ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ଏବଂ କେନ୍ଦ୍ର ସରକାରଙ୍କ କୃଷି ଆଇନ ପ୍ରତ୍ୟାହାର ଦାବିରେ ଯୁବ କଂଗ୍ରେସ ଶଗଡ଼ ରାଲି କରିଛି। ମଙ୍ଗଳବାର ଓଡ଼ିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଡକ୍ଟର ସ୍ମୃତିରଞ୍ଜନ ଲେଙ୍କାଙ୍କ ନେତୃତ୍ୱରେ ଏହି ବିଶାଳ ଶଗଡ଼ ରାଲି ଭୁବନେଶ୍ୱରସ୍ଥିତ ପାୱାରହାଉସ୍ ଛକରୁ ବାହାରି ରାଜଭବନ ଅଭିମୁଖେ ଯାତ୍ରା କରିଥିଲା।

ଶଗଡ଼ ରାଲି ପୂର୍ବରୁ ଏକ ସଭା କରାଯାଇଥିଲା। ଏହି ସଭାରେ ଡକ୍ଟର ଲେଙ୍କା ନିଜ ବକ୍ତବ୍ୟରେ କହିଥିଲେ, ‘‘ସମଗ୍ର ଦେଶ କରୋନା ମହାମାରୀରୁ ମୁକୁଳି ନଥିଲା ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ପେଟ୍ରୋଲ, ଡିଜେଲ ଉପରେ ଟ୍ୟାକ୍ସ ଲଗାଇ ଅହେତୁକ ବୃଦ୍ଧି କରୁଛନ୍ତି, ଯାହାର ପ୍ରଭାବରେ ନିତ୍ୟ ବ୍ୟବହାର୍ଯ୍ୟ ଦ୍ରବ୍ୟର ମୂଲ୍ୟବୃଦ୍ଧି ଘଟୁଛି, ଯାହାଦ୍ୱାରା ଜନସାଧାରଣ ଅକଥନୀୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ରରେ ୟୁ.ପି.ଏ. ସରକାର ଥିବା ବେଳେ ଅନ୍ତର୍ଜାତୀୟ ବଜାରରେ ବ୍ୟାରେଲ୍ ପିଛା ୧୧୦ ଡଲାର ଥିଲାବେଳେ ବଜାରରେ ପେଟ୍ରୋଲ, ଡିଜେଲ ଦର ୭୦ ଟଙ୍କାରୁ ଊର୍ଦ୍ଧ୍ୱ ହୋଇନଥିଲା। ବର୍ତ୍ତମାନ ଅ ନ୍ତର୍ଜାତୀୟ ବଜାରରେ ତେଲ ବ୍ୟାରେଲ ପିଛା ୫୦ ଡଲାରରୁ କମ୍ ଥିବାବେଳେ  ପେଟ୍ରୋଲ, ଡିଜେଲ ଦର ୯୦ ଟଙ୍କା ପାଖାପାଖି ହେଲାଣି। ଏଥିରୁ ପ୍ରତିଫଳିତ ହେଉଛି ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଟିକସ ନାମରେ ସାଧାରଣ ଜନତାଙ୍କୁ ଠକୁଛନ୍ତି’’ ।

ଦୀର୍ଘ ୬୬ ଦିନରୁ ଅଧିକ ହେବ ଦେଶର ଅନ୍ନଦାତା କେନ୍ଦ୍ର ସରକାରଙ୍କ ଦ୍ୱାରା ଲାଗୁ କରାଯାଇଥିବା କୃଷି ଆଇନକୁ ବିରୋଧ କରି ଶୀତ, ଖରା, କାକରରେ ଆନ୍ଦୋଳନରେ ବସିଛନ୍ତି। କେନ୍ଦ୍ର ସରକାର ସେମାନଙ୍କର ଦାବିକୁ ପୂରଣ ନ କରି ଏହି ଆନ୍ଦୋଳନକୁ ଭଣ୍ଡୁର କରିବା ଲାଗି ଷଡ଼ଯନ୍ତ୍ର ରଚୁଛନ୍ତି ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି।

ଯଦି ଆଗାମୀ ଦିନରେ କଳା କୃଷି ଆଇନକୁ ପ୍ରତ୍ୟାହାର ନ କରାଯାଏ, କୃଷକମାନଙ୍କ ସ୍ୱାର୍ଥପାଇଁ ଯୁବ କଂଗ୍ରେସ ସମଗ୍ର ରାଜ୍ୟରେ ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି ଡକ୍ଟର ଲେଙ୍କା କହିଛନ୍ତି।

ଏହାସହିତ ଯୁବ କଂଗ୍ରେସର ଏକ ପ୍ରତିନିଧି ଦଳ ରାଜଭବନରେ ପହଞ୍ଚି ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରିଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଯୁବ କଂଗ୍ରେସ ଉପସଭାପତି ଅଭିଳାଷ ମାଣିଆ, ମହମ୍ମଦ ଅଲୀମ୍, ରାଜୀବ ପଟ୍ଟନାୟକ, ସଙ୍କୁନା କହଁର, ରଞ୍ଜିତ ପାତ୍ର, ଆର୍ଯ୍ୟବୀର ଲେଙ୍କା, ଅଜୟ ସାହୁ, ସ୍ୱାଗତ କର, ବିଶ୍ୱରଞ୍ଜନ ଦାସ, ନଳିନୀକାନ୍ତ ନାୟକ, ବିପ୍ଳବ ଶିଲାଦିତ୍ୟ, ବିକି ଚକ୍ରବର୍ତ୍ତୀ, ଗୋପନ ମାର୍ଥା, ଆଶୁତୋଷ ଲେଙ୍କା, ସ୍ମୃତି ମନ୍ତ୍ରୀ, ଆକ୍ୟୁବ୍ ଖାଁ, ହାପି ରଥ, ସମ୍ରାଟ ଜେନା, ମନୋରଞ୍ଜନ  ପଟ୍ଟନାୟକ, ରିତୁଲ ମହାରଣା ପ୍ରମୁଖ ଯୋଗ ଦେଇଥିଲେ।

Comment