ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନକୁ ନେଇ ଚାଲିଛି ଟଣାଟଣି ରାଜନୀତି। ବିଜେଡି ଦିବଙ୍ଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ‘ରୀତା ସାହୁ’ଙ୍କୁ ଆମଦାନୀ କରି ପ୍ରାର୍ଥୀ କରିବାକୁ ସଜବାଜ ହୋଇଥିବା ବେଳେ ବିଜେଡିର ପୂର୍ବତନ ବିଧାୟକ ‘ଅଶୋକ ପାଣିଗ୍ରାହୀ’ଙ୍କୁ ଦଳକୁ ଆଣିବା ଲାଗି ବିଜେପି କସରତ ଆରମ୍ଭ କରିଛି। ଏହି ଦୁଇ ଦଳର ଗୋଟି ଚାଳନାରେ କଂଗ୍ରେସ ପଛରେ ପଡ଼ି ଯାଇଛି।
“ବିଜେପୁରରୁ ‘ମୁଁ ଲଢ଼ିବି’। ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି। ବିଜେପୁରର ବିକାଶ ଧାରାକୁ ଆଗକୁ ନେବି” – ଏହା କହିଛନ୍ତି ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁ।”
ବିଜେଡିରେ ସାମିଲ୍ ହେବା ପରେ ରୀତାଙ୍କ ଏହି ବିବୃତି ରାଜ୍ୟ ରାଜନୀତିରେ କମ୍ପନ ସୃଷ୍ଟି କରିଛି। ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ବିଜେଡି ବିଜେପୁର ନିର୍ବାଚନ ମଇଦାନକୁ ରୀତାଙ୍କୁ ଛାଡି କଂଗ୍ରେସ ଏବଂ ବିଜେପିକୁ ଚ୍ୟାଲେଞ୍ଜ ଦେଇଛି। ତେବେ ବିଜେପି ରୀତାଙ୍କୁ ଟକ୍କର ଦେବା ପାଇଁ ଅନ୍ୟ ଦଳରୁ ପ୍ରାର୍ଥୀ ଆମଦାନୀ କରିବ ବୋଲି କୁହାଯାଉଛି। ଏହି ତାଲିକାରେ ୨୦୦୦ରେ ବିଜେଡି ପ୍ରାର୍ଥୀ ହୋଇଥିବା ଅଶୋକ ପାଣିଗ୍ରାହୀଙ୍କ ଉପରେ ବିଜେପି ନଜର ପକାଇଛି। ହେଲେ କଂଗ୍ରେସ ଏପର୍ଯ୍ୟନ୍ତ ସ୍ଥିତି ସୁଧାରିବା ପାଇଁ ପ୍ରକ୍ରିୟା ଆରମ୍ଭ କରିନି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ ନିର୍ବାଚନ ହେଉଛି ସବୁ ଦଳ ପାଇଁ ଏସିଡ୍ ଟେଷ୍ଟ। ଏଣୁ ବିଜେପୁର କବ୍‌ଜା କରିବା ଲାଗି ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି। ତେବେ ବିଜେଡି ଅନ୍ୟ ଦୁଇ ଦଳ କଂଗ୍ରେସ ଏବଂ ବିଜେପିଠାରୁ ଗୋଟିଏ ପାଦ ଆଗରେ ରହିଥିବା ମନେ ହେଉଛି। ସୁବଳ ସାହୁଙ୍କ ପରିବାରକୁ ଦଳରେ ସାମିଲ କରି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଗୁଗୁଲି ଛାଡିଛନ୍ତି। ରୀତାଙ୍କୁ ପ୍ରାର୍ଥୀ କରି ଦଳ ଅନୁକମ୍ପା ଭୋଟ ପାଇବା ସହ କିଛି କଂଗ୍ରେସ ଭୋଟ ହାତେଇବାକୁ ଗୋଟି ଚାଳନା କରିଛି।
ସେହିପରି ବିଜେପି ମଧ୍ୟ ବିଜେପୁରକୁ ନେଇ ଅଙ୍କ କଷୁଛି। ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ନେବା ପାଇଁ ଜୋରସୋର ଉଦ୍ୟମ ଚଳାଇଛି। ଏନେଇ ଅଶୋକ ମଧ୍ୟ ବିଜେପିକୁ ଇସାରା ଦେଇଛନ୍ତି। ଅଶୋକ ବିଜେପି-ବିଜେଡି ମେଣ୍ଟ ସରକାର ବେଳେ ୨୦୦୦ରେ ବିଜେପୁରରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ଏହାପରଠୁ ଏହି ଆସନକୁ କଂଗ୍ରେସ ବିଧାୟକ ସୁବଳ ସାହୁ କବ୍‌ଜା କରି ନେଇଥିଲେ। ଏବେ ଯଦି ବିଜେପି ପୁଣି ଅଶୋକଙ୍କୁ ଆପଣାଇ ନିଏ ତାହାଲେ ବିଜେଡି ପାଇଁ ଚାଲେଞ୍ଜ ହେବ ବୋଲି ଚର୍ଚ୍ଚା ହେଉଛି।
ଅଶୋକଙ୍କ ପାଇଁ ହାରିଥିଲେ ପ୍ରସନ୍ନ ଆଚାର୍ଯ୍ୟ
୨୦୧୪ରେ ସୁବଳ ସାହୁଙ୍କୁ ପରାଜିତ କରିବା ପାଇଁ ବିଜେଡିର ହେଭିୱେଟ୍ ନେତା ପ୍ରସନ୍ନ ଆଚାର୍ଯ୍ୟ ହୋଇଥିଲେ ପ୍ରାର୍ଥୀ। ତେବେ ଶ୍ରୀ ଆଚାର୍ଯ୍ୟ ଏହି ଆସନରୁ ଜିତବେ ବୋଲି ବିଜେଡି ନେତା ଧରି ନେଇଥିଲେ। କିନ୍ତୁ ଅଶୋକ ପାଣିଗ୍ରାହୀ ବିଦ୍ରୋହୀ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବାରୁ ୧୯ ହଜାରରୁ ଊର୍ଦ୍ଧ୍ୱ ଭୋଟ ପାଇବାରୁ ଶ୍ରୀ ଆଚାର୍ଯ୍ୟଙ୍କୁ ପରାଜିତ ହେବାକୁ ପଡିଥିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡି ଅଶୋକଙ୍କୁ ବହିଷ୍କାର କରିଥିଲା।
ଏବେ ବିଜେଡିର ବହିଷ୍କୃତ ନେତା ଅଶୋକଙ୍କୁ ପ୍ରାର୍ଥୀ କରିବାକୁ ଅଙ୍କ କଷୁଛି। କାରଣ ଗତ ପଞ୍ଚାୟତ ନିର୍ବାଚନରେ ବିଜେପୁରରେ ବିଜେପୁରର ସ୍ଥିତି ମଜଭୁତ ରହିଥିଲା। ୭ଟି ଜିଲ୍ଲାପରିଷଦ ଜୋନରୁ ବିଜେପି ୬ଟି ଅକ୍ତିଆର କରିଥିଲା। ଏହାକୁ ନେଇ ବିଜେପି କର୍ମୀ ପୂରା ଜୋସ୍‌ରେ ଅଛନ୍ତି। ବିଜେଡି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ଆଣି ବିଜେପି ରୀତା ସାହୁଙ୍କୁ ଟକ୍କର ଦେବ ବୋଲି ଅଙ୍କ କଷୁଛି।

 

Comment