ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଧାନସଭାରେ ତେଲ ତାତି କମିବା ପରେ ଅପରାହ୍ନରେ ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ପ୍ରସଙ୍ଗ ଉଠିଛି। ଏହି ଆଲୋଚନାରେ ଭାଗନେଇ ବିରୋଧୀ ଦଳ ନେତା ନରସିଂହ ମିଶ୍ର ବିବୃତି ରଖିଛନ୍ତି। ଏହି ଘଟଣାକୁ ଦୁର୍ଭାଗ୍ୟଜନକ କହିବା ସହ ଘଟଣାର ନିରପେକ୍ଷ ତଦନ୍ତ ଦାବି କରିଛନ୍ତି।
ବମିଖାଲ ଓଭରବ୍ରିଜ୍ ଟ୍ରାଜେଡିରେ ପ୍ରାଣ ହରାଇଥିବା ମୃତକଙ୍କ ପରିବାରକୁ ୧ କୋଟି ଟଙ୍କା ସହାୟତା ରାଶି ଦେବା ସହ ମୃତ ସତ୍ୟବ୍ରତ ପଟ୍ଟନାୟକଙ୍କ ପତ୍ନୀଙ୍କୁ ଚାକିରି ଦେବାକୁ ଶ୍ରୀ ମିଶ୍ର କହିଛନ୍ତି। ଯୋଗ୍ୟତା ନ ଥିବା ବ୍ୟକ୍ତିଙ୍କୁ ଇଞ୍ଜିନିୟର ଚାକିରି ଦିଆଯାଉଛି ବୋଲି ବିଧାନସଭାରେ ସେ ଅଭିଯୋଗ କରିଛନ୍ତି। ଏହାସହ ଓଭରବ୍ରିଜ୍ ଭୁଶୁଡିବା ଘଟଣାର ମୁଖ୍ୟମନ୍ତ୍ରୀ ନିରପେକ୍ଷ ତଦନ୍ତ କରିବାକୁ ଶ୍ରୀ ମିଶ୍ର ଦାବି କରିଛନ୍ତି।
ବମିଖାଲ ପ୍ରସଙ୍ଗ ସହ ଶ୍ରୀ ମିଶ୍ର ତୈଳ ଦର ବୃଦ୍ଧିକୁ ମଧ୍ୟ ସମାଲୋଚନା କରିଛନ୍ତି। ତୈଳ ଦର ବୃଦ୍ଧି କରି କେନ୍ଦ୍ର ସରକାର ଲୋକଙ୍କ ସହ ପ୍ରତାରଣା କରିଛନ୍ତି ବୋଲି ସେ କହିଛନ୍ତି।
ବମିଖାଲ ଓଭରବ୍ରିଜ୍ ପ୍ରସଙ୍ଗରେ ଗୃହରେ ଆଲୋଚନା କରିବାକୁ କଂଗ୍ରେସ ଶୁକ୍ରବାର ମୁଲତବି ପ୍ରସ୍ତାବ ଦେଇଥିଲା। ଶନିବାର ପୂର୍ବାହ୍ନରେ ଏନେଇ ଆଲୋଚନା ହେବାର ଥିଲା। ମାତ୍ର ତୈଳ ଦର ବୃଦ୍ଧିକୁ ନେଇ କଂଗ୍ରେସ ସଭ୍ୟ ହଙ୍ଗାମା କରିବାକୁ ଏହି ଆଲୋଚନା ହୋଇପାରି ନ ଥିଲା। ଏହି ପ୍ରସଙ୍ଗକୁ ନେଇ ଗତ ସୋମବାର କଂଗ୍ରେସ ଓ ବିଜେପି ସଭ୍ୟ ଗୃହରେ ହଙ୍ଗାମା କରିଥିଲେ।
ବମିଖାଲ ଓଭରବ୍ରିଜ୍ ଟ୍ରାଜେଡିରେ ଝାରପଡା ଅଞ୍ଚଳର ସତ୍ୟବ୍ରତ ପଟ୍ଟନାୟକଙ୍କ ମୃତ୍ୟୁ ହୋଇଥିଲା। ତାଙ୍କ ଝିଅ ଶିତଲ ମଧ୍ୟ ଗୁରୁତର ହୋଇଥିଲେ। ଏହାସହ ୧୫ ଜଣ ଶ୍ରମିକ ଆହତ ହୋଇ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ। ଏହି ଘଟଣାରେ ବ୍ରିଜ୍ କାମ ନେଇଥିବା ‘ପଣ୍ଡା ଇନ୍‌ଫ୍ରା’ର ପରିଚାଳନା ନିର୍ଦ୍ଦେଶକ ପ୍ରତାପ ପଣ୍ଡାଙ୍କ ସମେତ ଅନ୍ୟ ୩ ଜଣ ଯନ୍ତ୍ରୀ ଗିରଫ ହୋଇଛନ୍ତି।
Tags: Narasingha Mishra, Bhubaneswar, Bhubaneswar News, BJD, BJP, Bomikhal Overbridge, Overbridge Collapse, Breaking News, Congress, Assembly, Latest News, Odisha, Odisha Assembly, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment