ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅସୁସ୍ଥ ହୋଇଯାଇଛନ୍ତି ବିଧାୟକ ପ୍ରଭାତ ବିଶ୍ୱାଳ। ଚିକିତ୍ସା ପାଇଁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପ୍ରଭାତଙ୍କ ରକ୍ତ ଚାପ ବଢ଼ିଯିବା ସହ ଦେହରେ କମ୍ପନ ସୃଷ୍ଟି ହୋଇଥିଲା। ଫଳରେ ଶୁକ୍ରବାର ରାତିରୁ ତାଙ୍କୁ କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।
ସିସୋର ଚିଟଫଣ୍ଡ ମାମଲାରେ ସଂପୃକ୍ତ ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ମଙ୍ଗଳବାର ଗିରଫ କରିଛି। ସିବିଆଇ କୋର୍ଟରେ ହାଜର କରି ସିସୋର ସମ୍ପର୍କରେ ଅଧିକ ଖୋଳତାଡ କରିବା ପାଇଁ ତାଙ୍କୁ ୫ ଦିନିଆ ରିମାଣ୍ଡରେ ନେଇଥିଲା। ହେଲେ ରିମାଣ୍ଡର ୪ର୍ଥ ଦିନରେ ଜେରା ଚାଲିଥିବା ବେଳେ ପ୍ରଭାତ ଅସୁସ୍ଥ ହୋଇ ଯାଇଥିଲେ। ଚିକିତ୍ସା ପାଇଁ କ୍ୟାପିଟାଲ ହସ୍ପିଟାଲରୁ ହୃଦରୋଗ ଏବଂ ଭେଷଜ ବିଶେଷଜ୍ଞ ଆସିଥିଲେ। ମାତ୍ର ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସିବିଆଇ ତାଙ୍କୁ ତରବରିଆ ଭାବେ କୋର୍ଟରେ ପୁଣି ହାଜର କରିଥିଲେ। ପ୍ରଭାତଙ୍କ ଓକିଲ କୋର୍ଟରେ ଜାମିନ୍‍ ଆବେଦନ କରିଥିଲେ। ତେବେ କୋର୍ଟ ଜାମିନ୍‍ ଆବେଦନ ଅଗ୍ରାହ୍ୟ କରିଦେବାରୁ ତାଙ୍କୁ ଝାରପଡା ଜେଲ୍‍ ପଠାଇ ଦେଇଥିଲା ସିବିଆଇ। ମାତ୍ର ଶୁକ୍ରବାର ରାତିରେ ପ୍ରଭାତଙ୍କ ସ୍ୱାସ୍ଥ୍ୟାବସ୍ଥା ଅଧିକ ବିଗିଡ଼ି ଯାଇଥିଲା। ଫଳରେ ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
ଏପଟେ ପ୍ରଭାତଙ୍କ ସହ ଟଙ୍କା କାରବାର କରିଥିବା ରାଜଲକ୍ଷ୍ମୀ ଜେନା ନାମ୍ନୀ ମହିଳାଙ୍କୁ ସିବିଆଇ ଜେରା କରିଛି। ଏନେଇ ଦୁଇ ଦିନ ତଳେ ସିବିଆଇ ରାଜଲକ୍ଷ୍ମୀଙ୍କୁ ସମନ କରିଥିଲା। ରାଜଲକ୍ଷ୍ମୀ ଏବଂ ପ୍ରଭାତଙ୍କୁ ମୁହାଁମହିଁ କରି ସିବିଆଇ ଅଧିକାରୀ ପଚରା ଉଚରା କରୁଥିବା ବେଳେ ପ୍ରଭାତ ଅସୁସ୍ଥ ହୋଇଯାଇଥିଲେ।
ଯାଜପୁର ବେଣାପୁର ମୌଜାରେ ସିସୋର ସହ ଜମି କିଣାବିକା କରିବା ଅଭିଯୋଗରେ ସିବିଆଇ ପ୍ରଭାତଙ୍କୁ ଗିରଫ କରିଛି। ତେବେ ଜେରା ବେଳେ ସିସୋର ସହ ପ୍ରଭାତଙ୍କର ଅନ୍ୟ କିଛି ସମ୍ପର୍କ ଥିଲା କି ନାହିଁ ତାହା ମଧ୍ୟ ଜାଣିବାକୁ ପାଇଛି। ସିସୋର କମ୍ପାନି ସିଏମ୍ଡିସ ପ୍ରଶାନ୍ତ ଦାଶଙ୍କ ଠାରୁ ଶ୍ରୀ ବିଶ୍ୱାଳ ବିଭିନ୍ନ ସମୟରେ ଆର୍ଥିକ ଅନୁକମ୍ପା ପାଇଛନ୍ତି। ସେହି ଅନୁକମ୍ପା ବଦଳରେ ପ୍ରଭାତ ସିସୋର ସାମ୍ରାଜ୍ୟକୁ କଟକରେ ବୃଦ୍ଧି କରିବାରେ ସହାୟକ ହୋଇଥିଲେ। ଫଳରେ ସିସୋର୍‍ କଟକରେ ଡାଇରି ଫାର୍ମ, ପାଣି ବୋତଲ ଫ୍ୟାକ୍ଟ୍ରି, ନୌକା ବିହାର ଆଦି ଖୋଲିବାରେ ସହାୟକ ହୋଇଥିଲା ବୋଲି
ସିବିଆଇ ସୂତ୍ରରୁ ଜଣାପଡିଛି। ସିସୋର ସିଏମ୍‌ଡି ପ୍ରଶାନ୍ତ ଦାଶ ଏବଂ ବିଧାୟକ ବିଶ୍ୱାଳଙ୍କ ମଧ୍ୟରେ କେଉଁମାନେ ମଧ୍ୟସ୍ଥତା କରିଥିଲେ ସେ ସମ୍ପର୍କରେ ସିବିଆଇ ଜେରା ବେଳେ ପଚରା ଉଚରା କରିଛି।

Comment