ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାରେ କଂଗ୍ରେସ ଦଳର ଦୁର୍ଗତି ଥମିବା ନାଁ ନେଉ ନାହିଁ। ଗୋଟିଏ ପଟେ ପିସିସି ସଭାପତି ପରିବର୍ତ୍ତନ ପ୍ରସଙ୍ଗଟି ଝୁଲିରହିଥିବା ବେଳେ ଏବେ ଦଳ ପାଇଁ ଆଉ ଏକ ଝଟକା ଲାଗିବା ନିଶ୍ଚିତ। ବହୁ ଦିନର ପ୍ରତୀକ୍ଷା କୁ ଅନ୍ତ ଘଟାଇ ଲୁଲୁ ସେନା ଆସନ୍ତା ୧୨ ତାରିଖରେ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେବ।
ଖବର ମିଳିଛି ଯେ ଲୁଲୁ ସେନାର ପ୍ରତିଷ୍ଠାର ୨୦ ମାସ ପରେ ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ସାନଭାଇ ଲଳିତେନ୍ଦୁ ମହାପାତ୍ର ଓ ଝିଅ ଉପାସନା ମହାପାତ୍ର ତଥା ଆଉ କିଛି ଆଗ ଧାଡିର ନେତା ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ଭୁବନେଶ୍ୱରରେ ଅନୁଷ୍ଠିତ ହେବାକୁ ଯାଉଥିବା ଏକ ସ୍ୱତନ୍ତ୍ର ଉତ୍ସବରେ ଏହି ଯୋଗଦାନ କାର୍ଯ୍ୟ ସମ୍ପାଦନ କରାଯିବ।
ଲୁଲୁ ମହାପାତ୍ରଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକ ମାନଙ୍କ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ଅନେକ କଳ୍ପନା ଜଳ୍ପନା ଲାଗି ରହିଥିଲା।
ଲୁଲୁ ସେନା କଂଗ୍ରେସ ଛାଡ଼ି ବିଜେପିରେ ଯୋଗଦେବା ଏକ ଉଲ୍ଲେଖନୀୟ ରାଜନୀତିକ ଘଟଣା ହେବ।
ଏଣେ କଂଗ୍ରେସ ଦଳ ରୁ କ୍ରମେ ନେତା ମାନେ ଅନ୍ୟ ଦଳରେ ସାମିଲ ହେବା ସହିତ ଦଳ ଏକ ଅସ୍ତିତ୍ୱ ସଙ୍କଟ ଦେଇ ଗତି କରୁଛି। ୨୦୧୪ ପରଠାରୁ ପ୍ରାୟ ଅଧ ଡଜନ କଂଗ୍ରେସ ନେତା ବିଜେଡି ଓ ବିଜେପିରେ ଯୋଗ ଦେଇସାରିଛନ୍ତି।
ଲୁଲୁ ମହାପାତ୍ରଙ୍କ ସ୍ମୃତିରେ ଗଠିତ ଲୁଲୁ ସେନାର ସଭ୍ୟମାନଙ୍କୁ ଏକ ବଳିଷ୍ଠ ଯୁବଶକ୍ତି ଭାବରେ ଗ୍ରହଣ କରାଯାଏ। ଲୁଲୁ ନିର୍ବାଚନ ମଣ୍ଡଳୀ ବ୍ରହ୍ମଗିରି କେବଳ ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଓ ଜିଲ୍ଲାରେ ଲୁଲୁ ସେନାର ଦବଦବା ରହିଛି।
ଲୁଲୁ ସେନା ବିଜେପିରେ ସାମିଲ ହେବର ସୁରାକ ମିଳିଥିଲା ଗତ ମାସରେ ଯେଉଁ ଦିନ ପାଇକ ବିଦ୍ରୋହର ଦ୍ୱିଶତବାର୍ଷିକୀ ପାଳନ ଅବସରରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଲୁଲୁ ମହାପାତ୍ରଙ୍କ ପରିବାରର ସଦସ୍ୟଙ୍କ ପାଇଁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା।
ଲୁଲୁଙ୍କ ସମ୍ପର୍କୀୟମାନେ ବିଜେପିରେ ଯୋଗଦେବା ଘଟଣା ବହୁଦିନ ଧରି ଅଟକଳର ବିଷୟ ଥିଲା। ଏବେ ତାହା କାର୍ଯ୍ୟରେ ପରିଣତ ହେବାକୁ ଯାଉଛି।
ଉପାସନା ମଧ୍ୟ କହିଥିଲେ,“ଯଦି କେବେବି ମୁଁ ରାଜନୀତିରେ ଯୋଗ ଦେବାକୁ ନିଷ୍ପତ୍ତି ନିଏ ନିଶ୍ଚିତ ଭାବରେ ମାମୁଁ ଧର୍ମେନ୍ଦ୍ରଙ୍କ ସହିତ ଯିବି କାରଣ ସେ ଆମ ପାଇଁ ବହୁତ କିଛି କରିଛନ୍ତି।”

Comment