ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପୁର ନେତା ଅଶୋକ ପାଣିଗ୍ରାହୀଙ୍କ ବିବାଦୀୟ ମନ୍ତବ୍ୟକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ୍। ଦୁଇ ଦିନ ହେଲା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖି ଏବଂ ଗଣମାଧ୍ୟମରେ ବିବୃତି ଦେଇ ଅଶୋକ ବିଜେଡି ଶିବିରରେ କମ୍ପନ ସୃଷ୍ଟି କରିଛନ୍ତି। ୨୦୧୪ ନିର୍ବାଚନରେ ପ୍ରସନ୍ନ ଆଚାର୍ଯ୍ୟଙ୍କ ବିରୋଧରେ ଷଡ଼ଯନ୍ତ୍ର ହୋଇଥିଲା ବୋଲି ଅଶୋକ ପରୋକ୍ଷରେ କହିଛନ୍ତି। ଏହା ଏବେ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ

ବିଜେପୁର ନେତା ଅଶୋକ ପାଣିଗ୍ରାହୀ ପୁଣି ଥରେ ବିସ୍ଫୋରକ ବାଣ ଛାଡ଼ିଛନ୍ତି। ବିଜେଡ଼ି ସହ ସବୁ ସମ୍ପର୍କ ଛିନ୍ନ କରିବା ପରେ ମଙ୍ଗଳବାର ଅଶୋକ ବିଜେଡି ଶିବିରକୁ ଟାର୍ଗେଟ୍‍ କରି ରାଜନୀତିରେ କମ୍ପନ ସୃଷ୍ଟି କରିଛନ୍ତି। ୨୦୧୪ ନିର୍ବାଚନର ଗୁମର ଖୋଲି ସିଧାସଳଖ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଆକ୍ଷେପ କରିଛନ୍ତି। କହିଛନ୍ତି, ୨୦୧୪ରେ ସେ ସ୍ୱାଧୀନ ପ୍ରାର୍ଥୀ ହେବା ପଛରେ ନବୀନଙ୍କ ପରୋକ୍ଷ ସମର୍ଥନ ରହିଥିଲା। ଅଶୋକଙ୍କ ଏଭଳି ବିବାଦୀୟ ମନ୍ତବ୍ୟ ଏବେ ବିଜେଡି ଶିବିରରେ ଛନକା ସୃଷ୍ଟି କରିଛି।
ଅଶୋକ ପାଣିଗ୍ରାହୀଙ୍କ ମନ୍ତବ୍ୟକୁ ନିଜେ ନବୀନ ପଟ୍ଟନାୟକ ଏବଂ ମୁଖପାତ୍ର ଦେବାଶିଷ ସାମନ୍ତରାୟ ଖଣ୍ଡନ କରିଥିଲେ ମଧ୍ୟ ଏହି ବିବାଦକୁ ଥଣ୍ଡା କରିପାରି ନାହିଁ।
ବିଜେଡି ଟିକେଟରେ ଅଶୋକ ୨୦୦୦ରେ ବିଜେପୁରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ। ୨୦୦୪ରେ ବିଜେଡି ଟିକେଟ ପାଇଥିଲେ ମଧ୍ୟ ସୁବଳ ସାହୁଙ୍କଠାରୁ ସେ ପରାଜିତ ହୋଇଥିଲେ। ଫଳରେ ୨୦୦୯ରେ ଅଶୋକ ଦଳୀୟ ଟିକେଟ ପାଇ ନ ଥିଲେ। ବିଜେଡି ଟିକେଟ ପାଇଥିବା ପ୍ରଭାତ ଆଦିତ୍ୟ ମିଶ୍ର ମଧ୍ୟ ପରାଜିତ ହୋଇଥିଲେ। ୨୦୧୪ରେ ଅଶୋକ ପୁଣି ବିଜେଡି ଟିକେଟ ପାଇଁ ଲବି କରିଥିଲେ। ହେଲେ ବାଜି ମାରି ନେଇଥିଲେ ବରିଷ୍ଠ ନେତା ପ୍ରସନ୍ନ ଆଚାର୍ଯ୍ୟ। ଫଳରେ ଅଶୋକ ସ୍ୱାଧୀନ ସଭ୍ୟ ଭାବେ ଲଢ଼େଇ କରିଥିଲେ, ଯେଉଁଥିପାଇଁ ଶ୍ରୀ ଆଚାର୍ଯ୍ୟ ପରାଜିତ ହୋଇଥିବା କୁହାଯାଉଛି।
ବିଜେପୁରରେ ହେବାକୁ ଥିବା ଉପ-ନିର୍ବାଚନରେ ଅଶୋକ ପୁଣି ଟିକେଟ ପାଇବେ ବୋଲି ଆଶା କରିଥିଲେ ହେଁ ସୁବଳ ସାହୁଙ୍କ ସ୍ତ୍ରୀ ରୀତା ସାହୁଙ୍କୁ ଦଳ ପ୍ରାର୍ଥୀ କରିବ ବୋଲି ଘୋଷଣା କରିଛି। ଏହି ଘୋଷଣା ପରେ ଅଶୋକ ବିଜେଡି ବିରୋଧରେ ଦୁଇ ଦିନ ହେଲା ବିଷ ଓଗାଳୁଛନ୍ତି।
ସୋମବାର ବିଜେଡି ସୁପ୍ରିମୋଙ୍କୁ ଖୋଲା ଚିଠି ଲେଖି ନିଜର ଅସନ୍ତୋଷ ଜାହିର କରିବା ପରେ ମଙ୍ଗଳବାର ଗଣମାଧ୍ୟମରେ ୨୦୧୪ ନିର୍ବାଚନର ଗୁମର ଖୋଲି ରାଜ୍ୟ ରାଜନୀତିରେ ଆଲୋଡନ ସୃଷ୍ଟି କରିଛନ୍ତି।
ଅଶୋକ ପାଣିଗ୍ରାହୀ କହିଛନ୍ତି,”୨୦୧୪ରେ ମୁଁ ସ୍ୱାଧୀନ ପ୍ରାର୍ଥୀ ହେବା ପଛରେ ବିଜେଡିର ପରୋକ୍ଷ ସମର୍ଥନ ରହିଥିଲା। ଏନେଇ ସ୍ୱର୍ଗତ କଳ୍ପତରୁ ଦାସ ମୋ’ ସହ ଆଲୋଚନା କରିଥିଲେ। ଦଳ ବିରୋଧୀ କାମ କରି ପାରିବି ନାହିଁ ବୋଲି ମୁଁ କଳ୍ପତରୁଙ୍କୁ କହିଥିଲି। ହେଲେ ସେ ମୋତେ କହିଥିଲେ ନବୀନ ପଟ୍ଟନାୟକଙ୍କ ସମର୍ଥନ ରହିଛି। ଆଜି କଳ୍ପତରୁ ଥିଲେ ସବୁକିଛି ସ୍ପଷ୍ଟ ହୋଇ ଯାଇଥାନ୍ତା।”
ଶ୍ରୀ ପାଣିଗ୍ରାହୀ ଆହୁରି କହିଛନ୍ତି ଯେ, ପ୍ରସନ୍ନ ଆଚାର୍ଯ୍ୟ ୨୦୧୪ରେ ବିଜେପୁରରୁ ପ୍ରାର୍ଥୀ ହୋଇଥିଲେ। ଯଦି ସେ ପୁଣି ଉପ ନିର୍ବାଚନରେ ପ୍ରାର୍ଥୀ ହୋଇଥାନ୍ତେ ତାହାଲେ କିଛି ଅସୁବିଧା ହୋଇ ନଥାନ୍ତା।
ଏମିତି ମନ୍ତବ୍ୟ ଦେଇ ଅଶୋକ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି କରିଛନ୍ତି। ବିଜେପୁର ଉପ ନିର୍ବାଚନର କାଉଣ୍ଟ ଡାଉନ୍ ଆରମ୍ଭ ହୋଇଥିବା ବେଳେ ଅଶୋକଙ୍କ ବୟାନ ଏବେ ବିଜେଡି ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି।
ଅଶୋକଙ୍କ ବିବୃତିକୁ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଖଣ୍ଡନ କରିଛନ୍ତି। ଏହି ଅଭିଯୋଗର କୌଣସି ସତ୍ୟତା ନାହିଁ, ଏହା ସମ୍ପୂର୍ଣ୍ଣ ଭିତ୍ତିହୀନ ବୋଲି କହିଛନ୍ତି।

