ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୀପାବଳି ଅବସରରେ ରିଲିଜ ହେବାକୁ ଥିବା ‘ତୁ ମୋ ହିରୋ’ ସିନେମାରେ ବଙ୍ଗୀୟ ନାୟିକା ଝିଲିକ୍‍ ଭଟ୍ଟାଚାର୍ଯ୍ୟ ତାଙ୍କ ଅଭିନୟର ଯାଦୁରେ ପୁଣିଥରେ ଦର୍ଶକଙ୍କ ମନ ଜିଣିବାର ବିଶ୍ୱାସ ରଖିଛନ୍ତି। ଏହି ସିନେମାରେ ତାଙ୍କ ନାୟକ ସାଜିଛନ୍ତି ପ୍ରତିଭାବାନ ଅଭିନେତା ଜ୍ୟୋତି ରଞ୍ଜନ ନାୟକ। ଉଦୟ ମୁଭିଜ୍‍ ବ୍ୟାବରରେ ପ୍ରସ୍ତୁତ ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ଦିଲ୍ଲୀପ ପଣ୍ଡା ଓ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ବୈଦ୍ୟନାଥ ଦାଶ।
“ଏହି ସିନେମାଟି ଯୁବପିଢିଙ୍କ ମନକୁ ଛୁଇଁବ। ପ୍ରେମ ଓ ସଂଘର୍ଷକୁ ନେଇ ଏହାର କାହାଣୀ ଗତିଶୀଳ ହୋ‍ଇଛି। ଏଥିରେ ମୁଁ ଏକ ଧନୀଘରର ଝିଅ ଭୂମିକାରେ ଅଭିନୟ କରିଛି। ସମୟକ୍ରମେ ଜଣେ ବସ୍ତିରେ ରହୁଥିବା ପିଲାର ପ୍ରେମରେ ପଡ଼ି ଘର ଛାଡୁଛି। ବାସ୍ତବିକ ଜୀବନର ସତ୍ୟତା ସହ ପରିଚୟ ହେବା ପରେ ଆମେ ଦୁଇଜଣ କିପରି ବଞ୍ଚିବା ପାଇଁ ସଂଘର୍ଷ କରୁଛୁ, ତାକୁ ନେଇ କାହାଣୀ ଗତିଶୀଳ ହୋ‍ଇଛି”, କହିଛନ୍ତି ଝିଲିକ୍‍।
ଜ୍ୟୋତିଙ୍କ ସହ କାମ କରିବାରେ ତାଙ୍କୁ କୌଣସି ଅସୁବିଧା ହୋ‍ଇନାହିଁ ତଥା ଦୁଇଜଣଙ୍କୁ ପରଦା ଉପରେ ଲୋକେ ପସନ୍ଦ କରିବେ ବୋଲି ତାଙ୍କର ବିଶ୍ୱାସ ବୋଲି ସେ ମତ ଦେଇଛନ୍ତି।
୨୦୧୩ ମସିହାରେ ରିଲିଜ୍‍ ହୋ‍ଇଥିବା ‘ଟାର୍ଗେଟ୍‍’ ସିନେମା ଜରିଆରେ ଝିଲିକ୍‍ ଓଡ଼ିଆ ସିନେଜଗତରେ ପାଦ ଦେଇଥିଲେ। ପରେ ପରେ ବାବୁସାନଙ୍କ ସହ ‘ସୁପର ମିଛୁଆ’, ‘ଲେଖୁ ଲେଖୁ ଲେଖିଦେଲି’, ‘ଆଖିରେ ଆଖିରେ’, ‘ଜବରଦସ୍ତ ପ୍ରେମିକ’, ଅରିନ୍ଦମଙ୍କ ସହ ‘ଲଭ୍‌ ୟୁ ହମେସା’, ଅନୁଭବଙ୍କ ସହ ‘ଜଗା ହାତରେ ପଘା’, ‘ଅଗସ୍ତ୍ୟ’, ‘ଦେବୀ’ ଆଦି ସିନେମାରେ ନିଜ ଅଭିନୟର ଯାଦୁରେ ଦର୍ଶକଙ୍କ ମନ ଜିଣିପାରିଥିଲେ।
ଦୀପାବଳି ଅବସରରେ ରିଲିଜ ହେବାକୁ ଥିବା ‘ତୁ ମୋ’ ହିରୋ’ ସିନେମାରେ ଦର୍ଶକ ଝିଲିକ୍‍ ଓ ଜ୍ୟୋତିଙ୍କ ଯୋଡ଼ିକୁ କେତେ ପସନ୍ଦ କରୁଛନ୍ତି, ତାହା ଦେଖିବା ବାକି ରହିଲା।

LEAVE A REPLY

Please enter your comment!
Please enter your name here