ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅମିତ ଶାହାଙ୍କ ଗଣିତକୁ ଚନ୍ଦନ ମିତ୍ରଙ୍କ ଚ୍ୟାଲେଞ୍ଜ
  • ଚନ୍ଦନ ମିତ୍ରଙ୍କ ଲେଖାକୁ ନେଇ ବିଜେପିରେ ହଇଚଇ
  • ବିଜେଡିର ସ୍ୱାଗତ, ବିଜେପି କହିଲା ପ୍ରୟୋଜିତ
ଏକ ପ୍ରମୁଖ ଜାତୀୟ ଇଂରାଜୀ ଖବରକାଗଜ ‘ହିନ୍ଦୁସ୍ତାନ ଟାଇମ୍ସ’ରେ ବିଜେପିର ବରିଷ୍ଠ ନେତା ତଥା ବିଜେପିର ପୂର୍ବତନ ଓଡ଼ିଶା ପ୍ରଭାରୀଙ୍କ ଏକ ଲେଖା ପ୍ରକାଶ ପାଇବା​‌ ପରେ ରାଜ୍ୟର ରାଜନୈତିକ ମାହୋଲ ଉଷ୍ମ ହୋଇଛି।
ଏହି ଲେଖାରେ ଚନ୍ଦନ ମିତ୍ର ଓଡ଼ିଶାରେ ୨୦୧୯ ନିର୍ବାଚନରେ ବିଜେଡିକୁ ହରାଇବା ସହଜ ନୁହେଁ କହି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କୁ ସିଧା ଚ୍ୟାଲେଞ୍ଜ ଦେଇଛନ୍ତି।
ନିକଟରେ ଓଡ଼ିଶା ଗସ୍ତରେ ଆସି ଅମିତ ଶାହା ଦୃଢୋକ୍ତି ପ୍ରକାଶ କରିଥିଲେ ଯେ ରାଜ୍ୟରେ ୧୨୦ରୁ ଅଧିକ ଆସନରେ ବିଜେପି ଜିତି ସରକାର ଗଢିବ। ଅର୍ଥାତ ଅମିତ ଶାହା ଏହି ବାର୍ତ୍ତା ଦେବାକୁ ଚାହୁଁଥିଲେ ଯେ ବିଜେଡିକୁ ଆସନ୍ତା ନିର୍ବାଚନରେ ଏକପ୍ରକାର ଧୂଳିସାତ କରିଦେବ ବିଜେପି।
ତେବେ ବିଜେପି ଅନ୍ୟତମ ବରିଷ୍ଠ ନେତା ଚନ୍ଦନ ମିତ୍ର ତାଙ୍କ ଲେଖାରେ ଅମିତ ଶାହାଙ୍କ ୧୨୦ ପ୍ଲସ ସ୍ଳୋଗାନ ଉପରେ ସନ୍ଦେହର ଚାଦର ଢାଙ୍କି ଦେଇଛନ୍ତି।
ଏହି ଲେଖାରେ ଚନ୍ଦନ ମିତ୍ର ସୂଚେଇ ଦେଇଛନ୍ତି ଯେ ଜାତି ଧ୍ରୁବୀକରଣ କରି ଉତ୍ତର ଓ ପଶ୍ଚିମ ଭାରତରେ ନିର୍ବାଚନ ଜିତିବା ପାଇଁ ବିଜେପି ଯେପରି ରଣନୀତି କରୁଛି, ପୂର୍ବ ଭାରତର ଦୁଇ ପ୍ରମୁଖ ରାଜ୍ୟ ପଶ୍ଚିମବଙ୍ଗ ଓ ଓଡ଼ିଶା କ୍ଷେତ୍ରରେ ସେହି ରଣନୀତି କାମ କରିବନାହିଁ।
ଏହାର କାରଣ ଉଲ୍ଲେଖ କରି ଚନ୍ଦନ ମିତ୍ର ଲେଖିଛନ୍ତି, ଏହି ଦୁଇ ରାଜ୍ୟରେ ଦୁଇ ପ୍ରଭାବଶାଳୀ ରାଜନେତା ମମତା ବାନାର୍ଜୀ ଏବଂ ନବୀନ ପଟ୍ଟନାୟକଙ୍କୁ ସାମନା କରିବ ବିଜେପି। ସେ କହିଛନ୍ତି, ଦୁଇ ନେତା କିଛି ବିବାଦରେ ଛନ୍ଦି ହୋଇଛନ୍ତି ସତ, ହେଲେ ଦୀର୍ଘଦିନ କ୍ଷମତାରେ ରହିବା ପରେ ବି ସେମାନଙ୍କ ଲୋକପ୍ରିୟତା ହ୍ରାସ ପାଇନାହିଁ।
