କପିଳାସ ଭୂୟାଁ

ଆଜି ବିଶ୍ଵ ଅଣ୍ଡା ଦିବସ।
ପ୍ରତିବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ସପ୍ତାହର ଶୁକ୍ରବାର ଦିନ ଏହି ବିଶ୍ଵ ଅଣ୍ଡା ଦିବସ ପାଳନ କରାଯାଏ।
ସଂପୂର୍ଣ୍ଣ ଦ୍ଵିଧାମୁକ୍ତ ଭାବେ କୁହାଯାଇପାରେ ଯେ ଅଣ୍ଡା ହେଉଛି ଆବାଳ-ବୃଦ୍ଧ-ବନିତା ସମସ୍ତଙ୍କ ପାଇଁ ଏକ ଉପାଦେୟ ଖାଦ୍ୟ। ପ୍ରାକୃତିକ ଉପାୟରେ ଏହାର ପାକେଜିଙ୍ଗ – ଅର୍ଥାତ, ସୁରକ୍ଷିତ ଖୋଳପା ଭିତରେ ରହୁଥିବାରୁ ଅଣ୍ଡା ଅତ୍ୟନ୍ତ ବିଶୁଦ୍ଧ। ଅଣ୍ଡାରେ ରହିଛି ଏକାଧିକ ପ୍ରାକୃତିକ ଉପାଦାନ, ଯାହା ଶରୀର ଗଠନ ପାଇଁ ବିଶେଷ ସହାୟକ ହୋଇଥାଏ। ଶରୀର ଗଠନ ପାଇଁ ଆବଶ୍ୟକୀୟ ନାନାଦି ଭିଟାମିନ ଠାରୁ ଆରମ୍ଭ କରି ଖଣିଜଶକ୍ତି ଭରପୁର ହୋଇ ରହିଥିବାରୁ ଅଣ୍ଡାକୁ ଅତ୍ୟନ୍ତ ପୁଷ୍ଟିକର ଖାଦ୍ୟ ରୂପେ ବିବେଚନା କରାଯାଏ। ଅଣ୍ଡା ହେଉଛି ପୁଷ୍ଟିସାରରେ ଭରପୁର ଏକ ପୌଷ୍ଟିକ ଆହାର ଓ ପ୍ରକୃତିଦତ୍ତ ଗୋଟିଏ ବଡ ଆକାରର ଭିଟାମିନ ବଟିକା।
ଅଣ୍ଡାରେ ରହିଛି କୋଲିନ, ଫଲିକ ଏସିଡ, ଆୟୋଡିନ, ଆଇରନ, ପୁଷ୍ଟିସାର, ସେଲେନିୟମ, ଭିଟାମିନ ଏ, ଭିଟାମିନ ବି ୧୨, ଭିଟାମିନ ବି ୨ ବା ରିବୋଫ୍ଲାବିନ, ଭିଟାମିନ ବି ୫ ବା ପଣ୍ଟୋଥେନିକ ଏସିଡ, ଭିଟାମିନ ଡି ଓ ଭିଟାମିନ ଇ ଇତ୍ୟାଦି। କୋଲିନ ସ୍ନାୟୁ ଓ ମାଂଶପେଶୀ ଚାଳନାରେ ସାହାଯ୍ୟ କରେ ଏବଂ ସ୍ମୃତିଶକ୍ତିର ଅଭିବୃଦ୍ଧି କରେ। ଲୋହିତ ରକ୍ତକଣିକା ତିଆରିକରିବା ସହ ଫଲିକ ଏସିଡ ଗର୍ଭସ୍ଥ ଶିଶୁର ଅଭିବୃଦ୍ଧିରେ ସହାୟକ ହୁଏ। ତେଣୁ ଗର୍ଭବତୀ ମହିଳାମାନେ ଅଣ୍ଡା ଖାଇବା ଦରକାର। ଆୟୋଡିନ ଉପାଦାନ ଥାଇରଏଡ ହରମୋନ ତିଆରି କରିବା ସହ ଥାଇରଏଡ ଗ୍ଲାଣ୍ଡ ପରିଚାଳନାରେ ସାହାଯ୍ୟ କରେ।
ସେହିଭଳି ଅଣ୍ଡାରେ ଭରପୁର ରହିଥିବା ଆଇରନ ଖଣିଜ ପଦାର୍ଥ ଲୋହିତ ରକ୍ତକଣିକା ତିଆରି କରିବା ସହ ଶରୀରରେ ରକ୍ତ ପ୍ରବାହ କାଳରେ ଅମ୍ଳଜାନ ପରିବହନରେ ସାହାଯ୍ୟ କରେ। ଏହା ଛଡା ଆଇରନ ଦୃଷ୍ଟିଶକ୍ତିକୁ ଶାଣିତ ରଖେ ତଥା ବାର୍ଦ୍ଧକ୍ୟଜନିତ ଦୃଷ୍ଟିଗତ ସମସ୍ୟା ଓ ମାଂସପେଶୀ ଅବକ୍ଷୟରୁ ସୁରକ୍ଷା ଦିଏ।
