ଓଡ଼ିଶାଲାଇଭ୍‌ ବ୍ୟୁରୋ

ସମୟ ପୂର୍ବରୁ ନିର୍ବାଚନ ବିଗୁଲ୍‌ ଫୁଙ୍କିପାରନ୍ତି ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ବିଜେପି ଅଧ୍ୟକ୍ଷ ଅମିତ ଶାହାଙ୍କ ଯୋଡ଼ି ଚମକାଇବା ଭଳି ନିଷ୍ପତ୍ତି ନେବାରେ ସିଦ୍ଧହସ୍ତ।
ବର୍ତ୍ତମାନ ଖବର ଆସୁଛି ୨୦୧୯ରେ ହେବାକୁ ଥିବା ସାଧାରଣ ନିର୍ବାଚନକୁ ଆଗୁଆ କରିଦିଆଯାଇପାରେ। ଏହାଦ୍ୱାରା ସାଧାରଣ ଲୋକଙ୍କ ଅସୁବିଧା ତ ନିଶ୍ଚିତ ହେବ। କିନ୍ତୁ ମୋଦି ଓ ଶାହା ଦିହେଁ ଏହି ନିଷ୍ପତ୍ତି ନେଇସାରିଛନ୍ତି ଏହା ଗୋଟିଏ ପ୍ରକାର ସ୍ପଷ୍ଟ।
ଏହି ଖବର ମଧ୍ୟ ଆସୁଛି ଯେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି ହେବ ଓ ଏହି ନୂଆ ଫର୍ମୁଲା ୨୦୧୮ରୁ ଲାଗୁ ହେବ।
ଗତମାସରେ ବିଜେପି ଶାସିତ ରାଜ୍ୟର ୧୩ ଜଣ ମୁଖ୍ୟମନ୍ତ୍ରୀ ଓ ୬ ଜଣ ଉପ-ମୁଖ୍ୟମନ୍ତ୍ରୀଙ୍କ ସହ ମୋଦି ଓ ଶାହାଙ୍କ ଯେଉଁ ବୈଠକ ବସିଥିଲା ସେହି ବୈଠକକୁ ଏହି ନିଷ୍ପତ୍ତିର ଅଂଶବିଶେଷ ଭାବରେ ଗ୍ରହଣ କରାଯାଉଛି।
ବିଜେପିରେ ସରକାର ଓ ଦଳୀୟ ସଙ୍ଗଠନ ସ୍ତରରେ ଯେଉଁଭଳି ବିଚାରବିମର୍ଷ ଚାଲିଛି ଓ ତୃଣମୂଳ ସ୍ତରରେ ବୁଥ୍ ସଜାଡ଼ିବା କାମକୁ ଶାହା ଯେଉଁଭଳି ଗୁରୁତ୍ୱ ଦେଇଛନ୍ତି ସେଥିରୁ ଏହି ସଙ୍କେତ ମିଳୁଛି ଯେ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ ନିର୍ବାଚନ ମଇଦାନକୁ ଦଳ ଓହ୍ଲାଇବ ଓ ସେଇଥପାଇଁ ଏଭଳି ଯାବତୀୟ ପ୍ରସ୍ତୁତି। ନିକଟରେ ଶାହାଙ୍କ ଓଡ଼ିଶା ଗସ୍ତରେ ଭୁବନେଶ୍ୱରରେ ଯେଉଁ ସଭା ଅନୁଷ୍ଠିତ ହୋଇଥିଲା ସେଥିରୁ ନିର୍ବାଚନ ଗନ୍ଧବାରି ହୋଇଯାଉଥିଲା।
ରାଜନୈତିକ ପାଣିପାଗ
ଏମିତି ତ ତାରିଖ ଅନୁସାରେ ଲୋକସଭା ନିର୍ବାଚନ ୨୦୧୯ ଜୁନ୍ ସୁଦ୍ଧା ହେବା ଦରକାର। କିନ୍ତୁ ବିଜେପି ସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ଚାହୁଁନାହିଁ। ୨୦୧୯ ବେଳକୁ ଦେଶର ରାଜନୀତିକ ସ୍ଥିତି କ’ଣ ଥିବ, ନିର୍ବାଚନ ପୂର୍ବରୁ କେଉଁ ଭଳି ଚାଲେଞ୍ଜ ଆସିବ, ତାହା କହିବା କଷ୍ଟ। କିନ୍ତୁ ୨୦୧୮ ବେଳକୁ ବିଜେପି ପାଇଁ ସେଭଳି କୌଣସି ଗୁରୁତ୍ୱପୂର୍ଣ୍ଣ ପରିସ୍ଥିତିର ସାମ୍ନା କରିବାକୁ ପଡ଼ିନପାରେ।
ଦଳର ତୁଙ୍ଗସ୍ତରରେ ଚିନ୍ତା କରାଯାଇଛି ଯେ ଗୋଟିଏ ବର୍ଷର କ୍ଷମତା ଲୋଭରେ ଯଦି ୨୦୧୯ ପର୍ଯ୍ୟନ୍ତ ନିର୍ବାଚନକୁ ଡେରି  କରାଯାଏ ତେବେ ହୱା କୁଆଡିକି ବୋହିବ ତାହା କହିବା କଷ୍ଟ। ଏଣୁ ଗୋଟିଏ ବର୍ଷର କ୍ଷମତାକୁ ହାତଛଡ଼ା କରି ଯଦି ଆଉ ପାଞ୍ଚ ବର୍ଷ କ୍ଷମତା ହାସଲ ହୋଇଯାଏ ଏଥିରେ କ୍ଷତି କ’ଣ?
