ଓଡ଼ିଶାଲାଇଭ୍ ବ୍ୟୁରୋ

ଦୁର୍ଗମ ଅଞ୍ଚଳ ଗର୍ଭବତୀ ମହିଳାଙ୍କ ପାଇଁ ଖୁସି ଖବର। ମେଡିକାଲ ଆସିବା ପାଇଁ ସେମାନଙ୍କୁ ମିଳିବ ଯାତାୟାତ ଖର୍ଚ୍ଚ। ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ‘ସମ୍ପୂର୍ଣ୍ଣା’ ଯୋଜନା ଶୁଭାରମ୍ଭ କରିଛନ୍ତି। ଜାତୀୟ ସ୍ୱାସ୍ଥ୍ୟ ମିଶନର ସମୀକ୍ଷା କରିବା ବେଳେ ମୁଖ୍ୟମନ୍ତ୍ରୀ ‘ସମ୍ପୂର୍ଣ୍ଣା’ର ଶୁଭାରମ୍ଭ କରିଛନ୍ତି।
ବହୁ ଦୁର୍ଗମ ଅଞ୍ଚଳରୁ ଗର୍ଭବତୀଙ୍କୁ ଖଟିଆ କିମ୍ବା କାନ୍ଧରେ ବୁହାଯାଇ ଅଣାଯାଉଥିବା ଖବର ପ୍ରଚାରିତ ହେବା ପରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା କାର୍ଯ୍ୟକାରୀ କରିଛନ୍ତି।
ଦୁର୍ଗମ ଅଞ୍ଚଳରୁ ମେଡ଼ିକାଲକୁ ଆସୁଥିବା ଗର୍ଭବତୀଙ୍କୁ ଏହି ଯୋଜନାରେ ୧୦୦୦ ଟଙ୍କା ପ୍ରଦାନ କରାଯିବ।
ଏହି ଯୋଜନାରେ ୭,୮୫୩ଟି ଗାଁ ଅନ୍ତର୍ଭୁକ୍ତ ହେବ। ପ୍ରତିବର୍ଷ ୬୦,୦୦୦ରୁ ଅଧିକ ଗର୍ଭବତୀ ମହିଳା ଉପକୃତ ହେବେ। ଏଥିପାଇଁ ୬ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ କରାଯିବ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି,”ଯେଉଁ ଅଞ୍ଚଳକୁ ୧୦୨, ୧୦୮ ଆମ୍ବୁଲାନ୍ସ କିମ୍ବା ଚାରି ଚକିଆ ଗାଡ଼ି ଯାଇପାରୁ ନାହିଁ ସେହି ଅଞ୍ଚଳର ଗର୍ଭବତୀଙ୍କୁ ଆର୍ଥିକ ସହାୟତା ଦେବା ପାଇଁ ସରକାର ଏହି ଯୋଜନା ପ୍ରଣୟନ କରିଛନ୍ତି।
ସେହିପରି ଆଶା କର୍ମୀଙ୍କ ପାଇଁ ସରକାର ‘ଆଶା କଲ୍ୟାଣ’ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନାରେ ପ୍ରତି ଆଶା କର୍ମୀଙ୍କୁ ମାସରେ ଅତି କମ୍‌ରେ ୧୦୦୦ ଟଙ୍କା ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ। ଏହି ଯୋଜନାରେ ୪୭,୦୦୦ରୁ ଅଧିକ ଆଶା କର୍ମୀ ଉପକୃତ ହେବେ। ତା’ଛଡ଼ା ୬୦ ବର୍ଷ ହେବା ପରେ ଅବସର ଗ୍ରହଣ କରିବା ସମୟରେ ଆଶା କର୍ମୀଙ୍କୁ ୧୦,୦୦୦ ଟଙ୍କାର ଏକକାଳୀନ ପାରିଶ୍ରମିକ ପ୍ରଦାନ କରାଯିବ।
ଜାତୀୟ ସ୍ୱାସ୍ଥ୍ୟ ମିଶନ୍ (ଏନ୍‌ଏଚ୍‌ଏମ୍) କର୍ମଚାରୀ କଲ୍ୟାଣ ପାଣ୍ଠି ମଧ୍ୟ ସରକାର ଆରମ୍ଭ କରିଛନ୍ତି।
ସ୍ବାସ୍ଥ୍ୟ ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି,”ସରକାର ଦୁର୍ଗମ ଅଞ୍ଚଳବାସୀଙ୍କ ସ୍ୱାସ୍ଥ୍ୟସେବା ପ୍ରତି ଯତ୍ନବାନ ଅଛନ୍ତି। ସେମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ପ୍ରଦାନ କରିବା ପାଇଁ ସରକାର ବହୁ ପଦକ୍ଷେପ ନେଉଛନ୍ତି। ଆଗାମୀ ଦିନରେ ଥାଲାସେମିଆ, ସିକଲ୍‌ସେଲ୍‌ ଓ ହେମଫୁଲିଆରେ ଆକ୍ରାନ୍ତ ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ପ୍ରଯତ୍ନ କେନ୍ଦ୍ର ସ୍ଥାପନ କରାଯିବ।”
ଏନ୍‌ଏଚ୍‌ଏମ୍‌ ଅଧିନରେ କାମ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନେ କାର୍ଯ୍ୟରତ ଥିବା ବେଳେ ପ୍ରାଣ ହରାଇଲେ କିମ୍ବା ୮୦ ପ୍ରତିଶତରୁ ଅଧିକ ଅକର୍ମଣ୍ୟ ହୋଇଗଲେ ସେମାନେ ୬ ଲକ୍ଷ ଟଙ୍କା କ୍ଷତିପୂରଣ ପାଇବେ।

Comment