ମାଂସପେଶୀ, ଚର୍ମ, ଶରୀରର ଟିସୁ ଇତ୍ୟାଦିର ପୁନଃନିର୍ମାଣ ପାଇଁ ଉପାଦେୟ ପୁଷ୍ଟିସାର ମଧ୍ୟ ଅଣ୍ଡାରେ ରହିଛି। ହରମୋନ, ଏଞ୍ଜାଇମ ଓ ରୋଗ ପ୍ରତିରୋଧକ ଆଣ୍ଟିବଡି ତିଆରିରେ ମଧ୍ୟ ପୁଷ୍ଟିସାରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ସେଲେନିୟମ ଶରୀରର ଟିସୁ କ୍ଷୟକୁ ପ୍ରତିରୋଧ କରେ। ଡି ଏନ ଏ, ପୁଷ୍ଟିସାର ଓ ସ୍ନେହସାର କ୍ଷୟରୁ ମଧ୍ୟ ଏହା ସୁରକ୍ଷା ଦିଏ। ରୋଗ ପ୍ରତିରୋଧ କରିବାରେ ମଧ୍ୟ ସାହାଯ୍ୟ କରେ।
ଅଣ୍ଡାରେ ଥିବା ଭିଟାମିନ ଏ ଶରୀରର କୋଷ ବୃଦ୍ଧି କରିବା ସହ ଦୃଷ୍ଟିଶକ୍ତି, ଚର୍ମ ଗଠନ ଓ ରୋଗ ପ୍ରତିରୋଧ କରେ।
ଲୋହିତ ରକ୍ତ କଣିକା ନିର୍ମାଣ ସହ ମସ୍ତିଷ୍କ ଓ ସ୍ନାୟୁଗୁଚ୍ଛ ପରିଚାଳନାରେ ଭିଟାମିନ ବି ୧୨ ସାହାଯ୍ୟ କରେ। ସେହିଭଳି ଭିଟାମିନ ବି ୨ ବା ରିବୋଫ୍ଲାବିନ ଆଖି ଓ ଚର୍ମକୁ ସୁସ୍ଥ ରଖେ। ଭିଟାମିନ ବି ୫ ବା ପଣ୍ଟୋଥେନିକ ଏସିଡ ଖାଦ୍ୟର ଉତ୍ତାପ ନିଷ୍କାସନ ସହ ଶରୀରର ମେଟାବୋଲିଜିମରେ ସାହାଯ୍ୟ କରେ ଓ ମସ୍ତିଷ୍କ ବ୍ୟବହାରକୁ ସୁସଂହତ ରଖେ। ଭିଟାମିନ ଡି ଅସ୍ଥି ଓ ଦନ୍ତକୁ ସୁସ୍ଥ ରଖେ। ଶରୀରରେ କାଲସିୟମ ସମ୍ମିଶ୍ରଣରେ ସହାୟକ ହୁଏ। ଭିଟାମିନ ଇ ଶରୀରର ପ୍ରଜନନ ପ୍ରଣାଳୀ, ସ୍ନାୟୁଗୁଚ୍ଛ ଓ ମାଂଶାପେଶୀକୁ ସୁସ୍ଥ ରଖିବା ସହ ସୁପରିଚାଳନରେ ସାହାଯ୍ୟ କରେ।
ଅଳ୍ପ ବ୍ୟୟରେ ପ୍ରାକୃତିକ ଉପାୟରେ ନିର୍ମିତ ଏହି ବଡ ଭିଟାମିନ ବଟିକା ଖାଇବା ଦ୍ଵାରା ଆମ ଶରୀରର ଉତ୍ତମ ପୋଷଣ ହୋଇପାରିଥାଏ। ତେଣୁ, ପ୍ରତିଦିନ ଅଣ୍ଡା ଖାଇବା ଅଭ୍ୟାସ କରିବା ଦ୍ଵାରା ଉତ୍ତମ ସ୍ୱାସ୍ଥ୍ୟ ସହ ଜୀବନ ବଞ୍ଚିବା ସହଜସାଧ୍ୟ ହୁଏ।
କିନ୍ତୁ ପ୍ରତ୍ୟେକ ଦିନ ଅଣ୍ଡାଟିଏ ଖାଇବାକୁ କେଉଁଠୁ ମିଳିବ?
ସରକାରୀ ହିସାବ ଅନୁଯାୟୀ ଆମ ଦେଶରେ ବର୍ଷକୁ ମୁଣ୍ଡ ପିଛା ୪୨ଟି ଅଣ୍ଡା ଉତ୍ପାଦନ ହେଉଛି, ଓ ଆମ ରାଜ୍ୟରେ ମୁଣ୍ଡ ପିଛା ଉତ୍ପାଦିତ ଅଣ୍ଡା ସଂଖ୍ୟା ମାତ୍ର ୩୨ଟି। ସ୍ୱାସ୍ଥ୍ୟ ବିଜ୍ଞାନୀମାନଙ୍କ ମତରେ ଜଣେ ବ୍ୟକ୍ତି ଦିନକୁ ଅନ୍ତତଃ ଫାଳେ ଅଣ୍ଡା ଖାଇବା ଦରକାର। ଅର୍ଥାତ, ବର୍ଷକୁ ଅନ୍ୟୁନ ୧୮୨ଟି ଅଣ୍ଡା ଆବଶ୍ୟକ ପଡୁଥିବା ବେଳେ ଆମ ରାଜ୍ୟରେ ମିଳୁଛି ମୁଣ୍ଡ ପିଛା ମାତ୍ର ୩୨ଟି, ଏବଂ ସର୍ବ-ଭାରତୀୟ ସ୍ତରରେ ଏହି ସଂଖ୍ୟା ମାତ୍ର ୪୨ଟି। ତେବେ ଏହି ସଂଖ୍ୟା ଏକ ହାରାହାରି ସଂଖ୍ୟା ହୋଇଥିବାରୁ ପ୍ରକୃତରେ ଦେଖିବାକୁ ଗଲେ ହୁଏତ ବହୁ ସଂଖ୍ୟକ ଲୋକେ ଅଣ୍ଡାଟିଏ ଖାଇବାକୁ ପାଉ ନଥାଇ ପାରନ୍ତି।
୨୦୦୮- ୦୯ର ଗଣନା ଅନୁଯାୟୀ ଆମ ରାଜ୍ୟରେ ବର୍ଷକୁ ପ୍ରାୟ ୬୪ ଲକ୍ଷ ଅଣ୍ଡାର ଚାହିଦା ରହିଥିବା ବେଳେ ସଂଗଠିତ କୁକୁଡା ଫାର୍ମରୁ ଉତ୍ପାଦିତ ଅଣ୍ଡା ସଂଖ୍ୟା ମାତ୍ର ୨୨ଲକ୍ଷ। ଏହା ସହିତ ଗ୍ରାମାଞ୍ଚଳରେ ଲୋକେ ପାଳୁଥିବା ବାଡି କୁକୁଡାଙ୍କ ଠାରୁ ଉତ୍ପାଦିତ ଅଣ୍ଡା ସଂଖ୍ୟା ହାରାହାରି ମାତ୍ର ୨୦ ଲକ୍ଷ। ତେଣୁ ପ୍ରତି ବର୍ଷ ଓଡିଶାରେ ଅଭାବ ପଡୁଥିବା ପ୍ରାୟ ୨୨ଲକ୍ଷ ଅଣ୍ଡା ଆମେ ହାଇଦ୍ରାବାଦ ଓ ଛତିଶଗଡର ରାଇପୁରରୁ ଆମଦାନୀ କରି ଭରଣ କରିବାକୁ ଚେଷ୍ଟା କରୁଛନ୍ତି। ତେବେ ଅଣ୍ଡା ଉତ୍ପାଦନରେ ଆମେ ଆତ୍ମନିର୍ଭରଶୀଳ ହେବା ଅତ୍ୟନ୍ତ ଜରୁରୀ। ଅବଶ୍ୟ ଏହି ଅଭାବ ପୂରଣ ପାଇଁ ୨୦୨୦-୨୫ ସୁଧା ରାଜ୍ୟ ସରକାରଙ୍କ ପକ୍ଷରୁ ଦୈନିକ ଏକ ଲକ୍ଷ ଅଣ୍ଡା ଉତ୍ପାଦନ ଲକ୍ଷ୍ୟ ରକ୍ଷା ଯାଇଛି। କିନ୍ତୁ ସେତେବେଳ ସୁଧା ଅଣ୍ଡାର ଚାହିଦା ଯେ କେତେ ଗୁଣ ବଢି ଯାଇ ନଥିବ ତା’ ବା କିଏ କହିବ? ଏଠାରେ ଉଲ୍ଲେଖନୀୟ କି ଯେ ଗାଁ ଗାଁରେ ବାଡି କୁକୁଡା ପାଳନକୁ ଉତ୍ସାହିତ କରିବା ଦ୍ଵାରା ଅଣ୍ଡାର ଚାହିଦା ତୁଲେଇବା ହୁଏତ ସହଜସାଧ୍ୟ ହେବ।
ଅଣ୍ଡାର ଚାହିଦା ବୃଦ୍ଧି ପାଇବା ଏକ ଭଲ କଥା। ଚାହିଦା ବୃଦ୍ଧିର ଅର୍ଥ ହେଉଛି ଲୋକଙ୍କ ଅଣ୍ଡା ଖାଇବା ଅଭ୍ୟାସ ମଧ୍ୟ ବୃଦ୍ଧି ପାଉଛି। ଅଣ୍ଡା ଖାଇବା ଅଭ୍ୟାସ ବୃଦ୍ଧି ପାଇବା ଅର୍ଥ ସାମଗ୍ରିକ ଭାବେ ସମାଜରେ ଲୋକଙ୍କର ସ୍ୱାସ୍ଥ୍ୟ ଅବସ୍ଥା ମଧ୍ୟ ଭଲ ରହୁଛି ବୋଲି ଧରି ନିଆଯାଇପାରେ।
ଅଣ୍ଡାର ଗୁଣବତ୍ତା ଓ ଉପାଦେୟତା ସମ୍ପର୍କରେ ସାଧାରଣ ଲୋକଙ୍କୁ ସଚେତନ କରିବା ପାଇଁ ଯେଉଁ ଅନ୍ତର୍ଜାତିକ ସଂଗଠନ କାମ କରୁଛି ତା’ର ନାଁ ହେଲା ‘ଇଣ୍ଟର୍ନାସନାଲ ଏଗ କମିଶନ’। ଏହାକୁ ୧୯୬୪ ମସିହାରେ ଗଠନ କରଯାଇଥିଲା। ଏହି କମିଶନ ପକ୍ଷରୁ ୧୯୯୬ ମସିହାରେ ଭିଏନାଠାରେ ଆୟୋଜିତ ସମ୍ମିଳନୀରେ ପ୍ରତିବର୍ଷ ଅକ୍ଟୋବର ମାସ ଦ୍ଵିତୀୟ ଶୁକ୍ରବାର ଦିନ ବିଶ୍ଵ ଅଣ୍ଡା ଦିବସ ପାଳନ କରିବାକୁ ନିଷ୍ପତି ନିଆ ଯାଇଥିଲା।
(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ଦ୍ଦେଶକ)

LEAVE A REPLY

Please enter your comment!
Please enter your name here