ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପୁର ଉପ-ନିର୍ବାଚନକୁ ନେଇ ଦମ୍ଭୋକ୍ତି ଦେଖାଇଛନ୍ତି। କହିଛନ୍ତି, ବିଜେପି ବିଜେପୁର ଦଖଲ କରିବ। ବିଜେପିର ବିଜୟକୁ କେହି ରୋକିପାରିବେ ନାହିଁ। ଏଭଳି ବାଣ ଛାଡ଼ି ଧର୍ମେନ୍ଦ୍ର ପୂଜା ବଜାରରେ ରାଜନୀତି ମାହୋଲକୁ ଗରମ୍ କରିଦେଇଛନ୍ତି।
ବିଜେପୁର ଉପ ନିର୍ବାଚନକୁ ନେଇ କିଛିଦିନ ହେଲା ରାଜ୍ୟ ରାଜନୀତି ସରଗରମ୍ ରହିଛି। ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡି ପ୍ରାର୍ଥୀ ଘୋଷଣା କରିବା ପରେ ରାଜନୀତିରେ ‘ତୁତୁ’ ‘ମେମେ’ ଚାଲିଛି। ପୂର୍ବତନ ବିଧାୟକ ଅଶୋକ ପାଣିଗ୍ରାହୀ ରୀତାଙ୍କ ପ୍ରାର୍ଥୀତ୍ୱକୁ ସହି ନପାରି ବିଜେଡିକୁ ଟାର୍ଗେଟ୍‍ କରିଥିବା ବେଳେ ରାଜ୍ୟ ବିଜେପିର ପୋଷ୍ଟର ବୟ ଧର୍ମେନ୍ଦ୍ର ପ୍ରଧାନ ମୁହଁ ଖୋଲି ରାଜନୀତିରେ ହଟଚମଟ ସୃଷ୍ଟି କରିଛନ୍ତି।
ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି,”ବିଜେଡିକୁ ଲୋକେ ପ୍ରତ୍ୟାଖ୍ୟାନ କରିଛନ୍ତି। ବିଜେଡି ବିରୋଧରେ ଜନ ଅସନ୍ତୋଷ ଦେଖାଦେଇଛି। ଏହା ପ୍ରମାଣ ଗତ ପଞ୍ଚାୟତ ନିର୍ବାଚନ ଫଳାଫଳରୁ ଜଣାପଡିଛି। ଓଡ଼ିଶାରେ ବିଜେପିର ବିଜୟ ଧାରା ଆରମ୍ଭ ହୋଇଛି। ଏଣୁ ବିଜେପୁର ଉପ ନିର୍ବାଚନରେ ବିଜେପିର ବିଜୟ ହେବା ସୁନିଶ୍ଚିତ।”
ଧର୍ମେନ୍ଦ୍ର ବିଜେପୁରକୁ ନେଇ ଯେଉଁ ଦୃଢ଼ୋକ୍ତି ଦେଖାଇଛନ୍ତି ତାହା ପଞ୍ଚାୟତ ନିର୍ବାଚନର ସଫଳତାକୁ ନେଇ। ଗତ ପଞ୍ଚାୟତ ନିର୍ବାଚନରେ ବିଜେପି ବରଗଡ ଜିଲ୍ଲାରେ ପତିଆରା ଜାହିର କରିଛି। ବିଶେଷକରି ବିଜେପୁରରେ ଥିବା ୭ଟି ଜିଲ୍ଲା ପରିଷଦ ଜୋନ୍‌ରୁ ବିଜେପି ୬ଟିରେ ବିଜୟୀ ହୋଇ ଭଲ ସ୍ଥିତିରେ ରହିଛି। ଏଣୁ ପଞ୍ଚାୟତ ଫଳାଫଳର ପ୍ରଭାବ ଆଗାମୀ ଉପ-ନିର୍ବାଚନରେ ପଡ଼ିବ ବୋଲି ଧର୍ମେନ୍ଦ୍ର ଆକଳନ କରିଥିବା ରାଜନୀତି ପଯ୍ୟବେକ୍ଷକ ମତ ଦେଉଛନ୍ତି।
ଏପଟେ ବିଜେଡି ବିଜେପିର କଳ, ବଳକୁ ମାତ୍ ଦେବା ଲାଗି ଆଗୁଆ ନିର୍ବାଚନ ପ୍ରସ୍ତୁତିରେ ଲାଗିପଡ଼ିଛି। ବିଜେପି ପ୍ରାର୍ଥୀ ଘୋଷଣା କରିବା ପୂର୍ବରୁ ବିଜେଡି ସୁବଳ ସାହୁଙ୍କ ସ୍ତ୍ରୀ ରୀତାଙ୍କୁ ପ୍ରାର୍ଥୀ କରି ଅନୁକମ୍ପା କାର୍ଡ ଖେଳିଛି। ଏହାସହ ଏହି ଜିଲ୍ଲାରେ ବିଜେଡି ୨୦୧୪ ନିର୍ବାଚନରେ ୩ଟି ଆସନରେ ବିଜୟୀ ହୋଇଛି। ଦୁଇଜଣଙ୍କୁ ମନ୍ତ୍ରୀ ପଦ ଦେଇଛି। ଏଣୁ ଧର୍ମେନ୍ଦ୍ରଙ୍କ ଦୃଢ଼ୋକ୍ତି ପରେ ବିଜେପୁରରେ ବିଜେପି-ବିଜେଡି ମଧ୍ୟରେ ଲଢ଼େଇ ଜୋରଦାର ହେବ ବୋଲି ସ୍ପଷ୍ଟ ହୋଇଯାଇଛି।
ବିଜେଡି ମୁଖପାତ୍ର ପ୍ରଶାନ୍ତ ନନ୍ଦ ଓଡ଼ିଶାଲାଇଭ୍‌କୁ କହିଛନ୍ତି, “ଧର୍ମେନ୍ଦ୍ର ପ୍ରଧାନଙ୍କ ଦୃଢ଼ୋକ୍ତିର କିଛି ମୂଲ୍ୟ ନାହିଁ। ପଞ୍ଚାୟତ ଫଳାଫଳକୁ ନେଇ ସେ ଏଭଳି ଆକଳନ କରିଛନ୍ତି। ତେବେ ପଞ୍ଚାୟତ ନିର୍ବାଚନ ପରେ ଦୁଇ ଦୁଇଟି ଉପ-ନିର୍ବାଚନ ହୋଇଛି। ବିଜେପି ଗଡ଼ରେ ବିଜେଡି ବାଜିମାତ କରିଛି। ପଞ୍ଚାୟତ ନିର୍ବାଚନର ସ୍ଥିତି ଆଉ ନାହିଁ।”

LEAVE A REPLY

Please enter your comment!
Please enter your name here