ଓଡ଼ିଶାଲାଇଭ୍‌ ବ୍ୟୁରୋ

ଟିମ୍ ଇଣ୍ଡିଆର ନିର୍ଭରଯୋଗ୍ୟ ପେସ୍ ବୋଲର ଭୁବନେଶ୍ୱର କୁମାର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି। ସେ ତାଙ୍କର ଦୀର୍ଘଦିନର ବାନ୍ଧବୀ ଇଞ୍ଜିନିୟର ନୁପୂର ନାଗରଙ୍କୁ ବିବାହ କରିବେ। ଗୁରୁବାର ଦିନ ତାଙ୍କର ନିର୍ବନ୍ଧ ଶେଷ ହୋଇଛି। ଗ୍ରେଟର ନୋଇଡାରେ ଅନୁଷ୍ଠିତ ନିର୍ବନ୍ଧ ଉତ୍ସବରେ ଦୁଇ ପରିବାରର ଘନିଷ୍ଠ ବନ୍ଧୁ ବାନ୍ଧବ ଉପସ୍ଥିତ ଥିଲେ।
ପ୍ରେମିକା ନୁପୂରଙ୍କ ସହ ବିବାହ କରୁଥିବା ନେଇ ୨୭ ବର୍ଷୀୟ କ୍ରିକେଟର ଭୁବନେଶ୍ୱର କୁମାର ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରିଛନ୍ତି।
ସେପଟେ ଭୁବିଙ୍କ ବିବାହ ଆସନ୍ତା ଡିସେମ୍ବର ମାସରେ ହେବ ବୋଲି ବାପା କିରଣ ପାଲ ସିଂହ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଯେ ଶ୍ରୀଲଙ୍କା କ୍ରିକେଟ ଟିମର ଗସ୍ତ ଡିସେମ୍ବର ୨୧ରେ ଶେଷ ହେବ ଏବଂ ଡିସେମ୍ବର ୩୧ରେ ଦକ୍ଷିଣ ଆଫ୍ରିକାରେ ସିରିଜ ଖେଳିବାକୁ ଯିବ ଟିମ୍ ଇଣ୍ଡିଆ। ମଝିରେ ବାକିଥିବା ୧୦ ଦିନ ମଧ୍ୟରେ ଦୁହିଁଙ୍କ ବିବାହ ଶେଷ ହେବ।
ଉଭୟ ଭୁବି ଓ ନୁପୂରଙ୍କ ଘର ମିରଟ ହୋଇଥିବାରୁ ସେଠାରେ ତାଙ୍କର ବିବାହ ଉତ୍ସବ ଅନୁଷ୍ଠିତ ହେବ ବୋଲି ଏକପ୍ରକାର ସ୍ଥିତ କରାଯାଇଛି। ଦୁଇ ପରିବାର ପକ୍ଷରୁ ଧୁମଧାମରେ ଆୟୋଜିତ ହେଉଛି ବିବାହ ଉତ୍ସବ। ଧୋନୀ, କୋହଲିଙ୍କ ସମେତ ଟିମ୍ ଇଣ୍ଡିଆର ବହୁ ଖେଳାଳି ଏହି ଉତ୍ସବରେ ଯୋଗ ଦେବେ।
କିଏ ଏହି ନୁପୂର ନାଗର
ଭୁବିଙ୍କ ମନ କିଣି ନେଇଥିବା ଏହି ନୁପୂର ନାଗରଙ୍କ ବିଷୟରେ ଆଗରୁ ଗଣମାଧ୍ୟମରେ ବି‌ଶେଷ କିଛି ଆଲୋଚନା ହୋଇନାହିଁ।
ମିରଟର ଗଙ୍ଗାନଗର ନିବାସୀ ନୁପୂର ନାଗର ହେଉଛନ୍ତି ଭୁବନେଶ୍ୱର କୁମାରଙ୍କ ପଡୋଶୀ। ମିରଟର ଜେପି ଏକାଡେମୀରେ ସ୍କୁଲ ଶିକ୍ଷା ପରେ ଗ୍ରେଟର ନୋଇଡାର ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ସେ ଡିଗ୍ରୀ ହାସଲ କରିଛନ୍ତି। ଗ୍ରେଟର ନୋଇଡାର ଏକ ମଲ୍ଟି ନ୍ୟାସନାଲ କମ୍ପାନୀରେ ଇଞ୍ଜିନିୟର ଭାବେ ନୁପୂର ଯୋଗ ଦେବା ପରେ ତାଙ୍କ ପରିବାର ଏବେ ଗ୍ରେଟର ନୋଇଡାରେ ରହୁଛନ୍ତି। ନୁପୂରଙ୍କ ବାପା ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ। ମିରଟରେ ଭୁବିଙ୍କ ସହ ତାଙ୍କର ସଂପର୍କ ଗଢି ଉଠିଥିଲା। ଦୀର୍ଘଦିନର ସମ୍ପର୍କ ପରେ ତାହା ଏବେ ବିବାହରେ ପରିଣତ ହେବାକୁ ଯାଉଛି।
ତେବେ ଏହି ଦୁଇ ଲଭ୍ ବାର୍ଡଙ୍କ ସମ୍ପର୍କରେ ଆଗରୁ ଖୋଲାଖୋଲି ଆଲୋଚନା ହୋଇନାହିଁ। ପ୍ରଥମ ଥର ପାଇଁ ଭୁବି, ସୋସିଆଲ ମିଡିଆରେ ନୁପୂରଙ୍କ ଫଟୋ ସେୟାର କରିବା ପରେ ସେମାନଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟୁଛି।
ପଟୋ ସେୟାର କରିବା ସହ ଅତି ଭାବପ୍ରବଣ ହୋଇ ଭୁବି ସୋସିଆଲ ମିଡିଆରେ ଲେଖିଛନ୍ତି, ‘ସୁଖଦ ସ୍ମୃତିକୁ ଆଗକୁ ନେବାକୁ ଯାଉଛି ଏବଂ ଏକ ସୁନ୍ଦର ଭବିଷ୍ୟତ ପାଇଁ  ସ୍ୱପ୍ନ ଦେଖୁଛି।’

Comment