ଓଡ଼ିଶାଲାଇଭ୍‌‍ ବ୍ୟୁରୋ

ସମ୍ବଲପୁର ପ୍ରେସ୍ କ୍ଲବ୍‌‍ରେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା ଏକ ଗୁଗୁଲି ଛାଡ଼ିଛନ୍ତି। କହିଛନ୍ତି ‘ଯଦି ତାଙ୍କୁ ସୁଯୋଗ ମିଳେ ତାହାଲେ ସେ ସମ୍ବଲପୁରର ସେବା କରିବେ’।
ଏହି ଧାଡିଏ କଥାକୁ ନେଇ ରାଜ୍ୟ ରାଜନୀତିରେ ଏବେ ହଟଚମଟ ସୃଷ୍ଟି ହୋଇଛି। ବୈଜୟନ୍ତ କେନ୍ଦ୍ରାପଡ଼ା ଛାଡି ସମ୍ବଲପୁର ମୁହାଁ ହୋଇଛନ୍ତି ବୋଲି ରାଜନୀତି କରିଡ଼ରରେ ଚର୍ଚ୍ଚା ହେଉଛି। ଯେଉଁଥିପାଇଁ ସେ ସମସ୍ତଙ୍କ ଉପସ୍ଥିତିରେ ଉପରୋକ୍ତ ମନ୍ତବ୍ୟ ଦେଇଛନ୍ତି ବୋଲି ଚର୍ଚ୍ଚା ହେଉଛି।
ରାଜନୀତି କରିଡରରେ ‘ଜୟ ପଣ୍ଡା’ଙ୍କ ମନ୍ତବ୍ୟକୁ ନେଇ ଝଡ଼ ସୃଷ୍ଟି ହେବା ପରେ ରବିବାର ସେ ନିଜେ ଟ୍ୱିଟ କରିଛନ୍ତି। କହିଛନ୍ତି “ଆଗାମୀ ନିର୍ବାଚନରେ ମୁଁ କେଉଁଠୁ ପ୍ରାର୍ଥୀ ହେବି ତାହା ଦଳ ଏବଂ ଲୋକମାନଙ୍କ ଉପରେ ନିର୍ଭର କରୁଛି। ଓଡ଼ିଶାର ବିକାଶ ପାଇଁ କାମ କରିବି ।”
ଟ୍ୱିଟରେ ‘ଜୟ ପଣ୍ଡା’ କେନ୍ଦ୍ରାପଡା ଲୋକଙ୍କୁ ପ୍ରଶଂସା କରିବାକୁ ମଧ୍ୟ ଭୁଲିନାହାନ୍ତି। କେନ୍ଦ୍ରାପଡାବାସୀଙ୍କ ସ୍ନେହ, ଶ୍ରଦ୍ଧା ଯୋଗୁଁ ମୁଁ ଲୋକସଭାରେ ପ୍ରତିନିଧିତ୍ୱ କରିବାର ସୁଯୋଗ ପାଇଛି ବୋଲି ସେ ଉଲ୍ଲେଖ କରିଛନ୍ତି ।
ଏହାକୁ ନେଇ କିନ୍ତୁ ରାଜନୀତି ଶିବିରରେ କମ୍ପନ ସୃଷ୍ଟି ହୋଇଛି। ସମ୍ବଲପୁର ପ୍ରେସ୍ କ୍ଲବରେ ବୈଜୟନ୍ତ ଦେଇଥିବା ମନ୍ତବ୍ୟକୁ ବିଜେପି ସମର୍ଥନ କରିଛି।
ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଛନ୍ତି, “ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବୈଜୟନ୍ତ ପଣ୍ଡା ପରୋକ୍ଷରେ ଜଣାଇ ଦେବାକୁ ଚାହିଁଛନ୍ତି ଯେ, ସେ ଯେଉଁଠୁ ଛିଡ଼ା ହେବେ ପ୍ରାର୍ଥୀ ହେବେ ଏବଂ ଜିତିବେ।”
କଂଗ୍ରେସ ନେତା ସୁରେଶ ରାଉତରାୟ କହିଛନ୍ତି, “ବୈଜୟନ୍ତ ହେଉଛନ୍ତି ଯୋଗ୍ୟ ପ୍ରାର୍ଥୀ। ଏଣୁ ସେ ଯେଉଁଠୁ ଛିଡା ହେବେ ସେଇଠୁ ଜିତିବେ।”
ଶନିବାର ସମ୍ବଲପୁର ପ୍ରେସ୍ କଲବ ପକ୍ଷରୁ ଆୟୋଜିତ ଏକ ସଭାରେ ସାଂସଦ ବୈଜୟନ୍ତ ପଣ୍ଡା ଅତିଥି ଭାବେ ଯୋଗ ଦେଇଥିଲେ। ଏହି ସଭାରେ ତାଙ୍କୁ ଯଦି ସୁଯୋଗ ମିଳେ ସେ ସମ୍ବଲପୁରର ସେବା କରିବେ ବୋଲି କହିଥିଲେ।
ବିଜେଡି ‘ହରତାଲ’ ଦିନ ବୈଜୟନ୍ତ ଟ୍ୱିଟ କରି ଦଳ ଭିତରୁ ବିରୋଧର ସ୍ୱର ଉତ୍ତୋଳନ କରିଥିଲେ। ୨୦୧୦ର ବିଜେଡି ୨୦୧୭ରେ ନାହିଁ ବୋଲି ଉଲ୍ଲେଖ କରିଥିଲେ। ୨୦୦୦ ମସିହାରେ ‘ଏନ୍ପି’ଙ୍କୁ ସହଯୋଗ କରି ସେ ଯେଉଁ ଦଳ ଗଢ଼ିଥିଲେ ତାହା ଏବେ ସେହି ଦଳ ନୁହେଁ ବୋଲି ଟ୍ୱିଟରେ କ୍ଷୋଭ ପ୍ରକାଶ କରିଥିଲେ।
ଏହି ଟ୍ୱିଟ ପରେ ସମ୍ବଲପୁରର ଏକ କାର୍ଯ୍ୟକ୍ରମରେ ଉପରୋକ୍ତ ମନ୍ତବ୍ୟ ଦେବା ଘଟଣାକୁ ରାଜନୀତି ପର୍ଯ୍ୟବେକ୍ଷକ ଭିନ୍ନ ଦୃଷ୍ଟିରେ ଦେଖୁଛନ୍ତି। ଆଗାମୀ ଦିନରେ ରାଜ୍ୟ ରାଜନୀତିରେ କିଛି ଓଲଟପାଲଟ ହୋଇପାରେ ବୋଲି ଚର୍ଚ୍ଚା ଜୋର୍ ଧରିଛି।

LEAVE A REPLY

Please enter your comment!
Please enter your name here