ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟ ସରକାର ଓ ବିଜେପି ମଧ୍ୟରେ ବିବାଦ ଥମିବା ନାଁ ଧରୁନାହିଁ। ବିଜେପି ସଭାପତି ଅମିତ୍ ଶାହାଙ୍କ ତିନି ଦିନିଆ ଓଡ଼ିଶା ଗସ୍ତ ବେଳେ ଉଭୟ ବିଜେଡି ଓ ବିଜେପି ମଧ୍ୟରେ ବିଭିନ୍ନ ପ୍ରସଙ୍ଗ ନେଇ ଯେଉଁ କଥା କଟାକଟି ଚାଲିଥିଲା ତାହା ଥମି ନଥିବା ବେଳେ ପ୍ରଧାନମନ୍ତ୍ରୀଙ୍କୁ ଏକ ଭାଷଣକୁ ନେଇ ଅନେକ ବିବାଦ ଠିଆ ହୋଇଛି।
ବିବାଦଟି ହେଉଛି ବିଶ୍ୱ ଧର୍ମ ସଂସଦରେ ଚିକାଗୋଠାରେ ସ୍ୱାମୀ ବିବେକାନନ୍ଦ ଦେଇଥିବା ଉଦବୋଧନର ୧୨୫ତମ ବର୍ଷ ପୂର୍ତ୍ତି ଓ ପଣ୍ଡିତ ଦିନ ଦୟାଲ ଉପାଧ୍ୟାୟଙ୍କ ଶତବାର୍ଷିକୀକୁ ନେଇ ମୋଦିଙ୍କ ଏକ ଭାଷଣ। ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ ପକ୍ଷରୁ ବିଭିନ୍ନ କଲେଜ ଓ ବିଶ୍ୱବିଦ୍ୟାଳୟରେ ଏହି ଭାଷଣକୁ ଶୁଣାଇବା ପାଇଁ ଆସିଥିବା ନିର୍ଦ୍ଦେଶକୁ ରାଜ୍ୟ ସରକାର ଖାରଜ କରିଦେଇଥିଲେ। ସରକାରଙ୍କ ପକ୍ଷରୁ କୁହାଯାଇଛି ଯେ ବର୍ତ୍ତମାନ କଲେଜ/ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଯୋଗୁଁ ବାତାବରଣ ସରଗରମ ଥିବା ବେଳେ ଏହିଭଳି ଭାଷଣ ଶୁଣିବା ପାଇଁ ପିଲାଙ୍କୁ ବାଧ୍ୟ କରିବା ସମ୍ଭବ ନୁହେଁ।
ଉଚ୍ଚ ଶିକ୍ଷାମନ୍ତ୍ରୀ ଅନନ୍ତ ଦାସଙ୍କ କହିବା କଥା ଯେ ନିର୍ବାଚନ ସରଗରମ ବ୍ୟତୀତ ପଣ୍ଡିତ ଦିନଦୟାଲ ଉପାଧ୍ୟାୟଙ୍କ ଭାଷଣକୁ କାହିଁକି ବିବେକାନନ୍ଦଙ୍କର ଚିକାଗୋ ଭାଷଣ ତୁଳନାରେ ଅଧିକ ଗୁରୁତ୍ୱ ଦିଆଯିବ।
ଏହି ବିବାଦରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ମଧ୍ୟ ବିଜେଡି ସରକାରଙ୍କର ସାଥ୍ ଦେଇଛନ୍ତି। ନରସିଂହ ମିଶ୍ର କହିଲେ ଯେ, “ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ସହିତ ମୁଁ ସମ୍ପୂର୍ଣ୍ଣ ଏକମତ। ଗୋଟିଏ ନିର୍ଦ୍ଦିଷ୍ଟ ଦଳର ନେତାଙ୍କୁ କାହିଁକି ସମସ୍ତେ ଶୁଣିବେ?”
 ଏହି ଘଟଣାରେ ବିଜେପି କ୍ଷୋଭ ପ୍ରକାଶ କରିବା ସହିତ କହିଛି ଯେ ଶାସକ ଦଳ ଶସ୍ତା ରାଜନୀତି କରୁଛି।

Tags: Swami Vivekananda, BJP, Deen Dayal Upadhyaya, New India, Narendra Modi, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment