ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୦୧୯ ନିର୍ବାଚନ ଲଢ଼ିବେ ନାହିଁ ବୋଲି କଂଗ୍ରେସର ବରିଷ୍ଠ ନେତା ନରସିଂହ ମିଶ୍ର ସ୍ପଷ୍ଟ କରିବା ପରେ ରାଜ୍ୟ ରାଜନୀତିରେ ଆଲୋଡ଼ନ ସୃଷ୍ଟି ହୋଇଛି। ନିର୍ବାଚନ ଲଢ଼େଇରୁ ସନ୍ନ୍ୟାସ ନେବା ଏବଂ ସାମ୍ପ୍ରତିକ ରାଜନୀତି ସମ୍ପର୍କରେ ‘ଓଡ଼ିଶାଲାଇଭ୍‌’କୁ ସ୍ୱତନ୍ତ୍ର ସାକ୍ଷାତକାର ଦେଇଛନ୍ତି ଶ୍ରୀ ମିଶ୍ର।

ନିର୍ବାଚନ ଲଢ଼େଇରୁ ସନ୍ନ୍ୟାସ ନେବେ ବୋଲି ଆପଣ ସ୍ପଷ୍ଟ କରିଛନ୍ତି। ତେବେ ହଠାତ୍ ଏଭଳି ନିଷ୍ପତ୍ତି କ’ଣ ପାଇଁ?
ଏହି ନିଷ୍ପତ୍ତି ମୁଁ ହଠାତ୍ ନେଇ ନାହିଁ। ପୂର୍ବରୁ ମୁଁ କହି ଆସିଛି ଯେ, ୭୦ ବର୍ଷ  ଅତିକ୍ରମ କଲେ ନିର୍ବାଚନ ଲଢ଼ିବା ଉଚିତ୍ ନୁହେଁ। କାରଣ ଶରୀର ଏବଂ ମନ ଉପରେ ବୟସର ପ୍ରଭାବ ରହିଥାଏ। ଜଣେ ନିର୍ବାଚିତ ପ୍ରତିନିଧ ଲୋକଙ୍କୁ ସେବା କରିବା ପାଇଁ ନିର୍ବାଚିତ ହୋଇଥାଏ। ଲୋକଙ୍କ ପାଖରେ ପହଞ୍ଚିବା ହେଉଛି ଜଣେ ନିର୍ବାଚିତ ପ୍ରତିନିଧିଙ୍କ କର୍ତ୍ତବ୍ୟ। ଯଦି ସେ କର୍ତ୍ତବ୍ୟ ଆମେ ଠିକ୍‌ରେ ପାଳନ କରିପାରିବା ନାହିଁ ତାହାଲେ କ୍ଷମତା ଲୋଭରେ ଆମେ କାହିଁକି ନିର୍ବାଚନ ଲଢ଼ିବା?
ନିର୍ବାଚନ ଲଢ଼ିବା ପାଇଁ ନିର୍ଦ୍ଦିଷ୍ଟ ବୟସ ସୀମା ରହିଛି। ଅବସର ପାଇଁ ବୟସ ସୀମା ରହିବା ଦରକାର କି?
ରାଜନୀତିରୁ ଅବସର ନେବାର ବୟସ ସୀମା ନାହିଁ। ହେଲେ କେତେକ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦେଇଛି। ମୋରାଜି ଦେଶାଈ ଏବଂ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ସ୍ୱାସ୍ଥ୍ୟଗତ ସମସ୍ୟା ନଥିବାରୁ ସେମାନେ ବଞ୍ଚିଥବା ପର୍ଯ୍ୟନ୍ତ ରାଜନୀତିରେ ରହିଥିଲେ। ହେଲେ ସେମାନଙ୍କ ସ୍ୱାସ୍ଥ୍ୟ ଭଳି ସମସ୍ତଙ୍କ ସ୍ୱାସ୍ଥ୍ୟ ସମାନ ନୁହେଁ। ଏଣୁ ମୋର ମତ ହେଲା, ୭୦ ବର୍ଷ ପରେ ନିର୍ବାଚନ ଲଢ଼ିବା ଉଚିତ୍ ନୁହେଁ।
ରାଜ୍ୟରେ କଂଗ୍ରେସର ସ୍ଥିତି ଭଲ ନଥିବାରୁ ଆପଣ ହଠାତ୍ ଏଭଳି ନିଷ୍ପତ୍ତି ନେଇଛନ୍ତି କି?
ଯେଉଁମାନେ ଏଭଳି ଚର୍ଚ୍ଚା କରୁଛନ୍ତି ସେମାନେ ବୋଧହୁଏ ମୋର ଅତୀତ ରାଜନୀତି ଜାଣି ନାହାନ୍ତି। ସେଥିପାଇଁ ସେମାନେ ଏମିତି କଥା କହୁଛନ୍ତି।
ବଲାଙ୍ଗୀରରେ ଆପଣଙ୍କ ପୁଅ ଉତ୍ତରାଧିକାରୀ ସୂତ୍ରରେ ପ୍ରାର୍ଥୀ ହେବାର ଅଛି କି?
ଭବିଷ୍ୟତରେ କ’ଣ ହେବ ତାହା କେବଳ ଜ୍ୟୋତିଷ ହିଁ କହିପାରିବ। ଲୋକେ ଚାହିଁଲେ ସେ ରାଜନୀତିକୁ ଆସିବ। ହେଲେ ପରିବାରବାଦ ରାଜନୀତିକୁ ମୁଁ ବିରୋଧ କରେ। ହେଲେ ସମ୍ବିଧାନରେ ନିୟମ ନାହିଁ ଯେ, ଜଣେ ରାଜନୀତି କଲେ ତା’ ପୁଅ କିମ୍ବା ପରିବାର ରାଜନୀତି କରିପାରିବେ ନାହିଁ।
୧୭ ବର୍ଷ ହେଲା କଂଗ୍ରେସ ବିରୋଧୀ ଦଳ ଆସନରେ ବସିଛି। ଆପଣଙ୍କ ଦଳ ଏହି ଦାୟିତ୍ୱ ନିର୍ବାହ କରିବାରେ କେତେ ସଫଳ?
ଅନେକ ଥର ସଫଳ ହୋଇଛି ଏବଂ ବିଫଳ ମଧ୍ୟ ହୋଇଛି। ୧୭ ବର୍ଷ ହେଲା ଯେଉଁ ସରକାର ଶାସନରେ ରହିଛନ୍ତି ତାଙ୍କର ଅନେକ ବିଫଳତା ବିଧାନସଭାରେ ଆଲୋଚନା ହୋଇଛି। ସରକାରଙ୍କୁ ଜନସାଧାରଣଙ୍କ କାଠଗଡ଼ାରେ ଛିଡ଼ା କରିଛି। ଏହାର ଉଦାହରଣ ହେଉଛି ଚିଟଫଣ୍ଡ ଦୁର୍ନୀତି। ଚିଟଫଣ୍ଡ ଦୁର୍ନୀତି ସମ୍ପର୍କରେ କଂଗ୍ରେସ ଦଳ ତରଫରୁ ଯେଉଁ ପ୍ରଶ୍ନ ଉପସ୍ଥାପନ କରାଯାଇଥିଲା ତାର ଉତ୍ତର ଶାସକ ଦଳ ପାଖରେ ନଥିଲା। ଫଳରେ ସରକାର ବିରୋଧୀ ଦଳ ନେତାଙ୍କ ଇସ୍ତଫା ମାଗି ଓଡ଼ିଶା ରାଜନୀତିରେ ଏକ ନୂଆ ଇତିହାସ ସୃଷ୍ଟି କଲେ। ବିରୋଧୀ ଦଳ ନେତାଙ୍କ କୁଶ ପୁତ୍ତଳିକା ଦାହ କରାଗଲା ଏବଂ ବିଧାନସଭାକୁ ୪ ଦିନ ଅଚଳ କରାଗଲା। ଏହାଦ୍ୱାରା ଚିଟଫଣ୍ଡ ଦୁର୍ନୀତି ଲୋକଙ୍କ ପାଖରେ ପହଞ୍ଚିପାରିଲା ନାହିଁ।
୩ ବର୍ଷର ମୋଦି ସରକାରଙ୍କ ବିଷୟରେ କ’ଣ କହିବେ?
