ଓଡ଼ିଶାଲାଇଭ୍‌ ବ୍ୟୁରୋ

ହାଇକୋର୍ଟ ବିଚାରପତି ଚିତ୍ତରଞ୍ଜନ ଦାଶଙ୍କ ଘରେ ରାତି ଅଧିଆ ପ୍ରବେଶ କରିବା ଏବେ ସିବିଆଇକୁ ମହଙ୍ଗା ପଡିଛି। ଶୁକ୍ରବାର ଓଡ଼ିଶା ହାଇକୋର୍ଟ ଜନସ୍ୱାର୍ଥ ମାମଲାକୁ ଗ୍ରହଣ କରି ସବୁ ପ୍ରତିପକ୍ଷଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି। ‘କାହା ଅନୁମତିରେ ଜଜ୍‌ଙ୍କ ଘରେ ରାତି ଅଧରେ ସିବିଆଇ ପଶିଥିଲା’ ବୋଲି ହାଇକୋର୍ଟ ଜାଣିବାକୁ ଚାହିଁଛନ୍ତି।
ଗୁରୁବାର ହାଇକୋର୍ଟ ବାର୍‌ ପକ୍ଷରୁ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହାକୁ ଗ୍ରହଣ କରି ଶୁକ୍ରବାର ହାଇକୋର୍ଟ କେନ୍ଦ୍ର, ରାଜ୍ୟ ସରକାରଙ୍କ ସମେତ ସିବିଆଇ ଏବଂ ଅନ୍ୟ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୬ ତାରିଖରେ ହେବ। ତେବେ ଏପଟେ ବୁଧବାରଠାରୁ ହାଇକୋର୍ଟ ବାର୍ ପକ୍ଷରୁ ଚାଲିଥିବା କାର୍ଯ୍ୟବନ୍ଦ  ଆନ୍ଦୋଳନ ଆଜି ସ୍ଥଗିତ ରହିଛି। ଅକ୍ଟୋବର ୧୯ରେ ବାର୍‌ ଆସୋସିଏସନ୍‌ର ବୈଠକ ବସିବ। ଏଥିରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା ହେବ।
ମଙ୍ଗଳବାର ରାତିରେ ସିବିଆଇର ଏକ ଟିମ୍ କଟକ କ୍ୟାଣ୍ଟନମେଣ୍ଟ ରୋଡସ୍ଥିତ ହାଇକୋର୍ଟ ଜଜ୍‌ ଚିତ୍ତରଞ୍ଜନ ଦାଶଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରିଥିଲେ। ଏଥିରେ ସୁରକ୍ଷାକର୍ମୀ ବାଧା ଦେଇଥଲେ। କ୍ୟାଣ୍ଟନମେଣ୍ଟ ପୋଲିସ ଘଟଣାସ୍ଥଳକୁ ଆସି ଜଜ୍‌ଙ୍କ ବାସଭବନରେ ପଶିବାକୁ ଉଦ୍ୟମ କରୁଥିବା ଅଧିକାରୀଙ୍କୁ ଥାନାକୁ ଆଣି ଛାଡି ଦେଇଥିଲେ। ଏହି ଘଟଣା ପ୍ରଚାରିତ ହେବା ପରେ ବୁଧବାର ହାଇକୋର୍ଟ ବାର୍ ପକ୍ଷରୁ ପ୍ରତିବାଦ କରାଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିଲା।
ଏହାପରେ କମିଶନରେଟ୍ ପୋଲିସ ପକ୍ଷରୁ ସିବିଆଇ ନାଁରେ କ୍ୟାଣ୍ଟନମେଣ୍ଟ ଥାନାରେ ମାମଲା ରୁଜୁ ହୋଇଥିଲା। ହାଇକୋର୍ଟ ବାର୍ ପକ୍ଷରୁ ଗୁରୁବାର ଓଡ଼ିଶା ହାଇକୋର୍ଟରେ ଏକ ଜନସ୍ୱାର୍ଥ ମାମଲା ରୁଜୁ ହୋଇଥିଲା। ଏହି ମାମଲାକୁ ଶୁକ୍ରବାର ହାଇକୋର୍ଟ ଗ୍ରହଣ କରି ସମସ୍ତ ପ୍ରତିପକ୍ଷରୁ ନୋଟିସ ଜାରି କରିଛନ୍ତି। କେନ୍ଦ୍ର ଗୃହ ସଚିବ, ସିବିଆଇ ଡାଇରେକ୍ଟର, ଆଇଜି, ଏସ୍‌ପି, କ୍ୟାଣ୍ଟନମେଣ୍ଟ ଥାନା ଅଧିକାରୀ ଏବଂ ହାଇକୋର୍ଟ ରେଜିଷ୍ଟ୍ରାରଙ୍କୁ ପକ୍ଷଭୁକ୍ତ କରାଯାଇଛି।

LEAVE A REPLY

Please enter your comment!
Please enter your name here