ଓଡ଼ିଶାଲାଇଭ୍ ବ୍ୟୁରୋ
‘ଟେଷ୍ଟ ଅଫ୍ ଓଡ଼ିଶା’ ରୁ ‘ବିଗ୍ ବସ୍-୧୧’ ଅଡିସନ୍ କ୍ରାକ କରିଛନ୍ତି ଓଡ଼ିଆ ପୁଅ ସବ୍ୟସାଚୀ ଶତପଥୀ ଓରଫ୍ ସଗୁନ୍। ସେ ଏହି ଅଡିସନ୍ କ୍ରାକ କରିବା ପାଇଁ କ’ଣ କରିଛନ୍ତି ଜାଣନ୍ତୁ ଏହି ରିପୋର୍ଟରୁ।
“ବିଗ୍ବସ୍ ଅଡିସନ୍-୧୧ କ୍ରାକ୍ କରିବା ପାଇଁ ସବ୍ୟସାଚୀ ଶତପଥୀ ଓରଫ୍ ସଗୁନ୍ ବହୁ ସଂଘର୍ଷ କରିଛନ୍ତି। ପରିବାରବର୍ଗଙ୍କୁ ନ ଜଣାଇ ବାରମ୍ବାର ମୁମ୍ବାଇ ଯାଇଛନ୍ତି। ଅନେକ ରାଉଣ୍ଡ ଅଡିସନ ପରେ ସେ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିଲା,”- କହିଛନ୍ତି ସବ୍ୟସାଚୀଙ୍କ ଭାଇ ପୂର୍ବତନ ରଣଜୀ ଖେଳାଳି ଜିତୁ ଶତପଥୀ।
ଭାରତୀୟ ଟେଲିଭିଜନ ଜଗତରେ ‘ବିଗ୍ ବସ୍-୧୧’ର ପ୍ରସାରଣ ଆରମ୍ଭ ହୋଇଛି। ସବ୍ୟସାଚୀ ବିଗ୍ବସ୍-୧୧ରେ ସ୍ଥାନ ଅଧିକାର କରିବା ପରେ ଓଡ଼ିଆମାନଙ୍କ ମନରେ ଖେଳିଯାଇଛି ଉତ୍ସାହ ଓ ଆନନ୍ଦର ଲହରି। ବିଗ୍ ବସର ନୂଆ ଅଧ୍ୟାୟକୁ ସଲମାନ ଖାଁ ଉପସ୍ଥାପନା କରୁଛନ୍ତି। ଏଥର ସୋ’ରେ ସେଲିବ୍ରିଟି ଓ ସାଧାରଣ କଳାକାର ସ୍ଥାନ ପାଇଛନ୍ତି। ଏହିକ୍ରମରେ ସବ୍ୟସାଚୀ ମଧ୍ୟ ଯୋଗ୍ୟ ବିବେଚିତ ହୋଇଛନ୍ତି।
ସବ୍ୟସାଚୀଙ୍କ ସମ୍ପର୍କରେ ଭାଇ ଜିତୁ ଶତପଥୀ କୁହନ୍ତି, “ଗତ ତିନିରୁ ଚାରି ମାସ ହେଲ ସେ ବାରମ୍ବାର ମୁମ୍ବାଇ ଯାଉଥିଲା। ମୁମ୍ବାଇ ଯିବାର କାରଣ ଆମେ କେହି ସ୍ପଷ୍ଟ ଭାବେ ଜାଣି ନଥିଲୁ। ବିଗ୍ ବସ୍ କାର୍ଯ୍ୟକ୍ରମରେ ସାଧାରଣ ଲୋକ ସ୍ଥାନ ପାଇବାର ଯେଉଁ ସୁଯୋଗ ଗତ ସଂସ୍କରଣରୁ ଆରମ୍ଭ ହୋଇଛି, ସେଥିପାଇଁ ପ୍ରାୟ ଲକ୍ଷ ଲକ୍ଷ ଲୋକ ଆଗ୍ରହ ଦେଖାଇଥିଲେ। ଅନେକ ରାଉଣ୍ଡ ଅଡିସନ ପରେ ସବ୍ୟସାଚୀ ଏଥିପାଇଁ ଯୋଗ୍ୟ ବିବେଚିତ ହୋଇଥିଲା। ଏ ସମ୍ପର୍କରେ ସେ ସେପ୍ଟେମ୍ବର ୩୦ ତାରିଖରେ ଟେଲିଫୋନ ମାଧ୍ୟମରେ ଆମକୁ ଜଣାଇଥିଲା।”