ବିଜେଡି ମୁଖପାତ୍ର ଦେବାଶିଷ ସାମନ୍ତରାୟ କହିଛନ୍ତି,”ଅଶୋକ ପାଣିଗ୍ରାହୀଙ୍କୁ ବିଜେଡି ନିଲମ୍ବନ କରିଛି। ନିଲମ୍ବିତ ହୋଇଥିଲେ ମଧ୍ୟ ସେ ଶୃଙ୍ଖଳା ରକ୍ଷା କରୁ ନାହାନ୍ତି। ସେ ଚାହୁଁଥିଲେ ବିଜେପୁରରୁ ପ୍ରାର୍ଥୀ ହେବେ। ହେଲେ ଦଳ ଯାହା ନିଷ୍ପତ୍ତି ନେଇଛି ତାହାକୁ ସମସ୍ତେ ମାନିବା ଦରକାର।”

ସୋମବାର ଅଶୋକଙ୍କ ଖୋଲା ଚିଠି ମଧ୍ୟ ରାଜନୀତିରେ ଭ୍ରୁକୁଞ୍ଚନ ସୃଷ୍ଟି କରିଥିଲା। ବିଜେଡି ବିରୋଧୀଙ୍କୁ ପ୍ରାର୍ଥୀ କରାଯାଇଥିବାରୁ ବିଜୁ ପ୍ରେମୀଙ୍କ ମନରେ ଆଘାତ ସୃଷ୍ଟି ହୋଇଛି ବୋଲି ଅଶୋକ ଚିଠିରେ ଉଲ୍ଲେଖ କରିଥିଲେ।

Comment