ଓଡ଼ିଶାଲାଇଭ୍‌ ବ୍ୟୁରୋ

”ରାଜ୍ୟ ସରକାର ଓଡିଶାର ଚାଷୀଙ୍କ ପାଇଁ ସଫଳ କୃଷି ନୀତି ପ୍ରଣୟନ କରିବାକୁ ଯାଉଛନ୍ତି। ଜଳସେଚନ ବ୍ୟବସ୍ଥା ସହ ଅନ୍ୟ ଦିଗକୁ ବ୍ୟାପକ କରାଯାଇ ଚାଷୀଙ୍କ ବାର୍ଷିକ ଆୟ ବୃଦ୍ଧି କରିବାକୁ ସରକାର ଲକ୍ଷ୍ୟ ରଖିଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ବାର୍ଷିକ ଆୟ ଦୁଇ ଗୁଣା ବୃଦ୍ଧି ପାଇବ,”  କହିଛନ୍ତି କୃଷି ମନ୍ତ୍ରୀ ଡାକ୍ତର ଦାମୋଦର ରାଉତ।
ବିଜେପି ବିଧାୟକ ଦିଲ୍ଲୀପ ରାୟଙ୍କ ଲିଖିତ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ ଡାକ୍ତର ରାଉତ ଉପରୋକ୍ତ ତଥ୍ୟ ଦେଇଛନ୍ତି। ଏହାସହ ଓଡିଶା ଚାଷୀଙ୍କ ବାର୍ଷିକ ଆୟ ୫୯ ହଜାର ୭୧୨ ଟଙ୍କା ବୋଲି କହିଛନ୍ତି।
ନ୍ୟାସନାଲ ସାମ୍ପୁଲ ସର୍ଭେ ଅର୍ଗାନାଇଜେସନ୍ (ଏନ୍‌ଏସ୍‌ଏସ୍‌ଓ) ପକ୍ଷରୁ ଏକ ସର୍ଭେ କରାଯାଇଥିଲା। ଏହି ସର୍ଭେ ରିପୋର୍ଟକୁ ଆଧାର କରି ଡାକ୍ତର ରାଉତ ଏହି ତଥ୍ୟ ବିଧାନସଭାରେ ଉପସ୍ଥାପନ କରିଛନ୍ତି।
ଏହି ସର୍ଭେ ୨୦୦୨-୨୦୦୩ରେ ପ୍ରଥମ ଥର ପାଇଁ କରାଯାଇଥିଲା। ପରେ ୨୦୧୨-୨୦୧୩ରେ ଦ୍ୱିତୀୟ ସର୍ଭେ କରାଯାଇଥିବା ଡାକ୍ତର ରାଉତ କହିଛନ୍ତି।
କୃଷି କ୍ଷେତ୍ରରୁ ମଜୁରି ବାବଦରେ ଚାଷୀ ୧୬,୮୮୪ ଟଙ୍କା ପାଉଥିବା ବେଳେ ପଶୁସମ୍ପଦରୁ ୧୫,୭୬୮ ଟଙ୍କା ପାଉଛନ୍ତି। ଅଣ ଚାଷ କ୍ଷେତ୍ରରୁ ୬,୪୬୮ ଟଙ୍କା ପାଉଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ବାର୍ଷିକ ଆୟ ଦୁଇଗୁଣ କରିବାକୁ ଯୋଜନା ପ୍ରସ୍ତୁତ କରାଯାଉଛି। ଆସନ୍ତା ୫ ବର୍ଷ ମଧ୍ୟରେ ରାଜ୍ୟ ସରକାର ‘ହର୍ଟିକଲଚର ମିଶନ’ ପ୍ରତିଷ୍ଠା କରିବାକୁ ଯାଉଛନ୍ତି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Tags: Dr. Damodar Rout, Horticulture Mission, Agriculture Sector, Farmers, Agriculture, NSSO, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment