ଓଡ଼ିଶାଲାଇଭ୍ ବ୍ୟୁରୋ

ଜୋର୍‌ ଧରିଛି ପେଟ୍ରୋଲ ପଲିଟିକ୍ସ। ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଥିଲେ ମଧ୍ୟ ଏହାକୁ ନେଇ ପଲିଟିକ୍ସ ଥମିବାର ନାଁ ଧରୁନି। କେତେବେଳେ ବିରୋଧୀ ଦଳ ତ ପୁଣି ଆଉ କେତେବେଳେ ପେଟ୍ରୋଲ ପମ୍ପ୍ ଡିଲର ପେଟ୍ରୋଲିୟମ୍ ମନ୍ତ୍ରାଳୟକୁ ନାଲି ଆଖି ଦେଖାଉଛନ୍ତି। ଫଳରେ ପେଟ୍ରୋଲ ତାତିରେ ରାଜନୀତି ଉଠୁଛି ପଡ଼ୁଛି।

ଅକ୍ଟୋବର ୩ ତାରିଖରେ ପେଟ୍ରୋଲ ଓ ଡିଜେଲ ମୂଲ୍ୟ ହ୍ରାସ ପାଇଥିଲା। ପେଟ୍ରୋଲ ଦର ଲିଟର ପ୍ରତି ଅଢ଼େଇ ଟଙ୍କା ଏବଂ ଡିଜେଲ ଲିଟର ପ୍ରତି ୨ ଟଙ୍କା ୨୫ ପଇସା କମିଥିଲା। ଏହାକୁ ନେଇ କେନ୍ଦ୍ର ସରକାର ସାବାସୀ ନେଉଥିବା ବେଳେ ଆଜି ଅଲ୍ ଇଣ୍ଡିଆ ପେଟ୍ରୋଲ ଡିଲର ସଂଘର ଚେତାବନୀ ସରକାରଙ୍କ ନିଦ ହଜାଇ ଦେଇଛି। ଅକ୍ଟେବାର ୧୩ରେ ସମଗ୍ର ଦେଶରେ ୫୪ ହଜାର ପେଟ୍ରୋଲ୍ ପମ୍ପ୍‌ ବନ୍ଦ ରହିବ ବୋଲି ସଂଘ ଘୋଷଣା କରିବା ପରେ କେନ୍ଦ୍ର ସରକାର ଉପାୟ ଶୂନ୍ୟ ହୋଇ ଯାଇଛନ୍ତି। ଏପଟେ ଓଡ଼ିଶା ସରକାର ପଟ୍ରୋଲ ଉପରୁ ଭାଟ ହ୍ରାସ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ଫଳରେ ପେଟ୍ରୋଲ ପଲିଟିକ୍ସ ଭିନ୍ନ ମୋଡ଼ ନେଇଛି।
ବିଭିନ୍ନ ଦାବି ନେଇ ପଟ୍ରୋଲ ପମ୍ପ ମାଲିକମାନେ ଆସନ୍ତା ୧୩ ତାରିଖରେ ଧର୍ମଘଟକୁ ଓହ୍ଲାଇବେ। ଫଳରେ ଦେଶର ୫୪ ହଜାର ପେଟ୍ରୋଲ ପମ୍ପ ବନ୍ଦ ରହିବ। ପେଟ୍ରୋଲ ଓ ଡିଜେଲ ଉପରେ ଜିଏସ୍‌ଟି ଲାଗୁ ଏବଂ ଅନ୍ୟାନ୍ୟ ୧୧ ଦଫା ଦାବି ନେଇ ସଂଘ ଆନ୍ଦୋଳନ କରିବ। ସରକାର ଦାବି ନ ମାନିଲେ ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ କରାଯିବ ବୋଲି ଅଲ ଇଣ୍ଡିଆ ପେଟ୍ରୋଲ୍ ଡିଲର ଆସୋସିଏସନ୍ ସଭାପତି ଅଜୟ ବନ୍‌ସଲ୍‌ କହିଛନ୍ତି।
ଅଜୟ ବନସଲ୍‌ କହିଛନ୍ତି,”ମାର୍କଟେ ଡିସିପ୍ଲିନାରୀ ପଲିସିକୁ କଠୋର କରିଛନ୍ତି ସରକାର। ଏହାସହ ଡିପୋରୁ ତେଲ ଆସିବା ବେଳେ ବ୍ୟାପକ ବାଟମାଣା ହେଉଛି। ଏଥିପ୍ରତି ସରକାର ଓ ତୈଳ କମ୍ପାନି ଦୃଷ୍ଟି ଦେବାକୁ କୁହାଯାଇଛି। ଏହାସହ ଡିଲର ମାର୍ଜିନ୍‌ରେ ବୃଦ୍ଧି କରିବାକୁ ଦାବି ହୋଇଛି। ଏନେଇ ଆଲୋଚନା ନହେଲେ ୨୭ରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଆନ୍ଦୋଳନ ଚାଲୁ ରହିବ।”
ପେଟ୍ରୋଲ ଡିଲର ସଂଘର ଚେତାବନୀ ପରେ ଓଡ଼ିଶା ସରକାର ମଧ୍ୟ ପେଟ୍ରୋଲ ମନ୍ତ୍ରାଳୟକୁ ଆଉ ଏକ କଡ଼ା ଜବାବ ଦେଇଛନ୍ତି। ପେଟ୍ରୋଲରୁ ରାଜ୍ୟ ସରକାର ଭାଟ୍ ଛାଡ଼ କରିବେ ନାହିଁ ବୋଲି ଅର୍ଥ ମନ୍ତ୍ରୀ ଶଶୀ ଭୂଷଣ ବେହେରା ସ୍ପଷ୍ଟ କରିଛନ୍ତି।
ଶ୍ରୀ ବେହେରା କହିଛନ୍ତି,”କେନ୍ଦ୍ର ୨ ଟଙ୍କା ଉତ୍ପାଦ ଶୁଳ୍କ ହ୍ରାସ ଯୋଗୁଁ ରାଜ୍ୟ କ୍ଷତି ସହୁଛି। କେନ୍ଦ୍ର ୧.୧୬ ଟଙ୍କା କ୍ଷତି ସହୁଥିବା ବେଳେ ରାଜ୍ୟର କ୍ଷତି ୧.୩୬ ଟଙ୍କା ହେଉଥିଲା। ତେଣୁ ଭାଟ୍ ଛାଡ଼ ହେବ ନାହିଁ।”

 

LEAVE A REPLY

Please enter your comment!
Please enter your name here