ଓଡିଶାଲାଇଭ୍ ବ୍ୟୁରୋ

ତୈଳ ଦର ବୃଦ୍ଧିକୁ ବିରୋଧ କରିବାକୁ ବିଜେଡିର ଛାମୁଆ ସଙ୍ଗଠନ ଅଣ୍ଟା ଭିଡିଛନ୍ତି। ୧୮ ତାରିଖରୁ ଛାତ୍ର, ଯୁବ ଓ ମହିଳା ବିଜେଡି ପର୍ଯ୍ୟାୟକ୍ରମେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସାମ୍ବାଦିକ ସମ୍ମିଳନୀରେ ବିଜେଡି ତରଫରୁ କୁହାଯାଇଛି। ଏପଟେ ଯୁବ କଂଗ୍ରେସ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିଲ୍ଲୀ ବାସଭବନ ଘେରାଉ କରିଛି।
କ୍ରମାମତ ବଢ଼ି ଚାଲିଛି ପେଟ୍ରୋଲ ଓ ଡିଜେଲ୍ ଦର। ଏହାର ପ୍ରଭାବ ସାଧାରଣ ଲୋକଙ୍କ ପଡୁଛି। ଏହାର ପ୍ରତିବାଦରେ ୧୮ ତାରିଖରୁ ବିଜେଡି ଆନ୍ଦୋଳନକୁ ଓହ୍ଲାଇବ। ଏନେଇ ଶୁକ୍ରବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଦଳର ଉପସଭାପତି ଦେବୀ ପ୍ରସାଦ ମିଶ୍ର। ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ସଦରମହକୁମାରେ ଯୁବ, ଛାତ୍ର ଓ ମହିଳା ସମ୍ମିଳିତ ଧାରଣା ଦେବେ।
ଶ୍ରୀ ମିଶ୍ର କହିଛନ୍ତି, ”ଭାରତର ଅନ୍ୟ ରାଜ୍ୟ ତୁଳନାରେ ଓଡ଼ିଶାରେ ଭାଟ୍ ମୂଲ୍ୟ କମ୍ ରହିଛି। ହେଲେ କେନ୍ଦ୍ର ସରକାର ବାରମ୍ବାର ପେଟ୍ରୋଲ, ଡିଜେଲ ମୂଲ୍ୟ ବୃଦ୍ଧି କରି ଲୋକଙ୍କୁ ଅସୁବିଧାରେ ପକାଉଛନ୍ତି। ଲୋକଙ୍କ ସ୍ୱାର୍ଥ ରକ୍ଷାରେ ବିଜେପି ସରକାର ପଛଘୁଞ୍ଚା ଦେଉଛି।”
ବିଜେପି ସରକାରର ଦୋ ମୁହାଁ ନୀତିକୁ ଲୋକେ ଠିକ୍ ସମୟରେ ଜବାବ ଦେବେ। ଏହି ସାମ୍ବାଦିକ ସମ୍ମିଳନରେ ବିଧାୟକ ସଞ୍ଜୟ କୁମାର ଦାସବର୍ମା, ଅତନୁ ସବ୍ୟସାଚୀ ନାୟକ, ଡକ୍ଟର ଅରୁଣ ସାହୁ ଏବଂ ପ୍ରମିଳା ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ। ଏପଟେ ତୈଳ ଦର ବୃଦ୍ଧି ପ୍ରତିବାଦରେ ଦିଲ୍ଲୀରେ ଯୁବ କଂଗ୍ରେସ କର୍ମୀ କେନ୍ଦ୍ର ପେଟ୍ରୋଲିୟମ୍ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଘର ସମ୍ମୁଖରେ ବିକ୍ଷୋଭ କରିଥିଲେ।
ଯୁବ କଂଗ୍ରେସ କର୍ମୀ ଶ୍ରୀ ପ୍ରଧାନଙ୍କ ଘର ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ପୋଲିସ ସହ ମୁହାଁମୁହିଁ ହୋଇଥିଲେ।

Tags: BJP, BJD, Congress, Oil Price, Dharmendra Pradhan, Debi Prasad Mishra, Petrol Price, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment