ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ପ୍ରତି କେନ୍ଦ୍ର ସରକାରଙ୍କ ଚରମ ଅବହେଳା, କେନ୍ଦ୍ର ଅନୁଦାନ ହ୍ରାସ ପ୍ରତିବାଦ ଏବଂ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଓ ରାଜ୍ୟକୁ ସ୍ୱତନ୍ତ୍ର ପାହ୍ୟା ମାନ୍ୟତା ପ୍ରଦାନ ଦାବିରେ ବିଜେଡି ପକ୍ଷରୁ ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହେବ। ଭୁବନେଶ୍ୱର ମହିଷାଖାଲଠାରୁ ଆରମ୍ଭ ହେବାକୁ ଥିବା ଏହି ପଦଯାତ୍ରାକୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିବେ।
ବିଜେଡି ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟ, ମୁଖପାତ୍ର ପ୍ରଶାନ୍ତ ନନ୍ଦ ଓ ଦେବୀ ମିଶ୍ର କହିଛନ୍ତି ଯେ ଏହି ପଦଯାତ୍ରା ରାଜ୍ୟବ୍ୟାପି ଅନୁଷ୍ଠିତ ହେବ। ଏହି ଜନସମ୍ପର୍କ ଯାତ୍ରା ଆଜି ଗାନ୍ଧି ଜୟନ୍ତୀଠାରୁ ଆରମ୍ଭହୋଇ ଅକ୍ଟୋବର ୧୧ ତାରିଖ ଜୟପ୍ରକାଶ ଜୟନ୍ତୀ ଯାଏଁ ଗ୍ରାମାଞ୍ଚଳର ପ୍ରତ୍ୟେକ ଜୋନରେ ଓ ସହରାଞ୍ଚଳର ପ୍ରତ୍ୟେକ ୱାର୍ଡରେ କରାଯିବ।
ବିଜେଡି ପାଇଁ ପଦଯାତ୍ରା ନୂଆ ନୁହେଁ। ୧୬ ବର୍ଷ ହେଲା ଏହି ସମୟରେ ଦଳ ପକ୍ଷରୁ ଶୋଭାଯାତ୍ରା ଓ ପଦଯାତ୍ରା ହୋଇଆସୁଛି!
ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଭୁବନେଶ୍ୱର ଏକାମ୍ର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମହିଷାଖାଲ (ବିଜେବି କଲେଜ ପାଖ) ବେହେରାସାହିଠାରେ ରାଜ୍ୟସ୍ତରୀୟ ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ କରିବେ। ଓଡ଼ିଶାର ପ୍ରତ୍ୟେକ ପଲ୍ଲୀ ଓ ନଗର ଅଞ୍ଚଳର ୱାର୍ଡର କାର୍ଯ୍ୟକର୍ତ୍ତାଙ୍କୁ ଏ କାର୍ଯ୍ୟକ୍ରମରେ ସାମିଲ କରାଯିବ।
ଗତ ୧୭ ବର୍ଷରେ ବିଜେଡି ସରକାରଙ୍କର ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାମାନ ସାଧାରଣ ଲୋକଙ୍କ ପାଖରେ ପହଞ୍ଚାଇବା ସଙ୍ଗେସଙ୍ଗେ ରାଜ୍ୟ ପ୍ରତି କେନ୍ଦ୍ରର କ୍ରମାଗତ ଅବହେଳା ବିଷୟରେ ପ୍ରତ୍ୟେକ ନାଗରିକଙ୍କୁ ଜାଗ୍ରତ କରାଯିବା ଏ ଜନସମ୍ପର୍କ ଅଭିଯାନର ମୂଳ ଲକ୍ଷ୍ୟ।
ଓଡ଼ିଶାକୁ ସ୍ୱତନ୍ତ୍ର ପାହ୍ୟା ଦେବାରେ କେନ୍ଦ୍ରର ଅବହେଳା, ମହାନଦୀ ଓ ପୋଲାଭରମ ନେଇ କେନ୍ଦ୍ରର ଦୋମୁହାଁ ନୀତି, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ପରିବର୍ଦ୍ଧିତ ନକରିବା ଏବଂ ପ୍ରତ୍ୟେକ ଦିନ ପେଟ୍ରୋଲ, ଡିଜେଲ ଓ ରନ୍ଧନଗ୍ୟାସର ମୂଲ୍ୟ ବୃଦ୍ଧି କରିବା ତଥା ଓଡ଼ିଶାର ବିଭିନ୍ନ ଜନହିତକର ଯୋଜନାରେ ଖର୍ଚ୍ଚକାଟ କରିବା ଆଦି ପ୍ରସଙ୍ଗରେ ଓଡ଼ିଶାର ଜନସାଧାରଣଙ୍କୁ ଅବଗତ କରାଯିବ।

Comment