ବିଜେପି  ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ରେ ଲୋକସଭା ଓ ବିଧାନସଭା ନିର୍ବାଚନ ଏକାଠି କରିବା ପାଇଁ ଚାହୁଁଛି। ଏହି ୩ ରାଜ୍ୟରେ ୨୦୧୮ ଡିସେମ୍ବରରେ ବିଧାନସଭା ନିର୍ବାଚନ ହେବା କଥା। ଯଦି ଏହା ପୂର୍ବରୁ ଲୋକସଭା ନିର୍ବାଚନ କରାଯାଏ, ସେଇ ତିନି ରାଜ୍ୟ ସରକାର ଏକାଠି ନିର୍ବାଚନକୁ ଯିବା ପାଇଁ ଇଛୁକ ହେବେ।
ଦଳ ଖୋଜୁଛି ଫାଇଦା
ଲୋକସଭା ନିର୍ବାଚନ ସହିତ ଯେତେବେଳେ ବିଧାନସଭା ନିର୍ବାଚନ ହୁଏ ସେହି ସମୟରେ ଭୋଟରମାନଙ୍କ ପାଇଁ ସ୍ଥାନୀୟ ପ୍ରସଙ୍ଗଗୁଡ଼ିକ ଗୌଣ ହୋଇଯାଇଥାଏ। ଜାତୀୟ ପ୍ରସଙ୍ଗ ଓ ସମସ୍ୟାକୁ ନେଇ ହିଁ ଭୋଟର ସେମାନଙ୍କ ମତ ସାବ୍ୟସ୍ତ କରିଥା’ନ୍ତି। ଏଣୁ ମୋଦି ଓ ଶାହା ଚିନ୍ତା କରିଛନ୍ତି ଯଦି ବି ମଧ୍ୟପ୍ରଦେଶ, ରାଜସ୍ଥାନ ଓ ଛତିଶଗଡ଼ ସରକାରଙ୍କ ବିରୁଦ୍ଧରେ ଲୋକଙ୍କ କ୍ରୋଧ ଥାଏ ତାହା ଏକାଠି ନିର୍ବାଚନ ହେଲେ ଉଭେଇ ଯାଇପାରେ।
ଆସିବ ନିର୍ବାଚନ ଯୋଜନା
ଲୋକସଭା ନିର୍ବାଚନକୁ ଆଖି ଆଗରେ ରଖି ମୋଦି ସରକାର ଆଗାମୀ ଦିନରେ ବେଶ୍ କିଛି ନିର୍ବାଚନୀ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି। ଖାସ୍ କରି ଗରିବ ଲୋକମାନଙ୍କ ପାଇଁ ଲୋଭନୀୟ କାର୍ଯ୍ୟକ୍ରମ ଘୋଷଣା କରିବାକୁ ଚିନ୍ତା ଚାଲିଛି।
ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଗରିବଙ୍କ ପାଇଁ ସୁଭ।ଗ୍ୟନାମକ ଏକ ନୂଆ ଯୋଜନା ପ୍ରସ୍ତୁତ କରାଯାଇଛି। ଏହି ଯୋଜନାରେ ପ୍ରତ୍ୟେକ ଗରିବ ଲୋକକୁ ସାମିଲ କରାଯିବ। ଏଥିରେ ପ୍ରତି ଗରିବ ଘରକୁ ରିହାତି ଦରରେ ବିଜୁଳି ଯୋଗାଇ ଦିଆଯିବ। ସୁଭ।ଗ୍ୟଯୋଜନା ଉଜ୍ଜ୍ୱଳା ଯୋଜନା ଭଳି, ଯେଉଁଥିରେ ଗରିବ ମହିଳାଙ୍କ ପାଇଁ ରିହାତି ଦରରେ ଗ୍ୟାସ ଦିଆଯାଇଥିଲା।
ଏହି ଖବର ମଧ୍ୟ ମିଳିଛି ଯେ ଗରିବ ଲୋକଙ୍କୁ ଆଖିରେ ରଖି ଲୋଭନୀୟ ଯୋଜନା ପ୍ରସ୍ତୁତ କରିବାକୁ ସବୁ ମନ୍ତ୍ରାଳୟକୁ କୁହାଯାଇଛି।

Comment