ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ଉପ-ନିର୍ବାଚନକୁ ନେଇ ରାଜନୀତି ପାଣିପାଗ ଉଷ୍ମ ହୋଇଛି। ସୁବଳ ସାହୁଙ୍କ ସ୍ତ୍ରୀ ‘ରୀତା ସାହୁ’ଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରାଯିବା ପରେ ରାଜ୍ୟ ରାଜନୀତିରେ ବୟାନବାଜି ଆରମ୍ଭ ହୋଇଛି। ଏହି ବୟାନବାଜିକୁ ସବୁଠୁ ଗରମ୍ କରିଛି ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀଙ୍କ ଚିଠି। ରୀତା ସାହୁଙ୍କୁ ପ୍ରାର୍ଥୀ ଘୋଷଣା କରାଯିବା ପରେ ଅଶୋକ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଖୋଲା ଚିଠି ଲେଖି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।
ଅଶୋକ ପାଣିଗ୍ରାହୀ ଚିଠିରେ ଉଲ୍ଲେଖ କରିଛନ୍ତି ଯେ, “କ୍ଷୁଦ୍ର ରାଜନୈତିକ ସ୍ୱାର୍ଥ ପାଇଁ ରୀତା ସାହୁଙ୍କୁ ପ୍ରାର୍ଥୀ କରାଯାଇଛି। ବିଜେଡି ବିରୋଧୀଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିଜୁପ୍ରେମୀଙ୍କୁ କଷ୍ଟ ଦେଇଛି। ଏଣୁ ଏପରିସ୍ଥଳେ ବିଜୁ ପରିବାର ସହ ରହିବା ଅସମ୍ଭବ।” ଚିଠିରେ ଏଭଳି ଚରମବାଣୀ ଲେଖି ଅଶୋକ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି।
ଅଶୋକ କେବଳ ବିଜେଡିର ଜଣେ ସାଧାରଣ ନେତା ନ ଥିଲେ। ସେ ୨୦୦୦ ମସିହାରେ ବିଜେଡି ଟିକେଟରୁ ନିର୍ବାଚନ ଲଢ଼ି ବିଧାୟକ ହୋଇଥିଲେ। ହେଲେ ୨୦୦୪ରେ ଅଶୋକ ପରାଜିତ ହେବାରୁ ୨୦୦୯ରେ ଦଳ ତାଙ୍କୁ ଟିକେଟ ଦେଇ ନ ଥିଲା। ୨୦୧୪ରେ ମଧ୍ୟ ଅଶୋକ ପାଣିଗ୍ରାହୀ ବିଜେଡି ଟିକେଟ ପାଇବେ ବୋଲି ଆଶା କରିଥିଲେ। ହେଲେ ସୁବଳ ସାହୁଙ୍କୁ ପରାଜିତ କରିବା ଲାଗି ବିଜେଡି ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବିଜେପୁରରେ ଥଇଥାନ କରିଥିଲା। ଏହା ଅଶୋକଙ୍କ ମନରେ ଗଭୀର କ୍ଷୋଭ ସୃଷ୍ଟି କରିଥିଲା। ବିଜେଡିର ଏହି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ ଦେଇ ଅଶୋକ ୨୦୧୪ରେ ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢ଼ିଥିଲେ।
ଅଶୋକ ଅସନ୍ତୁଷ୍ଟ ପ୍ରାର୍ଥୀ ଭାବେ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବାରୁ ବିଜେଡି ଭୋଟ ମାଇନସ୍ ହୋଇଥିଲା। ଫଳରେ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ପରାଜୟର ମୁହଁ ଦେଖିବାକୁ ପଡିଲା। ଦଳ ବିରୋଧୀ କାର୍ଯ୍ୟ ପାଇଁ ଅଶୋକଙ୍କୁ ବିଜେଡି ବହିଷ୍କାର କରିଛି। ଏହାସତ୍ତ୍ବେ ଆଗାମୀ ଉପ ନିର୍ବାଚନରେ ଦଳ ତାଙ୍କୁ ପ୍ରାର୍ଥୀ କରିବ ବୋଲି ଅଶୋକ ଆଶାବାଦୀ ଥିଲେ। ଏଥିପାଇଁ ସେ ଗାଁ ଗାଁ ବୁଲି କର୍ମୀ ସମ୍ମିଳନୀ କରି ସଙ୍ଗଠନ ମଜଭୁତ କରୁଥିଲେ। କିନ୍ତୁ ଶେଷ ମୁହୁର୍ତ୍ତରେ ବିଜେଡି ତାର ଗେମ୍ ପ୍ଲାନ୍ ଚେଞ୍ଜ କରି ସୁବଳଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। ଏହାକୁ ନେଇ ବିଜେପୁର ବିଜେଡିରେ ଅସନ୍ତୋଷ କୁହୁଳୁଛି।

 

LEAVE A REPLY

Please enter your comment!
Please enter your name here