ଚନ୍ଦନ ମିତ୍ର ଆହୁରି ମଧ୍ୟ ଲେଖିଛନ୍ତି ବିଜେଡି ଦୀର୍ଘଦିନ ଧରି ଏନଡିଏରେ ଅଂଶୀଦାର ଥିଲା, ହେଲେ ୨୦୦୯ରେ ଏକଲା ଚଲୋ ନୀତିରେ ବିଜେପି ସହ ମେଣ୍ଟ ଭାଙ୍ଗି ନିର୍ବାଚନ ମଇଦାନକୁ ଓହ୍ଲାଇ ବିପୁଳ ଜନସମର୍ଥନ ପାଇଥିଲା। ୨୦୧୪ରେ ସାରା ଦେଶରେ ଯେତେବେଳେ ମୋଦିଙ୍କ ଲହରି ଦେଖିବାକୁ ମିଳିଥିଲା, ସେତେବେଳେ ମଧ୍ୟ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଆଗରେ ଓଡ଼ିଶାରେ ମୋଦିଙ୍କ କ୍ରେଜ୍ ଫିକା ପଡିଯାଇଥିଲା।
ଚନ୍ଦନ ଲେଖିଛନ୍ତି, ଓଡ଼ିଶାରେ ବିଜେପିର ଭୋଟ ହାର ବୃଦ୍ଧି ପାଇଛି ସତ, ହେଲେ ବିଜେଡିର ବିକଳ୍ପ ଭାବେ ଛିଡ଼ା ହୋଇପାରିନି ବିଜେପି। ଏଠାରେ ଜାତି ଓ ଧର୍ମ କେବେ ବି ନିର୍ବାଚନକୁ ପ୍ରଭାବିତ କରିପାରିନାହିଁ। ତେଣୁ ବିଜେପିର ଉତ୍ତର ଭାରତର ନିର୍ବାଚନୀ ଫର୍ମୁଲା ଓଡ଼ିଶାରେ କାମ କରିବ ନାହିଁ ବୋଲି ଚେତାଇ ଦେଇଛନ୍ତି ଚନ୍ଦନ ମିତ୍ର। ବିଜେଡିକୁ ହରାଇବା ବିଜେପି ପକ୍ଷରେ ସହଜ ହେବ ନାହିଁ ବୋଲି ଆଶଙ୍କା ପ୍ରକାଶ କରିଛନ୍ତି ବିଜେପିର ଏହି ବରିଷ୍ଠ ନେତା।
ଚନ୍ଦନ ମିତ୍ରଙ୍କ ଲେଖାକୁ ନେଇ ଚଲଚଲ ହୋଇଛି ରାଜ୍ୟ ରାଜନୀତି। ବିଜେଡି ଏହାକୁ ସ୍ୱାଗତ କରିଛି। ବିଜେଡି କହିଛି, ଯେହେତୁ ଚନ୍ଦନ ମିତ୍ର ବିଜେପିର ଓଡ଼ିଶା ପ୍ରଭାରୀ ରହିଥିଲେ, ସେ ସ୍ଥିତିକୁ ଠିକ୍‌ ଭାବେ ଆକଳନ କରିଛନ୍ତି। ହେଲେ ଚନ୍ଦନଙ୍କ ଯୁକ୍ତିକୁ ମାନିବାକୁ ରାଜ୍ୟ ବିଜେପି ନାରାଜ। ଚନ୍ଦନ ମିତ୍ରଙ୍କ ଏହି ଲେଖାକୁ ପ୍ରାୟୋଜିତ ବୋଲି କହିଛନ୍ତି ରାଜ୍ୟ ବିଜେପି ନେତା। ଓଡ଼ିଶା କଥା ନଭାବି ନିଜ ରାଜ୍ୟ କଥା ଭାବିବାକୁ ପରାମର୍ଶ ଦେଇଛି ବିଜେପି।
ଅବଶ୍ୟ ଏହି ଲେଖାକୁ ନେଇ ରାଜନୈତିକ ଦୃଷ୍ଟିକୋଣରୁ ବିଜେଡି ଓ ବିଜେପି ନେତା ବୟାନବାଜି କରିବା ସ୍ୱାଭାବିକ। ତେବେ ଚନ୍ଦନ ମିତ୍ର ବିଜେପି ସଂଗଠନ ପାଇଁ ଓଡ଼ିଶାରେ କାମ କରିଥିବାରୁ ତାଙ୍କ ଲେଖାର ଯଥେଷ୍ଠ ଗୁରୁତ୍ୱ ରହିଛି। ଚନ୍ଦନ ମିତ୍ର ହେଉଛନ୍ତି ସେହି ନେତା ଯିଏ ୨୦୦୯ରେ ବିଜେଡି – ବିଜେପି ମେଣ୍ଟକୁ ରକ୍ଷା କରିବା ପାଇଁ ପାରୁପର୍ଯ୍ୟନ୍ତ ଉଦ୍ୟମ କରିଥିଲେ।
ତେଣୁ ବିଜେପିକୁ ସେ ଯେଉଁ ପରାମର୍ଶ ଦେଇଛନ୍ତି ତାହା ସବୁଠୁ ଗୁରୁତ୍ୱପୂର୍ଣ୍ଣ। ଯେହେତୁ ଜାତି ଓ ଧର୍ମକୁ ନେଇ ରାଜନୀତି ଓଡ଼ିଶାରେ ଚଳିବ ନାହିଁ, ଏଠାରେ ବିଜେପିକୁ ତା’ର ଉତ୍ତର ଭାରତ ନିର୍ବାଚନ ରଣନୀତି ବଦଳାଇବାକୁ ପଡିବ। ନୂଆ ଆଭିମୁଖ୍ୟ ନେଇ ବିଜେଡି ସହ ମୁକାବିଲା କରିବାକୁ ପଡିବ।

Comment