ଓଡ଼ିଶାଲାଇଭ୍‌ ବ୍ୟୁରୋ

ଶନିବାର ଶେଷ ହେଉଛି ବିଧାନସଭାର ମୌସୁମୀ ଅଧିବେଶନ। ଗତ ୭ ଦିନ ଭଳି ଶେଷ ଦିନରେ ବି ଅଚଳାବସ୍ଥା ଜାରି ରହିଛି। ଶେଷ ଦିନରେ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ବୃଦ୍ଧିକୁ ବିରୋଧୀ କଂଗ୍ରେସ ଓ ଶାସକ ବିଜେଡି ସଭ୍ୟ ଅସ୍ତ୍ର କରିଛନ୍ତି।
ପ୍ରଶ୍ନକାଳ ଆରମ୍ଭ ହେବା ମାତ୍ରେ ଗୃହ ହୁଲସ୍ତୁଲ୍ ହୋଇଥିଲା। କଂଗ୍ରେସ ସଭ୍ୟ ଗାଉନ୍ ପିନ୍ଧି ଗୃହ ମଝି ଭାଗକୁ ଚାଲି ଆସି କେନ୍ଦ୍ର ବିରୋଧରେ ସ୍ଲୋଗାନ୍ ଦେଇଛନ୍ତି। ପେଟ୍ରୋଲ, ଡିଜେଲ୍ ମୂଲ୍ୟ ବୃଦ୍ଧି କରି କେନ୍ଦ୍ର ସରକାର ସାଧାରଣ ଲୋକଙ୍କୁ ଅସୁବିଧାରେ ପକାଇଛନ୍ତି ବୋଲି କଂଗ୍ରେସ ଅଭିଯୋଗ କରିଛି। ଏପଟେ କଂଗ୍ରେସ ସହ ସ୍ୱର ମିଳାଇଛି ବିଜେଡି। ତୈଳ ଦର ବୃଦ୍ଧିକୁ ପ୍ରତିବାଦ କରି ବିଜେଡି ସଭ୍ୟମାନେ ନିଜ ନିଜ ଆସନରେ ଛିଡା ହୋଇ ନାରାବାଜି କରିଛନ୍ତି।
କଂଗ୍ରେସ ଓ ବିଜେଡି ସଭ୍ୟ ହଟ୍ଟଗୋଳ କରିବାରୁ ବାଚସ୍ପତି ଅପରାହ୍ନ ୩ଟା ଯାଏଁ ଗୃହକୁ ମୁଲତବୀ କରିଥିଲେ।
ବିଜେଡି ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ”ଅନ୍ତର୍ଜାତୀୟ ବଜାରରେ ତୈଳ ଦର ହ୍ରାସ ପାଉଥିବା ବେଳେ ଆମ ଦେଶରେ ତୈଳ ଦର ବୃଦ୍ଧି ପାଉଛି। ଫଳରେ ଖାଉଟିଙ୍କ ଉପରେ ଏହାର ପ୍ରଭାବ ପଡୁଛି। ଏହାକୁ ଆମେ ବିଧାନସଭାରେ ବିରୋଧ କରିଛୁ।”
କଂଗ୍ରେସ, ବିଜେଡିର ପ୍ରତିବାଦକୁ ବିଜେପି ସମାଲୋଚନା କରିଛି। କହିଛି ଉଭୟ ଦଳର ସଭ୍ୟଙ୍କ ମଧ୍ୟରେ ‘ଫିକ୍ସିଂ’ ହୋଇଯାଇଛି।
ବିଜେପି ବିଧାୟକ ରବି ନାଏକ କହିଛନ୍ତି, ”ଶୁକ୍ରବାର ବମିଖାଲ ଓଭରବ୍ରିଜ୍ ଭୁଶୁଡିବା ଘଟଣାରେ କଂଗ୍ରେସ ବିଧାନସଭାରେ ମୁଲତବି ପ୍ରସ୍ତାବ ଆଗତ କରିଥିଲା। ତେବେ ଏ ସମ୍ପର୍କରେ ଶନିବାର ଆଲୋଚନା କରାଗଲା ନାହିଁ। ଶାସକ ଦଳକୁ ସୁରକ୍ଷା ଦେବା ପାଇଁ କଂଗ୍ରେସ ଏଭଳି ଫିକ୍ସିଂ କରିଥିବା ବିଜେପି ଅଭିଯୋଗ କରିଛି।”
ବିଜେପିର ‘ଫିକ୍ସିଂ’ ଅଭିଯୋଗକୁ କଂଗ୍ରେସ ଖଣ୍ଡନ କରିଛି। କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ”ଫିକ୍ସିଂ ପରମ୍ପରା କଂଗ୍ରେସରେ ନାହିଁ। ବିଜେପି ଏହି ପରମ୍ପରାରେ ବିଶ୍ୱାସ କରେ।”
ମୌସୁମୀ ଅଧୀବେଶନର ଶେଷ ଦିନରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଆଲୋଚନା ହେବାର ଥିଲା। ହେଲେ ତାହା ସମ୍ଭବ ହୋଇନାହିଁ। ଗୃହରେ ପେଟ୍ରୋଲ ତାତି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଧୋଇ ନେଇଛି।
ସ୍ୱଳ୍ପ ଅବଧି ବିଶିଷ୍ଟ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ଥିଲା। ପ୍ରଥମ ଦିନ ଶାସକ ବିଜେଡି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧିକୁ ନେଇ ଗୃହ ଅଚଳ କରିଥିଲେ। ବାକି ୬ ଦିନ ବିରୋଧୀ କଂଗ୍ରେସ ଓ ବିଜେପି ସଭ୍ୟ ବିଭିନ୍ନ ପ୍ରସଙ୍ଗକୁ ଅସ୍ତ୍ର କରି ଗୃହ ଅଚଳ କରିଛନ୍ତି। ଶେଷ ଦିନରେ ବି କଂଗ୍ରେସ ସଭ୍ୟ ଗୃହରେ ହଙ୍ଗାମା କରିଛନ୍ତି।

Tags: BJP, BJD, Congress, Odisha News, Odisha, Odisha Assembly, Bhubaneswar, Opposition Party, Congress, Petrol Price Hike, House Adjourned, Bomikhal Over Bridge, Tara Prasad Bahinipati, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment