ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନ ପାଇଁ ବିଜେଡି ତା’ର ପ୍ରାର୍ଥୀ ଘୋଷଣା କରିଛି। କିଛିଦିନ ତଳେ ମୃତ୍ୟୁବରଣ କରିଥିବା କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବାକୁ ଦଳ ସ୍ଥିର କରିଛି। ଆଜି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି।
ନିକଟରେ ରୀତା ସାହୁ ଭୁବନେଶ୍ୱର ଆସି ନବୀନ ବାବୁଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଥିଲେ। ସେ ଗଣମାଧ୍ୟମକୁ କହିଥିଲେ ଯେ “ବିଜେପୁରରୁ ‘ମୁଁ ଲଢ଼ିବି’। ସ୍ୱାମୀଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବି। ବିଜେପୁରର ବିକାଶ ଧାରାକୁ ଆଗକୁ ନେବି”।
କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଆକସ୍ମିକ ବିୟୋଗ ପରେ ଏହି ଆସନ ଖାଲି ପଡ଼ିଛି। ବିଜେପୁର ଏବେ ଶାସକ ବିଜେଡି ସମେତ ବିରୋଧୀ ବିଜେପି ଏବଂ କଂଗ୍ରେସ ପାଇଁ ମର୍ଯ୍ୟାଦାର ପ୍ରଶ୍ନ ହୋ‍ଇଛି। ହେଲେ କଂଗ୍ରେସ ବିଧାୟକଙ୍କ ପରିବାରକୁ ବିଜେଡିରେ ଯୋଗଦେବା ପାଇଁ ପ୍ରଭାବିତ କରି ବିଜେଡି ବାଜିମାରି ନେଇଛି।
ବରଗଡ଼ର ଛାମୁଆ ନେତା ତଥା ମନ୍ତ୍ରୀ ସୁଶାନ୍ତ ସିଂ କିଛିଦିନ ତଳେ ଗଣମାଧ୍ୟମକୁ କହିଥିଲେ ଯେ ଯଦି ସୁବଳଙ୍କ ପରିବାର ବିଜେଡିରେ ଯୋଗଦେବାକୁ ଚାହାନ୍ତି, ଦଳ ସେମାନଙ୍କୁ ସ୍ୱାଗତ କରିବ। ବିଜେଡିରେ ରୀତା ସାହୁଙ୍କ ଯୋଗଦାନ ଏବଂ ତାଙ୍କୁ ଦଳ ପକ୍ଷରୁ ଉପନିର୍ବାଚନରେ ପ୍ରାର୍ଥୀ କରାଇବା ପଛରେ ହୋ‍ଇଥିବା ରାଜନୈତିକ ଗୋଟିଚାଳନାରେ ସୁଶାନ୍ତଙ୍କର ପ୍ରମୁଖ ଭୂମିକା ରହିଛି। ଅନୁକମ୍ପା ଭୋଟ୍‌କୁ ତାକତ କରି ବିଜେଡି କଂଗ୍ରେସର ପତିଆରାକୁ ଭାଙ୍ଗି ବିଜେପୁର ଦଖଲ କରିବ ବୋଲି ଦଳ ଯୋଜନା କରିଛି।
୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ-ନିର୍ବାଚନ ହେଉଛି ସବୁ ଦଳ ପାଇଁ ଏସିଡ୍ ଟେଷ୍ଟ। ଏଣୁ ବିଜେପୁର କବ୍‌ଜା କରିବା ଲାଗି ସବୁ ଦଳ ପ୍ରାଣମୂର୍ଚ୍ଛା ଉଦ୍ୟମ କରୁଛନ୍ତି।
ବିଜେଡି-ବିଜେପି ମେଣ୍ଟ ସରକାର ବେଳେ ୨୦୦୦ ନିର୍ବାଚନରେ ଅଶୋକ ପାଣିଗ୍ରାହୀ ବିଜେପୁରରୁ ବିଜେଡି ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ତେବେ ପରବର୍ତ୍ତୀ ନିର୍ବାଚନଠାରୁ ଏହି ଆସନକୁ କଂଗ୍ରେସ ବିଧାୟକ ସୁବଳ ସାହୁ କବ୍‌ଜା କରି ନେଇଥିଲେ। ତେବେ ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ କରୁଥିବାରୁ ବିଜେପି ଓ କଂଗ୍ରେସ କାହାକୁ ବାଛିବେ ତାହା ଗୁରୁତ୍ୱପୂର୍ଣ୍ଣ। କାଉଣ୍ଟର ଷ୍ଟ୍ରାଟର୍ଜି ଭାବେ ଏବେ ବିଜେଡିର ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କୁ ବିଜେପି ନେବା ପାଇଁ ଉଦ୍ୟମ ଚଳାଇଛି। ଏନେଇ ଅଶୋକ ମଧ୍ୟ ବିଜେପିକୁ ଇସାରା ଦେଇଛନ୍ତି। ଆଗକୁ ଲଢେଇ ଜମିବ।

LEAVE A REPLY

Please enter your comment!
Please enter your name here