ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦଳୀୟ ବିଧାୟକ ପ୍ରଭାତ ବିଶ୍ୱାଳଙ୍କୁ ସିବିଆଇ ଗିରଫ କରିବା ଘଟଣାକୁ ନେଇ ସାମ୍ବାଦିକ ସମ୍ମିଳନୀରେ ବିଜେଡିର ତୀବ୍ର ପ୍ରତିକ୍ରିୟାଦଳ କହିଲା ବିଜେପିର କଳ, ବଳ ଓ ଛଳ ବିରୋଧରେ ହେବ ରାଜନୈତିକ ଲଢେଇ

କେନ୍ଦ୍ରରେ ଶାସନ କରୁଥିବା ବିଜେପି ଦଳ କେନ୍ଦ୍ରୀୟ ଅନୁସନ୍ଧାନକାରୀ ସଂସ୍ଥା ସିବିଆଇକୁ ରାଜନୈତିକ ପ୍ରତିଶୋଧ ପାଇଁ ଖୋଲାଖୋଲି ଭାବେ ବ୍ୟବହାର କରୁଛି। ବିଜେଡି ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ରାତିଅଧିଆ ଗିରଫଦାରି ତା’ର ଖୋଲାଖୋଲି ପ୍ରମାଣ ବୋଲି ଆଜି ବିଜେଡି କହିଛି।
ଆଜି ଦଳୀୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମର ପ୍ରତିନିଧିଙ୍କ ଆଗରେ ବିଜେଡିର ଚାରିଜଣ ବରିଷ୍ଠ  ନେତା ଏହି ମତ ରଖିଛନ୍ତି। ସେମାନେ କହିଛନ୍ତି ଯେ ବିଜେଡି ଏହାର ଉତ୍ତର ରାଜନୈତିକ ସ୍ତରରେ ଦେବ।
ପ୍ରଭାତ ବିଶ୍ୱାଳଙ୍କ ଗିରଫ ଘଟଣାକୁ ନେଇ ବିଜେଡିର ଦଳ ଉପରୁ ତଳ ପର୍ଯ୍ୟନ୍ତ ସକ୍ରିୟ ହୋ‍ଇଉଠିଛି| ଆଜି ସକାଳେ ଦଳର ପ୍ରମୁଖ ନେତାମାନେ ନବୀନ ନିବାସରେ ଏକାଠି ହୋ‍ଇ ଦଳୀୟ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିଥିଲେ| ଗଣମାଧ୍ୟମ ପକ୍ଷରୁ ଏହି ଆଲୋଚନାର ଫଳାଫଳ ଜାଣିବା ପାଇଁ ଉଦ୍ୟମ କରାଯାଇଥିଲେ ମଧ୍ୟ ସେତେବେଳେ କୌଣସି ସୂଚନା ଦିଆଯାଇନଥିଲା| ସବୁକଥା ଅପରାହ୍‌ଣ ୪ଟା ବେଳେ ହେବାକୁ ଥିବା ସାମ୍ବାଦିକ ସମ୍ମିଳନୀରେ କୁହାଯିବ ବୋଲି ଦଳ ପକ୍ଷରୁ ଜଣାଇ ଦିଆଯାଇଥିଲା|
ଏହି ସାମ୍ବାଦିକ ସମ୍ମିଳନୀରେ ଦଳର ୪ ହେଭି ୱେଟ୍‍ ନେତା ମନ୍ତ୍ରୀ ଶଶିଭୂଷଣ ବେହେରା, ମହେଶ୍ୱର ମହାନ୍ତି  ଏବଂ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଓ ପ୍ରତାପ ଦେବ ଉପସ୍ଥିତ ରହି ଅତି ବିଜେପିର ଏହି ରାଜନୈତିକ ଉଦ୍ଦେଶ୍ୟର କଡ଼ା ଜବାବ ଦିଆଯିବ ବୋଲି ଦୃଢ ସ୍ୱରରେ କହିଥିଲେ|
ବିଜେଡି କହିଛି ଯେ ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ଦିନେ କହିଥିଲେ ଯେ କ୍ଷମତାକୁ ଆସିଲେ ‘ଏକ୍‌ କେ ବାଦ୍‍ ଏକ୍‌କୋ ଜେଲ୍‍ ଭେଜେଙ୍ଗେ’| ବିଜେପି ଆଜି ତାହା କରିଦେଖାଇଛି| ବିଜୁ ଜନତା ଦଳର କର୍ମୀ ଓ ନେତାଙ୍କ ଉଦ୍ଦେଶ୍ୟରେ ଅମିତ ଶାହା ଦେଇଥିବା ଏହି ଧମକପୂର୍ଣ୍ଣ ବକ୍ତବ୍ୟ ଆଜି ସିବିଆଇର କାର୍ଯ୍ୟଧାରାରେ ପ୍ରତିଫଳିତ ହୋ‍ଇଛି|
