମାଦେବୀ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ରୀ ନିକଟରେ ଏହା ହିଁ କରିଥିଲେ। ପ୍ରାର୍ଥୀଙ୍କ ଜନ୍ମଦିନ ପଡ଼ିବାରୁ ସାଙ୍ଗସାଥୀମାନେ ପାର୍ଟି ମାଗିଥିଲେ ଏବଂ ସେ ସେମାନଙ୍କୁ ଖୁବ୍ ଖାଇବାକୁ ଦେଇଥିଲେ।
ଉତ୍କଳ ବିଶ୍ୱବିଦ୍ୟାଳୟର ଜଣେ ଛାତ୍ର ନେତା କହନ୍ତି ଯେ ଅଧିକାଂଶ ସମୟରେ ପ୍ରାର୍ଥୀ ଯେଉଁ ଦଳର ସେହି ଦଳ ପକ୍ଷରୁ  ବିଭିନ୍ନ ପ୍ରକାର ଖର୍ଚ୍ଚ କରାଯାଇଥାଏ ଯାହାଫଳରେ କି ଲିଙ୍ଗଡୋ କମିଶନର ନିୟମ ଉଲ୍ଲଙ୍ଘନ ହୋଇଛି ବୋଲି ଧରାପଡ଼ିବ ନାହିଁ।  ଖାଲି ସେତିକି ନୁହେଁ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ଦେବାଦେବୀଙ୍କ ଫଟୋ, ପେନ୍ ଓ ଅନ୍ୟାନ୍ୟ ମନୋହରି ଜିନିଷ ବି ଦେଉଛନ୍ତି।
ଭୋଟରମାନେ ମଧ୍ୟ ଏହାକୁ ଖୁସିରେ ଗ୍ରହଣ କରୁଥିବା ଏକ ସାଧାରଣ କଥା ହୋଇପଡ଼ିଛି। ପ୍ରଭାବଶାଳୀ ଛାତ୍ରଛାତ୍ରୀମାନଙ୍କୁ ପ୍ରାର୍ଥୀମାନେ ଚକୋଲେଟ୍ ବକ୍ସ ଓ ବିଭିନ୍ନ ପ୍ରକାରର ମେସେଜ୍ ପଠାଇବା ମଧ୍ୟ ଏକ ଧାରାରେ ପଡ଼ିଯାଇଛି। ତେବେ ଏହିଭଳି ପ୍ରଲୋଭନରେ କିଛି ଅସୁବିଧା ନାହିଁ ବୋଲି ରମାଦେବୀ ମହାବିଦ୍ୟାଳୟର ଜଣେ ଛାତ୍ରୀ କହିଛନ୍ତି। ଯେହେତୁ ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରକାର ଦାବି କରନ୍ତି ଏବଂ ଯେହେତୁ ଭୋଟ୍ ନ ପାଇବାର ଭୟ ବି ଥାଏ ସେହି କାରଣରୁ ପ୍ରାର୍ଥୀମାନେ ଏହାକୁ ଏଡ଼ାଇପାରନ୍ତି ନାହିଁ ବୋଲି ଜଣେ ପୂର୍ବତନ ଛାତ୍ରନେତା କହିଛନ୍ତି। ବିଶେଷକରି ଯେଉଁ ଛାତ୍ରଛାତ୍ରୀ ହଷ୍ଟେଲରେ ରହନ୍ତି ସେମାନଙ୍କ ଉପରେ ପ୍ରାର୍ଥୀମାନଙ୍କର ଅଧିକ ନଜର ଥାଏ।
ଶିକ୍ଷାବିତ୍‌ମାନଙ୍କ ମତରେ ପାଞ୍ଚ ହଜାର ଟଙ୍କା ନିୟମକୁ କେହି ମାନନ୍ତି ନାହିଁ ଓ ତାହାଠାରୁ ବହୁ ଗୁଣରେ ପ୍ରାର୍ଥୀମାନେ ଅର୍ଥ ବ୍ୟୟ କରୁଛନ୍ତି। ପୋଷ୍ଟରଠାରୁ ବିଭିନ୍ନ ପ୍ରକାର ପ୍ରଚାର ପତ୍ର ପାଇଁ ପ୍ରାର୍ଥୀମାନେ କୌଣସି ଉପାୟକୁ ହାତଛଡ଼ା କରିବାକୁ ଚାହାଁନ୍ତି ନାହିଁ। ଯଦିଓ ଲିଙ୍ଗଡୋ କମିଶନ ନିୟମ କହୁଛି ଯେ ନିର୍ବାଚନ ପ୍ରଚାର ପାଇଁ ପ୍ରାର୍ଥୀମାନେ ପୋଷ୍ଟର ପାମ୍ଫଲେଟ ଆଦି ବ୍ୟବହାର କରିପାରିବେ ନାହିଁ ତଥାପି ତାହାକୁ କେହି ମାନୁଥିବା ଦେଖାଯାଉନାହିଁ।

Tags: Bhubaneswar News, BJD, BJP, Breaking News, Campus Election, Campus Election 2017, Congress, Latest News, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Student Election, Top Stories

Comment