୨୦୧୪ ନିର୍ବାଚନ ପ୍ରଚାର ବେଳେ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ ଯେ, ତାଙ୍କ ସରକାର ଆସିଲେ ବିଦେଶରୁ କଳାଧନ ଆଣିବେ। ୬ ମାସ ମଧ୍ୟରେ ପ୍ରତି ଗରିବ ପରିବାର ଆକାଉଣ୍ଟରେ ୧୫ ଲକ୍ଷ ଟଙ୍କା ଜମା କରିବେ। ଅନେକ ୬ ମାସ ଯାଇଥିଲେ ମଧ୍ୟ ବିଦେଶରୁ କଳାଧନ ଆସି ପାରିଲା ନାହିଁ କି କୌଣସି ପରିବାର ଆକାଉଣ୍ଟରେ ଟଙ୍କାଟିଏ ଜମା ହୋଇନାହିଁ। କୃଷି ଉତ୍ପାଦିତ ସାମଗ୍ରୀ ଦେଢ଼ ଗୁଣା ଦରାର ସରକାର କିଣିନେବେ ବୋଲି ମୋଦି ଘୋଷଣା କରିଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ। କଂଗ୍ରେସ ଦଳ ବିଧାନସଭାରେ ଏହାକୁ ଆଲୋଚନା କଲା।  ଚାଷୀଙ୍କ ସ୍ୱାର୍ଥ ରକ୍ଷା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ଲାଗି ବିଧାନସଭାରେ ପ୍ରସ୍ତାବ ପାରିତ ହେଲା। ହେଲେ ମୋଦି ଆଲୋଚନା କରିବାକୁ ସମୟ ଦେଉ ନାହାନ୍ତି। ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବାରେ ମୋଦି ସରକାର ବିଫଳ। ମିଛ ପ୍ରତିଶ୍ରୁତି ଦେଇ ମୋଦି ଠକି ଦେଇଛନ୍ତି ବୋଲି ଯୁବକ କହିଲେଣି।  ଏହାକୁ କଂଗ୍ରେସ ଦଳ ବିଧାନସଭାରେ ଉଠାଇଛି।
ବିଧାନସଭା ବାହାରେ ସରକାରଙ୍କ ବିଫଳତାକୁ କଂଗ୍ରେସ କାହିଁକି ଅସ୍ତ୍ର କରିପାରୁନି?
କିଏ କହିଲା କଂଗ୍ରେସ ଦଳ ବାହାରେ ସରକାରଙ୍କ ବିଫଳତାକୁ ଅସ୍ତ୍ର କରିପାରୁନି? ମୋଦିଙ୍କ ସପକ୍ଷରେ ଯେଉଁ ସୋସିଆଲ ମିଡିଆ ଯାଉଥିଲା ତାହା ଏବେ କମିଗଲାଣି। କଂଗ୍ରେସ ସପକ୍ଷରେ ଏବେ ସୋସିଆଲ ମିଡିଆ ଗଲାଣି। ଯେଉଁ ସୋସିଆଲ ମିଡିଆ ମୋଦି ଏବଂ ବିଜେପିକୁ ୨୦୧୪ ନିର୍ବାଚନ ଜିତିବାରେ ସହାୟକ ହୋଇଥିଲା ସେହି ଦଳ ଏବେ କହୁଛି ସୋସିଆଲ ମିଡିଆ ମୂଲ୍ୟହୀନ। ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ମୋଦି ଏବଂ ବିଜେପି ଭୟଭୀତ। ରାଜ୍ୟ ସରକାର ମଧ୍ୟ ଅନେକ କ୍ଷେତ୍ରରେ ବିଫଳ। ଚାଷ ଜମିକୁ ଜଳସେଚନ, ଯୁବକଙ୍କୁ ନିଯୁକ୍ତି ଦେବା କ୍ଷେତ୍ରରେ ଆମ ମୁଖ୍ୟମନ୍ତ୍ରୀ ବିଫଳ। ମିଥ୍ୟାକୁ ଆଶ୍ରୟ କରି ସେ ବିଧାନସଭାରେ ତଥ୍ୟ ଦେଇଛନ୍ତି।
 ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ବିଫଳତାକୁ ନେଇ କଂଗ୍ରେସ ଜନମତ ସଂଗ୍ରହ କରିପାରୁନି କାହିଁକି?
ସରକାରଙ୍କ ବିଫଳତାକୁ ଲୋକଙ୍କ ପାଖରେ ପହଞ୍ଚାଇବାର ମାଧ୍ୟମ ହେଉଛି ଗଣମାଧ୍ୟମ। ହେଲେ ଗଣମାଧ୍ୟମ ଠିକ୍‌ରେ ତାର ଦାୟିତ୍ୱ ନିର୍ବାହ କରୁନାହିଁ। କେଉଁଥିପାଇଁ ଆମକୁ ସହଯୋଗ ମିଳୁନି ତାହା ବୁଝି ପାରୁନି।
ବିରୋଧୀ ଦଳ ନେତାଙ୍କୁ ଛାୟା ସରକାର କୁହାଯାଏ। ଏହା ଓଡ଼ିଶା ବିଧାନସଭାରେ କେତେଦୂର କାର୍ଯ୍ୟକାରୀ ହେଉଛି?
