ଓଡ଼ିଶାଲାଇଭ୍‌ ବ୍ୟୁରୋ

ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସରେ ସଙ୍କଟ ସୃଷ୍ଟି ହୋଇଛି। ଶାସକ ଦଳର ଜଣେ ବଡ଼ ନେତା ମୁକୁଳ ରାୟଙ୍କୁ ଦଳ ପକ୍ଷରୁ ୬ ବର୍ଷ ପାଇଁ ନିଲମ୍ବିତ କରାଯାଇଛି। ମୁକୁଳ ରାୟଙ୍କୁ ମମତା ବାନାର୍ଜୀଙ୍କ ଅତି ନିକଟର ବୋଲି ବିବେଚନା କରାଯାଉଥିଲା।
ମଜା କଥା ହେଉଛି ମୁକୁଳ ରାୟ ନିଜେ ଟ୍ୱିଟ୍ କରି କହିଥିଲେ ଯେ ଦଶହରା ପରେ ସେ ଦଳରୁ ଓ ସାଂସଦ ପଦରୁ ଇସ୍ତଫା ଦେବେ। ଏଣୁ ଏହି ନିଲମ୍ବନର ସମୟ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ପୂର୍ବରୁ ମୁକୁଳ ରାୟ ଦଳର କାର୍ଯ୍ୟକାରିଣୀ କମିଟିରୁ ଇସ୍ତଫା ଦେଇସାରିଛନ୍ତି। ଖାଲି ସେତିକି ନୁହେଁ ରାଜ୍ୟ ସଭା ସାଂସଦ ପଦ ଛାଡ଼ିବା ପାଇଁ ସେ ନିଜକୁ ପ୍ରସ୍ତୁତ କରିବା ଖବରରେ ଆସୁଥିଲା। ମୁକୁଳ ରାୟ କେନ୍ଦ୍ର ରେଳମନ୍ତ୍ରୀ ଥିଲେ। ମମତା ବାନାର୍ଜୀ ରେଳମନ୍ତ୍ରୀ ପଦ ଛାଡ଼ିବା ପରେ ମୁକୁଳ ରାୟ ମନ୍ତ୍ରୀ ହୋଇଥିଲେ ଓ କିଛି ନୂଆ ଟ୍ରେନ୍ ତାଙ୍କରି ସମୟରେ ଚଳାଚଳ ଆରମ୍ଭ ହୋଇଥିଲା। ସେ ତୃଣମୂଳ କଂଗ୍ରେସର ଜାତୀୟ ଉପସଭାପତି ମଧ୍ୟ ଥିଲେ।
ମୁକୁଳ ରାୟଙ୍କର ଇସ୍ତଫା ପରେ ତୃଣମୂଳ କଂଗ୍ରେସରେ ଆଗାମୀ ଦିନରେ ଆହୁରି କିଛି ହଲଚଲ୍ ସୃଷ୍ଟି ହେବାର ଆଶଙ୍କା କରାଯାଉଛି। ବିଜେପି ପକ୍ଷରୁ ବଙ୍ଗଳାରେ ବ୍ୟାପକ ଦଳୀୟ କାର୍ଯ୍ୟକ୍ରମ କରାଯାଉଥିବା ବେଳେ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସ ଉପରେ ଦଳର ନଜର ପଡ଼ିଛି। ୨୦୧୯ ଲୋକସଭା ନିର୍ବାଚନରେ ତୃଣମୂଳ କଂଗ୍ରେସର ବେଶ୍ କିଛି ଭୋଟ୍‌ ବିଜେପିକୁ ଯିବ ବୋଲି ମଧ୍ୟ ଆକଳନ କରାଯାଇଛି।

Comment