ବିଜେଡି ନେତା ଆଜି କହିଥିଲେ ଯେ ସିବିଆଇର ଏହି କାର୍ଯ୍ୟଧାରା ପ୍ରତି କେବଳ ସେମାନେ ପ୍ରଶ୍ନ ଉଠାଉନାହାନ୍ତି| ଅତୀତରେ ବିଜୟ ମହାପାତ୍ର ଓ ଜୁଏଲ ଓରାମଙ୍କ ଭଳି ଖୋଦ୍‍ ବିଜେପି ନେତାମାନେ ସିବିଆଇର ତଦନ୍ତ ପ୍ରକ୍ରିୟା ପ୍ରତି ମଧ୍ୟ ପ୍ରଶ୍ନ ଉଠାଇଛନ୍ତି| ପ୍ରଭାତ ବିଶ୍ୱାଳଙ୍କୁ ଯେଉଁଭଳି ଭାବେ ରାତିଅଧିଆ ଗିରଫ କରାଗଲା, ଏଥିରୁ ସ୍ପଷ୍ଟ ହୋ‍ଇଯାଇଛି ଯେ ସିବିଆଇ ସମ୍ପୂର୍ଣ୍ଣ ଭାବେ କେନ୍ଦ୍ରୀୟ ବିଜେପି ନେତାଙ୍କ ନିର୍ଦ୍ଦେଶରେ କାର୍ଯ୍ୟ କରୁଛି|
କେନ୍ଦ୍ରରେ ଥିବା ବିଜେପି ନେତା କ୍ଷମତାନ୍ଧ ହୋ‍ଇଯାଇଛନ୍ତି| ୧୯୭୫ରେ ଯେଭଳି ଭାବେ କ୍ଷମତାର ଅପବ୍ୟବହାର କରି ଦେଶରେ ଜରୁରିକାଳୀନ ପରିସ୍ଥିତି ସୃଷ୍ଟି ହୋ‍ଇଥିଲା, ଆଜି ଭାରତୀୟ ଜନତା ପାର୍ଟି ସେଭଳି ଶକ୍ତି ପ୍ରୟୋଗ କରି ଲୋକଙ୍କ ମୁହଁ ବନ୍ଦ କରିବାକୁ ଚାହୁଁଛି| ବିଜେଡି କଳ, ବଳ, ଛଳ ବିରୁଦ୍ଧରେ ବିଜେଡି ରାଜନୈତିକ ଲଢେଇ ପାଇଁ ପ୍ରସ୍ତୁତ ରହିଛି ବୋଲି ଆଜି ଦଳ ରଣହଙ୍କାର ଦେଇଛି|
ବିଭିନ୍ନ ଅଣ-ବିଜେପି ଶାସିତ ରାଜ୍ୟରେ ଥିବା ସରକାରଙ୍କୁ ଅଡୁଆରେ ପକାଇବା ପାଇଁ ବିଜେପି ସବୁମତେ ଉଦ୍ୟମ କରୁଛି| ପଶ୍ଚିମବଙ୍ଗର ଉଦାହରଣ ନେଇ ଆଜି ଦଳ ପକ୍ଷରୁ କୁହାଯାଇଛି ଯେ ସେଠାରେ ସିବିଆଇକୁ ଅସ୍ତ୍ର କରି କେନ୍ଦ୍ର ଯେଭଳି ଭାବରେ ରାଜନୈତିକ ଆକ୍ରୋଶ ଦେଖାଇଛି, ଓଡ଼ିଶାରେ ମଧ୍ୟ ସେମାନେ ତାହା କରିବାକୁ ଚାହୁଁଛନ୍ତି| ବିଜେଡି ଏହାର ତୀବ୍ର ବିରୋଧ କରୁଛି|
ବିଜେପିର ‘ମିଶନ ୧୨୦’ ଫର୍ମୁଲାକୁ ପୁଣି ଥରେ ସମାଲୋଚନା କରିଛି ବିଜେଡି| ଦଳ କହିଛି ଯେ ଜନସାଧାରଣଙ୍କ ହୃଦୟ ଜୟ କରିନପାରି ଏଭଳି କଳ ଓ ଛଳ ମାଧ୍ୟମରେ ବିଜେପି ଶାସନ କ୍ଷମତାକୁ ଆସିବାକୁ ଯେଉଁ ଉଦ୍ୟମ କରୁଛି ତାହା କଦାପି ସଫଳ ହେବ ନାହିଁ| ଗତ ୩ ବର୍ଷ ଧରି ଏହି ମାମଲାରେ ସିବିଆଇ ତଦନ୍ତ ବାହାନାରେ ଜନସାଧାରଣକୁ ବିଭ୍ରାନ୍ତ କରୁଛି ବୋଲି ଦଳ ଅଭିଯୋଗ କରିଛି|
Tags: BJD, BJP, CBI, Politics, Odisha Politics, Odisha News,Breaking News, Odisha Breaking News, Odisha Stories, Top Stories, Latest News, Bhubaneswar News, Odisha Top Stories

Comment