ଏହି ରିଅଲିଟି ସୋ’ର ନିୟମ ଅନୁଯାୟୀ ପ୍ରତିଯୋଗୀମାନେ ବାହ୍ୟଜଗତରୁ ବିଚ୍ଛିନ୍ନ ହୋଇରହିଛନ୍ତି। ବିଗ୍ ବସ୍ ଘର ଭିତରେ ସେମାନେ ପରସ୍ପର ସହ ଝଗଡ଼ା, ଗପ କରି ଦର୍ଶକଙ୍କ ମନୋରଞ୍ଜନ କରିବେ।
ବିଗ୍ ବସ୍ ଘର ଭିତରେ ଓଡ଼ିଆ ଟେଲିଭିଜନ ତାରକା ସବ୍ୟସାଚୀଙ୍କୁ ବାହ୍ୟଜଗତରୁ ବିଚ୍ଛିନ୍ନ କରି ରଖାଯାଇଥିବା ଦେଖିବାକୁ ମିଳିଛି। ସେ ଏହି ସୋ’ରେ ସ୍ଥାନ ପାଇବାର ପ୍ରମାଣ ଦେଇଥିଲା ଟେଲିଭିଜନ। ସବ୍ୟସାଚୀ ତାଙ୍କ ସହଯୋଗୀଙ୍କ ସହ ପଡ଼ୋଶୀ ଭାବେ ସ୍ଥାନ ପାଇଛନ୍ତି। ଆଞ୍ଚଳିକ ଚ୍ୟାନେଲରେ ପ୍ରସାରିତ ’ଟେଷ୍ଟ ଅଫ୍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ସେ ଓଡ଼ିଶାର କୋଣ ଅନୁକୋଣରେ ଲୋକପ୍ରିୟତା ଅର୍ଜନ କରିଛନ୍ତି।
ଏହାର ଅଡିସନ ସମୟରେ ସାଧାରଣ ଜ୍ଞାନ, ସୋସିଆଲ କଣ୍ଟାକ୍ଟ, ସାମାଜିକ ଅବସ୍ଥା ସମ୍ବନ୍ଧରେ ଧାରଣା ତଥା ଅନ୍ୟ ବିଷୟରେ ଗପିବା ଆଦି ଗୁଣକୁ ଅଡିସନ ସମୟରେ ପ୍ରାଧାନ୍ୟ ଦିଆଯାଇଥିଲା। ଏଥର ବିଗ୍ ବସ୍ରେ କିଛି ନୂଆ କନ୍ସେପ୍ଟ ମଧ୍ୟ ଯୋଡ଼ାଯାଇଛି ବୋଲି କହିଛନ୍ତି ଜିତୁ ଶତପଥୀ।
ଏଥର ସଲମାନ ଖାଁ ନିଜେ ମଧ୍ୟ ବିଗ୍ ବସ୍ ହାଉସ୍ର ଅନ୍ୟ ଏକ ବଖରାରେ ରହିବେ। ବିଗ୍ ବସ୍ ହାଉସ୍ରେ ସ୍ଥାନ ପାଇଥିବା ଅନ୍ୟ ପ୍ରତିଯୋଗୀମାନେ ହେଉଛନ୍ତି ଲୋକପ୍ରିୟ ମେଗା ସିରିଅଲ୍ ’ୟେ ରିସ୍ତା କ୍ୟା କେହେଲାତା ହୈ’ର ହିନା ଖାନ, ଟେଲିଭିଜନ ପ୍ରଡ୍ୟୁସର ବିକାଶ ଗୁପ୍ତା, ଅଭିନେତା ହିତେନ ତେଜୱାନି, ସ୍ପ୍ଲିଟ୍ସଭିଲ୍ଲାର ପ୍ରିୟଙ୍କ ଶର୍ମା, ଶିଳ୍ପା ସିନ୍ଦେ ଓ ଭିଜେ ବେନଫ୍ଶା ଶୁନୱା।