ଓଡ଼ିଶାଲାଇଭ୍ ବ୍ୟୁରୋ

‘କେନ୍ଦ୍ର ଅବହେଳା’କୁ ଅସ୍ତ୍ର କରି ବିଜେଡି ଗାନ୍ଧିଜୟନ୍ତୀଠାରୁ ଆରମ୍ଭ କରିଛି ଜନସମ୍ପର୍କ ପଦଯାତ୍ରା। ୧୦ ଦିନ ଧରି ହେବାକୁ ଥିବା ଏହି ପଦଯାତ୍ରାରେ ବିଜେଡି ନେତା ଗାଁ ଗାଁ ବୁଲି ୧୭ ବର୍ଷର ବିଜେଡି ଶାସନର ସଫଳତା ବଖାଣିବେ। ତେବେ ବିଜେଡିର ଏହି ପଦଯାତ୍ରାକୁ ବିଜେପି ଟାର୍ଗେଟ କରିଛି। କହିଛି, ବିଜେଡିର ଏହା ‘ସଫଳତା’ ଯାତ୍ରା ନୁହେଁ ‘ଘଣ୍ଟଘୋଡ଼ା’ ଯାତ୍ରା।
ଭୁବନେଶ୍ୱର ମହିଷାଖାଲ ବସ୍ତିରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପଦଯାତ୍ରା ଶୁଭାରମ୍ଭ କରୁଥିବା ବେଳେ ଦଳୀୟ କାର୍ଯ୍ୟାଳୟରେ ବିଜେପି ନେତା ପୃଥ୍ୱୀରାଜ ହରିଚନ୍ଦନ ବିଜେଡିକୁ ପ୍ରଶ୍ନବାଣରେ ଛନ୍ଦିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ ଥିବା ପୂର୍ତ୍ତ ବିଭାଗକୁ ନେଇ ଶ୍ରୀ ହରିଚନ୍ଦନ ପ୍ରଶ୍ନ କରିଛନ୍ତି। କେନ୍ଦ୍ର ଅବହେଳାର କଥା କହି ବିଜେଡି ୧୭ ବର୍ଷ ଶାସନର ଅପରାଗତାକୁ ଲୁଚାଇପାରିବ ନାହିଁ ବୋଲି ସେ କହିଛନ୍ତି।
ଏହି ଅବସରରେ ଶ୍ରୀ ହରିଚନ୍ଦନ ୪ଟି ପ୍ରଶ୍ନ ପଚାରି ମୁଖ୍ୟମନ୍ତ୍ରୀଙ୍କଠାରୁ ଏହାର ଉତ୍ତର ଚାହିଁଛନ୍ତି।
ପ୍ରଶ୍ନ ନଂ ୧: ବିଭିନ୍ନ ସ୍ଥାନରେ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ସରକାର କେବଳ କନିଷ୍ଠ ଯନ୍ତ୍ରୀଙ୍କୁ କାହିଁକି ନିଲମ୍ବନ କରିଛନ୍ତି?
ପ୍ରଶ୍ନ ନଂ-୨: ବମିଖାଲ ଓଭରବ୍ରିଜ ଭୁଶୁଡ଼ିବା ଘଟଣାରେ ସରକାର କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ପଛଘୁଞ୍ଚା ଦେଉଛନ୍ତି?
ପ୍ରଶ୍ନ ନଂ-୩: ଗୁରୁପ୍ରିୟା ସେତୁ ଏବଂ ରାଞ୍ଚି-ବିଜୟୱାଡା ରାଜପଥ ନିର୍ମାଣ ଶେଷ ହେବାରେ ବିଳମ୍ବ କାହିଁକି?
ପ୍ରଶ୍ନ ନଂ-୪: ପଣ୍ଡା ଇନ୍‌ଫ୍ରାର ଅନ୍ୟ ଦୁଇ ନିର୍ଦ୍ଦେଶକଙ୍କୁ ଗିରଫ କରିବାରେ ସରକାର ପଦକ୍ଷେପ ନେଉନାହାନ୍ତି କାହିଁକି?
ପଦଯାତ୍ରା ବେଳେ ବିଜେଡି ନେତା ଏହି ପ୍ରଶ୍ନର ଉତ୍ତର ଓଡ଼ିଶାବାସୀଙ୍କୁ ଦେବା ପାଇଁ ଶ୍ରୀ ହରିଚନ୍ଦନ ଆହ୍ୱାନ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here