ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅନ୍ୟ କେହି କହୁ କି ନ କହୁ ବିଜେପିର ଦୁଇଥର ରାଜ୍ୟସଭା ସାଂସଦ ଥିବା ଚନ୍ଦନ ମିତ୍ର କହିଛନ୍ତି ଯେ ଓଡ଼ିଶା ଏବଂ ବଙ୍ଗଳା (ପଶ୍ଚିମବଙ୍ଗ) ଭେଦ କରିବା ବିଜେପି ପାଇଁ ଏତେ ସହଜ ନୁହେଁ।
ଦ ପାୟୋନିଅରଦୈନିକ ଇଂରେଜୀ ଖବର କାଗଜର ସମ୍ପାଦକ ତାଙ୍କ ବାଇ-ଲାଇନ ଲେଖାରେ ଯୁକ୍ତି ଦର୍ଶାଇଛନ୍ତି ଯେ ଏହି ଦୁଇଟି ପୂର୍ବ ଭାରତୀୟ ରାଜ୍ୟର ପରିସ୍ଥିତି ପୂରା ଅଲଗା ଓ ଉତ୍ତର-ଭାରତର ସ୍ଥିତି ସହିତ ଏଠାକାର ସ୍ଥିତି କଦାପି ତୁଳନୀୟ ନୁହଁ।
ମିତ୍ର ଲେଖିଛନ୍ତି, “ଦେଶକୁ ବିରୋଧୀଦଳ-ମୁକ୍ତ କରିବା ପାଇଁ ବିଜେପି ପୂର୍ବ ଦିଗରେ ଆଖି ପକାଇଥିବା ବେଳେ ଓଡ଼ିଶା ଓ ବଙ୍ଗଳା କ୍ଷେତ୍ରରେ ଏହା କଷ୍ଟକର ବ୍ୟାପାର। ପୂର୍ବ ଭାରତର ଏହି ଦୁଇଟି ରାଜ୍ୟର ନେତୃତ୍ୱ ଅତ୍ୟନ୍ତ ଶକ୍ତିଶାଳୀ ଏବଂ ଏହି ଦୁଇ ଆଞ୍ଚଳିକ ନେତା – ନବୀନ ପଟ୍ଟନାୟକ ଓ ମମତା ବାନାର୍ଜିଙ୍କ ଲୋକପ୍ରିୟତା ହ୍ରାସ ପାଉଥିବା ଦେଖାଯାଉନାହିଁ”।
ଏହି ଦୃଷ୍ଟିରୁ ଆଲୋଚ୍ୟ ଦୁଇ ରାଜ୍ୟ ପାଇଁ ବିଜେପିକୁ ନୂଆ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ ବୋଲି ସେ କହିଛନ୍ତି। ଉତ୍ତର ଓ ପଶ୍ଚିମ-ଭାରତ ଯେଉଁଠି ବିଜେପିର ପତିଆରା ରହିଛି ସେଠାରେ ଗ୍ରହଣ କରାଯାଇଥିବା ରଣକୌଶଳ ଏଠାରୁ ସମ୍ପୂର୍ଣ୍ଣ ଭିନ୍ନ ବୋଲି ସେ ମତପ୍ରକାଶ କରିଛନ୍ତି।
“ଯେହେତୁ ଏହି ଦୁଇ ରାଜ୍ୟରେ ଜାତି ବିଚାର ନିର୍ବାଚନରେ ଆଦୌ ନିର୍ଣ୍ଣୟାତ୍ମକ ନୁହେଁ, ସେହି କାରଣରୁ ବିଜେପିର ଜାତିଭିତ୍ତିକ ନିର୍ବାଚନ ଫର୍ମୁଲା ଏଠି କାମ କରିବ ନାହିଁ”, ମିତ୍ର ତାଙ୍କ ଲେଖାରେ ଏକଥା କହିଛନ୍ତି।
ମିତ୍ର ଏ କଥା ମଧ୍ୟ ଲେଖିଛନ୍ତି ଯେ କୌତୁହଳର ବିଷୟ ହେଲା ଏହି ଦୁଇ ଆଞ୍ଚଳିକ ଦଳ ଗୋଟିଏ ସମୟରେ ଏନଡିଏ ମେଣ୍ଟର ଅଂଶୀଦାର ଥିଲେ। ଅଟଳ ବିହାରୀ ବାଜପେୟୀ ସରକାରରେ ତୃଣମୂଳ କଂଗ୍ରେସ ଓ ବିଜୁ ଜନତା ଦଳର ନେତା ମନ୍ତ୍ରୀ ବି  ହୋଇଥିଲେ। ବାଜପେୟୀ ଅସୁସ୍ଥ ହେବା ସହ ଆଡଭାନି ଦଳର ଦାୟିତ୍ୱ ନେବା ପରେ ମଧ୍ୟ ଏହି ଦୁଇ ନେତା ଏନଡିଏ ରେ ବନି ରହିଥିଲେ। ୨୦୦୯ ନିର୍ବାଚନ ମଇଦାନକୁ ଓହ୍ଲାଇବା ପୂର୍ବରୁ ଉଭୟ ଦଳ ଏନଡିଏ ସହିତ ସମ୍ପର୍କ ତୁଟାଇ ଏକଲା ଚାଲ ରାସ୍ତା ଆପଣେଇଥିଲେ।
ମିତ୍ରଙ୍କ କହିବା କଥା ଯେ ୨୦୧୪ରେ ମୋଦି ହାୱାକୁ ଏହି ଦୁଇ ନେତା ସଫଳତାର ସହ ଅକାମି କରିଦେଇଥିଲେ ଓ ବାରମ୍ବାର ନିର୍ବାଚନ ଜିତୁଛନ୍ତି ମଧ୍ୟ।
ମିତ୍ରଙ୍କ ମତରେ ଯଦିଓ ବିଗତ ତିନି ବର୍ଷ ମଧ୍ୟରେ ବିଜେପି ଏହି ଦୁଇ ରାଜ୍ୟରେ ତା’ର ପ୍ରଭାବ ବିସ୍ତାର କରିଆସିଛି ଓ ଦଳର ଭୋଟ ହାର ବଢ଼ିଛି, ତଥାପି ଓଡ଼ିଶା ଓ ବଙ୍ଗଳାରେ ବିଜେପି ସେଠାକାର ଦଳର କଦାପି ବିକଳ୍ପ ହୋଇପାରିବ ନାହିଁ।
ଶେଷରେ ଶ୍ରୀ ମିତ୍ର ଲେଖିଛନ୍ତି, “୨୦୧୯ ଲୋକସଭା ଓ ସେହି ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଉ ମାତ୍ର ୧୮ ମାସ ସମୟ ରହିଥିବା ବେଳେ ବିଜେପି ପାଇଁ ବହୁ କାମ କରିବାକୁ ଅଛି। କିନ୍ତୁ ନିର୍ବାଚନ ଜିତିବା ଏତେ ସହଜ ନୁହେଁ”।

 

LEAVE A REPLY

Please enter your comment!
Please enter your name here