ବ୍ରିଟିଶ ଶାସନ ଅନୁସାରେ ବିାରୋଧୀ ଦଳ ନେତାଙ୍କୁ ଛାୟା ସରକାର କୁହାଯାଏ। ହେଲେ ତାହା ବାସ୍ତବରେ କାର୍ଯ୍ୟକାରୀ ହୁଏ ନାହିଁ। ବିରୋଧୀ ଦଳ ନେତାଙ୍କ ଉପଦେଶ, ଅନୁରୋଧକୁ ଓଡ଼ିଶା ସରକାର ଗ୍ରହଣ କରନ୍ତି ନାହିଁ। ସଂଖ୍ୟାବଳର ଗାରିମା ଦେଖାଇ ସରକାର ବିରୋଧୀ ଦଳକୁ ସମ୍ମାନ ଦେଉ ନାହାନ୍ତି।
ରାଜ୍ୟବାସୀ କଂଗ୍ରେସକୁ କାହିଁକି ବାରମ୍ବାର ପ୍ରତ୍ୟାଖ୍ୟାନ କରୁଛନ୍ତି?
କିଛି ଦୋଷ ଦୁର୍ବଳତା ଆମର ରହିଯାଇଛି। ସଙ୍ଗଠନ ଯେତିକି ସୁଦୃଢ଼ ହେବା କଥା, ତାହା ହୁଏତ ଆମେ କରିପାରି ନଥିବୁ। ସେ ବିଷୟରେ ଆଲୋଚନା ଦଳ ଭିତରେ କରାଯାଏ, ଗଣମାଧ୍ୟମରେ ନୁହେଁ।
୨୦୧୯ ପାଇଁ ବିଜେପି-ବିଜେଡି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କଲେଣି। କଂଗ୍ରେସ ପଛରେ ପଡ଼ିଯାଇଛି କାହିଁକି?
କିଛି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିନାହାନ୍ତି। ହୋ ହଲ୍ଲା କରି ବାତାବରଣକୁ ସରଗରମ୍ କରୁଛନ୍ତି। ତେବେ ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି କାହିଁକି ଏପର୍ଯ୍ୟନ୍ତ ପୂରଣ କରିନାହାନ୍ତି ସେ ପ୍ରସଙ୍ଗରେ ମୁହଁ ଖୋଲୁ ନାହାନ୍ତି। ଆଛେ ଦିନ୍‌ ଓ ସ୍ୱଚ୍ଛ ଭାରତର ସଫଳତା କୁଆଡେ ଗଲା? ଅଜସ୍ର ଟଙ୍କା ଖର୍ଚ୍ଚ କରି ବିଜେପି କେବଳ ପ୍ରଚାର କରୁଛି। ମହାତ୍ମାଗାନ୍ଧିଙ୍କ ହତ୍ୟାକାରୀଙ୍କ ଆଦର୍ଶରେ ପରିଚାଳିତ ଦଳ ଯଦି ଶାସନ କରିବ ଦେଶର ଅବସ୍ଥା କ’ଣ ହେବ ତାହା ଏବେଠାରୁ ସ୍ପଷ୍ଟ ଜଣାପଡ଼ୁଛି।
ସୁବଳ ସାହୁଙ୍କ ପରିବାର କଂଗ୍ରେସ ଛାଡ଼ି ବିଜେଡିରେ ସାମିଲ୍‌ ହୋଇଗଲେ। କଂଗ୍ରେସ କ’ଣ କରିବ?
