ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏନଡିଏ ମେଣ୍ଟରେ ଥାଇ ମଧ୍ୟ ମୋଦି ସରକାର ବିରୁଦ୍ଧରେ ବରାବର ବିଷୋଦଗାର କରୁଥିବା ଶିବସେନା ପକ୍ଷରୁ ପୁଣି ଥରେ ଚେତାବନୀ ଦିଆଯାଇଛି। ଏହି ବିବୃତ୍ତି ପରେ ମୋଦି ସରକାରଙ୍କ ହୋସ୍ ଉଡିଯିବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି। ଶିବସେନା ନେତା ସଞ୍ଜୟ ରାଉତ କେନ୍ଦ୍ର ସରକାରଙ୍କ ଉପରେ ଆକ୍ରମଣ କରିବାକୁ ଯାଇ କହିଛନ୍ତି ଯେ ଲଗାମଛଡ଼ା ଦରବୃଦ୍ଧି ଓ ଚାଷୀମାନଙ୍କ ପ୍ରତି ଘୋଟି ଆସୁଥିବା ବିପଦର ଏ ପର୍ଯ୍ୟନ୍ତ ସମାଧାନ ହୋଇପାରୁନାହିଁ। ଆମେ ଏଥିପାଇଁ ଦାଗୀ ହେବାକୁ ଚାହୁଁ ନା’।
ରାଜ୍ୟସଭା ସଦସ୍ୟ ସଞ୍ଜୟ ରାଉତ ମେଣ୍ଟରେ ତାଙ୍କ ଦଳ ରହିବା ନ ରହିବା କଥା ମଧ୍ୟ କହିଛନ୍ତି। ସେ ସଙ୍କେତ ଦେଇ କହିଛନ୍ତି ଯେ ଏ ନେଇ ଖୁବ୍ ଶୀଘ୍ର ଦଳର ବୈଠକ ଡକାଯିବ। କେନ୍ଦ୍ରରେ ଏନଡିଏ ସରକାର ରେ ଏକ ଅଂଶୀଦାର ଦଳ ହୋଇଥିଲେ ମଧ୍ୟ ଶିବସେନା ଓ ବିଜେପି ମଧ୍ୟରେ ଦୀର୍ଘ ସମୟ ଧରି ବଳ କଷାକଷି ଚାଲି ଆସିଛି। ନିକଟରେ ହୋଇଥିବା ମୋଦି ମନ୍ତ୍ରିମଣ୍ଡଳର ସମ୍ପ୍ରସାରଣକୁ ଶିବସେନା ପକ୍ଷରୁ ଦଳର ତୁଙ୍ଗ ନେତା ସମାଲୋଚନା କରିଥିଲେ। ଏହାକୁ ବିଜେପିର ବିସ୍ତାର ବୋଲି ଶିବସେନା ତାଚ୍ଛଲ୍ୟ କରିଥିଲା। ଶିବସେନା ୧୮ ଜଣ ସଦସ୍ୟଙ୍କ ସହ ମୋଦି ସରକାରଙ୍କୁ ସମର୍ଥନ କରୁଥିବା ବେଳେ ଏହାର ଜଣଙ୍କୁ ବି ନୂଆ ମନ୍ତ୍ରୀ କରାଯାଇନଥିଲା।
ପୂର୍ବରୁ ମଧ୍ୟ ଅନେକ ସମୟରେ ବିଜେପି ପକ୍ଷରୁ ‘ଆମକୁ ଅପମାନ କରାଯାଉଛି’ ବୋଲି ଶିବସେନା ତରଫରୁ ଅଭିଯୋଗ କରାଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ମନ୍ତବ୍ୟକୁ ନେଇ ମଧ୍ୟ ଶିବସେନା ମୁଖ୍ୟ ଉଦ୍ଧବ ଠାକରେ କ୍ଷୁବ୍ଧ ହୋଇଛନ୍ତି। ମୋଦି କୁଆଡ଼େ ଥରେ କହିଥିଲେ ଯେ ତାଙ୍କ ଯୋଗୁଁ ହିଁ ଶିବସେନାର ୧୮ ଜଣ ଜିତିପାରିଥିଲେ, ତା’ ନ ହୋଇଥିଲେ ୧୦ ଜଣ ବି ଜିତିବା ସମ୍ଭବ ନଥିଲା।
ଏହି ଘଟଣା ସହ ମରାଠା ସଂରକ୍ଷଣକୁ ନେଇ ମଧ୍ୟ ଦୁଇ ଦଳ ଭିତରେ ମତ ପାର୍ଥକ୍ୟ ରହିଛି। ଏହି ପ୍ରସଙ୍ଗରେ ଶିବସେନା ଦେବେନ୍ଦ୍ର ଫଦ୍‌ନାଭିସ୍ ସରକାରଙ୍କୁ ବରାବର ଟାର୍ଗେଟ କରିଆସିଛି। ଖାଲି ସେତିକି ନୁହେଁ, ନିକଟରେ ଅନୁଷ୍ଠିତ ବିଏମସି ନିର୍ବାଚନ ମଧ୍ୟ ଦୁଇ ଦଳ ଅଲଗା ଅଲଗା ଲଢିଥିଲେ। ଶିବସେନାର ମୁଖପତ୍ର ସାମନାରେ ମୋଦି ସରକାରଙ୍କ ବିଭିନ୍ନ ପଦକ୍ଷେପ ସମ୍ପର୍କରେ ସମାଲୋଚନା କରିବାର ବହୁ ଦୃଷ୍ଟାନ୍ତ ବି ରହିଛି।
Tags: Shiv Sena-BJP alliance, NDA, BJP, Narendra Modi, Shiv Sena, NDA Split, Politics, India Politics, Devendra Fadnavis, Bhubaneswar News, Breaking News, Latest News, Odisha Breaking News, Odisha News, Odisha Stories, Odisha Top Stories, Top Stories

Comment