ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୁଲୁଦୁଲିରେ ଦୁଲୁକିଲା କ୍ୟାମ୍ପସ୍। ଜିନ୍ଦାବାଦ୍ ଧ୍ୱନିରେ ଫାଟି ପଡୁଥିଲା ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜ ପରିସର। ବାଜାର ତାଳେତାଳେ ନାଚି ଯାଉଥିଲେ ସମର୍ଥକ। ଶନିବାର ଛାତ୍ର ସଂସଦ ନିର୍ବାଚନ ଲାଗି ହୋଇଥିବା ପ୍ରାର୍ଥିପତ୍ର ଦାଖଲ ବେଳେ ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜ୍ୟର ପ୍ରମୁଖ କ୍ୟାମ୍ପସରେ।
ଛାତ୍ର ସଂସଦ ନିର୍ବାଚନ ପାଇଁ ଶନିବାର ପ୍ରାର୍ଥିପତ୍ର ଦାଖଲ ଶେଷ ହୋଇଛି। ଫଳରେ ଏହାକୁ ନେଇ ରାଜ୍ୟର ପ୍ରମୁଖ କଲେଜ ପରିସରରେ ଉତ୍ସବର ମାହୋଲ ଦେଖିବାକୁ ମିଳିଛି। ବାଣୀବିହାରରୁ ସମ୍ବଲପୁର ଏବଂ ରମାଦେବୀରୁ ଶୈଳବାଳା କ୍ୟାମ୍ପସ ଆଜି ସରଗରମ୍ ରହିଛି। ଆଶାୟୀ ପ୍ରାର୍ଥୀମାନେ ନିଜନିଜ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ପୂର୍ବାହ୍ନ ୯ଟାରୁ ଆରମ୍ଭ ହୋଇଥିବା ଏହି ପ୍ରକ୍ରିୟା ମଧ୍ୟାହ୍ନ ୧୨ଟାରେ ଶେଷ ହୋଇଛି।
ପ୍ରାର୍ଥିପତ୍ର ଦାଖଲ ପରେ ଅପରାହ୍ନ ୨ଟାରୁ ନାମାଙ୍କନପତ୍ର ଯାଞ୍ଚ ହୋଇଛି। ଚୂଡାନ୍ତ ପ୍ରାର୍ଥୀ ତାଲିକା ୧୮ ତାରିଖରେ ପ୍ରକାଶ ପାଇବ। ୨୨ ତାରିଖରେ ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍’ ମିଟିଂ ପରେ ୨୩ରେ ନିର୍ବାଚନ ହେବ। ସେହିଦିନ ସନ୍ଧ୍ୟା ସୁଦ୍ଧା ଫଳାଫଳ ଜଣାପଡିବ।
କଲେଜ ନିର୍ବାଚନକୁ ନେଇ ୧୫ ତାରିଖରେ ପ୍ରକାଶ ପାଇଥିଲା ବିଜ୍ଞପ୍ତି। ବିଜ୍ଞପ୍ତି ପ୍ରକାଶ ପାଇବା ପରେ ବିଭିନ୍ନ କଲେଜରେ ଆଶାୟୀ ପ୍ରାର୍ଥୀ ଓ ସମର୍ଥକମାନେ ଉତ୍ସାହିତ ହୋଇଯାଇଛନ୍ତି। ନାମାଙ୍କନପତ୍ର ଦାଖଲ ବେଳେ ରାଲି କିପରି ଆକର୍ଷଣୀୟ ହେବ ସେଥିପ୍ରତି ଛାତ୍ରନେତାମାନେ ଅଧିକ ଫୋକସ୍ ଦେଇଥିଲେ। ଯାହାର ପ୍ରମାଣ ବିଭିନ୍ନ କ୍ୟାମ୍ପସ୍‌ରେ ଶନିବାର ଦେଖିବାକୁ ମିଳିଛି।
କଲେଜ ନିର୍ବାଚନକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବାଣୀବିହାର କ୍ୟାମ୍ପସ୍‌ରେ ନାମାଙ୍କନପତ୍ର ଦାଖଲ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ଶୋଭାଯାତ୍ରାରେ ଆସି ନାମାଙ୍କନ ଦାଖଲ କରିଛନ୍ତି। ବିଶେଷକରି ବାଣୀବିହାରରେ ଏଥର ତ୍ରିମୁଖି ଲଢ଼େଇ ହେଉଥିବା ସ୍ପଷ୍ଟ ହୋଇଛି। ଛାତ୍ର ବିଜେଡି, ଛାତ୍ର କଂଗ୍ରେସ ଏବଂ ଏବିଭିପି ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ଜଣାପଡିଛି।
୨୦୧୬ରେ ଛାତ୍ର ବିଜେଡି ବାଣୀବିହାରକୁ କବ୍‌ଜା କରିଥିଲା। ଏଥର ବି ଏହି ଛାମୁଆ ସଙ୍ଗଠନ ବାଣୀବିହାର ଦଖଲ କରିବା ମୁଡ୍‌ରେ ରହିଛି। ସେହିପରି ଗତ ନିର୍ବାଚନରେ ଅଳ୍ପ ଭୋଟ ବ୍ୟବଧାନରେ ପରାଜିତ ହୋଇଥିବା ଏବିଭିପି ବି ପଛରେ ପଡିନାହିଁ। ଏଥର ଛାତ୍ର ବିଜେଡି ଓ କଂଗ୍ରେସକୁ ମାତ୍ ଦେଇ ବାଣୀବିହାର ଛାତ୍ର ସଂସଦ ଦଖଲ କରିବାକୁ ଏବିଭିପି ଛାତ୍ର ନେତାମାନେ ଲାଗି ପଡିଛନ୍ତି। ସେହିପରି ବାଣୀବିହାରକୁ ପୁଣିଥରେ ହାତେଇବା ଲାଗି ଛାତ୍ର କଂଗ୍ରେସ ପୂରା ଦମ୍‌ରେ ଲାଗିଯାଇଛି।
ଏପଟେ ରମାଦେବୀ ବିଶ୍ୱବିଦ୍ୟାଳୟରେ ବି ନାମାଙ୍କନପତ୍ର ଦାକଲ ବେଳେ ଉତ୍ସବ ଦେଖିବାକୁ ମିଳିଛି। ଆଶାୟୀ ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ଆସି ନାମାଙ୍କନ ଦାଖଲ କରିଛନ୍ତି। ସମର୍ଥକମାନେ ଦୁଲୁଦୁଲି ଓ ଡ୍ରମ ବାଜାର ତାଳେତାଳେ ନାଚିନାଚି କ୍ୟାମ୍ପସକୁ ଗରମ୍ କରି ଦେଇଛନ୍ତି।
ରମାଦେବୀରେ ବି ଏଥର ତ୍ରିମୁଖି ଲଢ଼େଇ ହେଉଛି। ଛାତ୍ର ବିଜେଡି ଓ କଂଗ୍ରେସ ସହ ଏବିଭିପି ବି ଏଠାରେ ପ୍ରାର୍ଥୀ ଦେଇଛି। ରମାଦେବୀରେ ବିଜୟ ବାନା ଉଡାଇବା ପାଇଁ ଏହି ୩ ସଙ୍ଗଠନ ଉଦ୍ୟମ ଜାରି ରଖିଛନ୍ତି। ତେବେ ୧୮ ତାରିଖରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ଘୋଷଣା ହେବା ପରେ କ୍ୟାମ୍ପେନ୍ ଜୋରଦାର କରାଯିବ ବୋଲି ସମର୍ଥକମାନେ କହିଛନ୍ତି।
ରାଜଧାନୀର ଅନ୍ୟ ଦୁଇ ପ୍ରମୁଖ ରାଜଧାନୀ, ଏକାମ୍ର ଆଦି କଲେଜରେ ବି ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଛନ୍ତି। କଟକ ଶୈଳବାଳା, ଇନ୍ଦିରା ଗାନ୍ଧୀ, ଖ୍ରୀଷ୍ଟ ମହାବିଦ୍ୟାଳୟ କ୍ୟାମ୍ପସ ବି ଶନିବାର କମ୍ପି ଉଠିଛି।

Tags: Bhubaneswar News, Politics, Odisha Politics, BJD, BJP, Breaking News, Campus Election, Campus Election 2017, Congress, Latest News, Odisha Breaking News, Odisha News, Odisha Politics, Odisha Stories, Odisha Top Stories, Politics, Student Election, Top Stories

Comment