ମୁଁ କଂଗ୍ରେସରେ ଅଛି ବୋଲି ମୋ ପରିବାର କ’ଣ କଂଗ୍ରେସ ହେବେ କି? ଏଭଳି ଯୁକ୍ତିର ଅର୍ଥ ମୁଁ ବୁଝିପାରୁ ନାହିଁ। ଗୋଟିଏ ପରିବାରରେ ଭିନ୍ନ ଭିନ୍ନ ଦଳର ଲୋକ ରହିଛନ୍ତି। କେରଳର କେ ଟି ଥୋମାସ୍‌  ଏବଂ ତାଙ୍କ ସ୍ତ୍ରୀ ଅଲଗା ଅଲଗା ଦଳର ଥିଲେ। ଓଡ଼ିଶାରେ ମଧ୍ୟ ଏଭଳି ଅନେକ ଉଦାହରଣ ରହିଛି। ଏଣୁ ସୁବଳ ସାହୁଙ୍କ ସ୍ତ୍ରୀ ଏବଂ ପୁଅ କେଉଁ ଦଳର ତାକୁ ନେଇ ଏତେ ଆଲୋଚନା କରିବାର କିଛି ମାନେ ନାର୍ହି।
ବିଜେପୁରରେ କଂଗ୍ରେସର ସ୍ଥିତି କ’ଣ?
ଏପର୍ଯ୍ୟନ୍ତ ବିଜେପୁର ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନି। ହେଲେ ବିଭିନ୍ନ ଦଳ କସରତ ଆରମ୍ଭ କରି ଦେଇଛନ୍ତି। ନିର୍ବାଚନ ସମ୍ପର୍କୀତ ମାମଲା ହାଇକୋର୍ଟରେ ଚାଲିଥିଲେ ସେନେଇ ନିର୍ବାଚନ କମିଶନ କୌଣସି ନିଷ୍ପତ୍ତି ନେଇ ପାରନ୍ତି ନାହିଁ। ବିଜେପୁର ନିର୍ବାଚନମଣ୍ଡଳୀକୁ ନେଇ ହାଇକୋର୍ଟରେ ମାମଲା ରହିଛି। ଏଣୁ ସାଧାରଣ ନିର୍ବାଚନ ପୂର୍ବରୁ ବିଜେପୁର ଉପ ନିର୍ବାଚନ ହୋଇ ନପାରେ। ଯଦିବା ନିର୍ବାଚନ ହୁଏ, ସେଠି କଂଗ୍ରେସ ହିଁ ଜିତିବ। କାରଣ ବିଜେପୁର କଂଗ୍ରେସର ଗଡ଼। ବିଜେପି ଏବଂ ବିଜେଡିର ନେତା ନଥିବାରୁ ସେମାନେ ଅନ୍ୟ ଦଳରୁ ନେତାଙ୍କୁ ଆମଦାନୀ କରୁଛନ୍ତି।
ପିସିସି ସଭାପତି ପରିବର୍ତ୍ତନକୁ ନେଇ ଆପଣଙ୍କ ଦଳରେ ଚର୍ଚ୍ଚା ହେଉଥିଲା। କ’ଣ ହେଲା?
ପିସିସି ସଭାପତି ପରିବର୍ତ୍ତନକୁ ନେଇ ମୁଁ କେବେ ଚର୍ଚ୍ଚା କରିନି। ଯେଉଁମାନେ ଚର୍ଚ୍ଚା କରୁଛନ୍ତି ସେ ସମ୍ପର୍କରେ ମୋର କିଛି କହିବାର ନାହିଁ। ଆମ ଘରେ କ’ଣ ଆଲୋଚନା ହେଲା ତାହା ଗଣମାଧ୍ୟମରେ ପ୍ରକାଶ କରିବା ଅନୁଚିତ୍‌।
 ପୂର୍ବର ନିର୍ବାଚନ ଲଢେଇ ଏବଂ ବର୍ତ୍ତମାନ ଲଢ଼େଇ ଭିତରେ କ’ଣ ତଫାତ୍?
୧୯୫୨ ମସିହାରୁ ଆଜି ପର୍ଯ୍ୟନ୍ତ ଯେତେ ନିର୍ବାଚନ ହୋଇଛି ତାହା ଗଣତାନ୍ତ୍ରିକ ପଦ୍ଧତିରେ ହୋଇଛି ବୋଲି ମୁଁ ସ୍ୱୀକାର କରିବିନି। କାରଣ ଲୋକଙ୍କ ଉପରେ ଜୋର ଜବରଦସ୍ତ ମତଦାନ ପ୍ରକ୍ରିୟାକୁ ଲଦି ଦେବା ଗଣତନ୍ତ୍ର ନୁହେଁ।

(ପ୍ରସ୍ତୁତି: ସରୋଜ ଓ ସତ୍ୟବ୍ରତ)

 

LEAVE A REPLY

Please enter your comment!
Please enter your name here