ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଅନୁଷ୍ଠିତ ହୋଇଛି ‘ହ୍ୱାଟ ଆଇ ଷ୍ଟାଣ୍ଡ  ଫର୍‌ ମିଟିଂ।’ ପ୍ରାର୍ଥୀ ଏବଂ ସମର୍ଥକମାନେ ଶୋଭାଯାତ୍ରାରେ କ୍ୟାମ୍ପସ୍‌କୁ ଆସି ନିଜ ପତିଆରା ଦେଖାଇଛନ୍ତି। ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି ପ୍ରାର୍ଥୀ। ତେବେ କେଉଁ ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଛାତ୍ରଛାତ୍ରୀଙ୍କୁ ପ୍ରଭାବିତ କରିଛି ତାହା ନିର୍ବାଚନ ଫଳାଫଳରୁ ଜଣାପଡିବ।

ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରଚାର ଶେଷ ହୋଇଛି। ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ’ରେ ପ୍ରାର୍ଥୀମାନେ ଛାତ୍ରଛାତ୍ରୀଙ୍କୁ ପ୍ରତିଶ୍ରୁତିରେ ପୋତି ପକାଇଛନ୍ତି। କ୍ୟାମ୍ପସରେ ରହିଥିବା ସମସ୍ୟା ସମାଧାନ କରିବାକୁ ପ୍ରାର୍ଥୀମାନେ ଭାଷଣ ଦେଇ ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିଛନ୍ତି। ଛାତ୍ର ସଂସଦ ନିର୍ବାଚନ ପାଇଁ ଅଜି ପ୍ରଚାର ଶେଷ ହୋଇଥିବାରୁ ପ୍ରାର୍ଥୀ ଏବଂ ତାଙ୍କ ସମର୍ଥକମାନେ କ୍ୟାମ୍ପସ୍‌କୁ ଦୁଲୁକାଇ ଦେଇଛନ୍ତି। ଶୁକ୍ରବାର ସନ୍ଧ୍ୟାରୁ ଏମାନେ ଶନିବାର ହେବାକୁ ଥିବା ଭୋଟ ପାଇଁ ପ୍ରସ୍ତୁତି ଚଳାଇଛନ୍ତି।
ଛାତ୍ର ଅଶାନ୍ତିକୁ ନେଇ ଭୁବନେଶ୍ୱରର ପ୍ରମୁଖ କ୍ୟାମ୍ପସ୍‌ ଉତ୍କଳ ବିଶ୍ୱବିଦ୍ୟାଳୟ ଏବଂ ବିଜେବି କଲେଜରେ ନିର୍ବାଚନ ବାତିଲ୍ ହୋଇଯାଇଛି। ଏବେ ସମସ୍ତଙ୍କ ନଜର ରମାଦେବୀ ବିଶ୍ୱବିଦ୍ୟାଳୟ ଉପରେ ରହିଛି। ଏହି ପ୍ରମୁଖ ବିଶ୍ୱବିଦ୍ୟାଳୟରେ ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ୩ ପ୍ରମୁଖ ଦଳର ଛାତ୍ର ଗୋଷ୍ଠୀ ଜୋରଦାର ଗୋଟି ଚାଳନା କରୁଛନ୍ତି।
‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍ ମିଟିଂ’ ପାଇଁ ରମାଦେବୀର ପ୍ରାର୍ଥୀମାନେ ଗୁରୁବାର ରାତିରୁ ବ୍ୟାପକ ପ୍ରସ୍ତୁତି କରିଥିଲେ। ଶୁକ୍ରବାର ପୂର୍ବାହ୍ନରୁ ଏହାର ଝଲକ ଦେଖିବାକୁ ମିଳିଛି। ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ବାଜା ବଜାଇ, ବାଣ ଫୁଟାଇ କ୍ୟାମ୍ପସକୁ ଆସିଛନ୍ତି। ବାଜାର ତାଳେତାଳେ ସମର୍ଥକମାନେ ନାଚି ଭୁବନେଶ୍ୱରର ରାଜରାସ୍ତାକୁ ଦୁଲୁକାଇ ଦେଇଛନ୍ତି। ଫ୍ଲାଇଙ୍ଗ୍ କାର୍ଡ ଏବଂ ପୁସିଂ କାର୍ଡ ଉଡାଇ ରାଲିକୁ ଆକର୍ଷଣୀୟ କରିଛନ୍ତି। ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍‌ ସଭା’ ମଞ୍ଚରେ ଭାଷଣ ଦେଇ ଛାତ୍ରୀମାନଙ୍କୁ ପ୍ରଭାବିତ କରିଛନ୍ତି।
ସମାନ ଦୃଶ୍ୟ ଭୁବନେଶ୍ୱରର କମଳାନେହେରୁ, ରାଜଧାନୀ ଏବଂ ଏକାମ୍ର କଲେଜରେ ଦେଖିବାକୁ ମିଳିଛି। ହ୍ୱାଟ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ ପାଇଁ ଆଜି ଭୁବନେଶ୍ୱରର ରାଜରାସ୍ତା ଜାମ୍‌ ହୋଇଯାଇଛି।
ସେହିପରି କଟକର ରେଭେନ୍ସା ଏବଂ ଏମ୍‌ ଏସ୍‌ ଲ’ କଲେଜରେ ନିର୍ବାଚନ ବାତିଲ ହେବା ପରେ ଏବେ ଛାତ୍ର ନେତାଙ୍କ ନଜର ଶୈଳବାଳା, ଜେକେବିକେ, ଇନ୍ଦିରା ଗାନ୍ଧୀ କଲେଜ ଉପରେ ପଡିଛି। ନିଜ ନିଜ ପ୍ରାର୍ଥୀଙ୍କୁ ଜିତାଇବା ଲାଗି ୩ ପ୍ରମୁଖ ଦଳର ଛାତ୍ର ନେତାମାନେ ଦିନ ରାତି ଏକ କରିଦେଇଛନ୍ତି। ତେବେ ଶୁକ୍ରବାର ହୋଇଥିବା ‘ହ୍ୱାଟ ଆଇ ଷ୍ଟାଣ୍ଡ ଫର୍‌ ମିଟିଂ’ରେ ପ୍ରାର୍ଥୀମାନେ ବାକ୍‌ଚାତୁରି ବଳରେ ଛାତ୍ରଛାତ୍ରୀମାନଙ୍କୁ ଆକୃଷ୍ଟ କରିଛନ୍ତି। ସମ୍ବଲପୁର, ଯାଜପୁର, ବ୍ରହ୍ମପୁର ଏବଂ ବାଲେଶ୍ୱରର ପ୍ରମୁଖ କ୍ୟାମ୍ପସରେ ଆଜି ପ୍ରଚାର ଶେଷ ହୋଇଛି। ସମସ୍ତେ ଶନିବାର ଅପରାହ୍ଣକୁ ଅପେକ୍ଷା କରିଛନ୍ତି।
ଶନିବାର ସକାଳ ୮ଟାରୁ ସମସ୍ତ କ୍ୟାମ୍ପସ୍‌ରେ ଭୋଟଦାନ ପ୍ରକ୍ରିୟା ଆରମ୍ଭ ହେବ। ଅପରାହ୍‌ଣ ୨ଟାରୁ ଗଣତି ଆରମ୍ଭ ହୋଇ ସନ୍ଧ୍ୟା ସୁଦ୍ଧା ଫଳାଫଳ ପ୍ରକାଶ ପାଇବ। ବିଜୟୀ ପ୍ରାର୍ଥୀମାନେ ସୋମବାର ଶପଥ ଗ୍ରହଣ କରିବେ।

Comment