ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ବଦଳୁଥିବା ପାଣିପାଗର ପୃଷ୍ଠଭୂମିରେ ଏବେ ଅନେକ କଥା ଶୁଣିବାକୁ ମିଳୁଛି, ଅନେକ କଳ୍ପନା ଜଳ୍ପନା ମଧ୍ୟ ପ୍ରକାଶ ପାଉଛି। ଆଜି ସ୍ୱର୍ଗତ ଲଲାଟେନ୍ଦୁ ମହାପାତ୍ରଙ୍କ ଦ୍ୱାରା ପ୍ରତିଷ୍ଠିତ ଲୁଲୁସେନା ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗ ଦେଇଛି।
କିଛି ଦିନ ତଳେ ଏହି କଳ୍ପନା ଜଳ୍ପନା କରାଯାଉଥିଲା ଯେ ବିଜେଡି ଓ ବିଜେପି ଆଗାମୀ ୨୦୧୯ ନିର୍ବାଚନ ପୂର୍ବରୁ ପୁଣି ଥରେ ମେଣ୍ଟ ଗଢ଼ିବେ। କଂଗ୍ରେସର ପତନ ପରେ ଏବଂ ବିଜେପି ମୁଖ୍ୟ ବିରୋଧୀଦଳ ହେବା ସହିତ ବିଜେଡି ମଧ୍ୟରେ ଆଶଙ୍କା ପ୍ରକାଶ ପାଇଥିଲା ଯେ ବିଜେପିକୁ ଆସନ୍ତା ନିର୍ବାଚନରେ ସାମ୍ନା କରିବା କଷ୍ଟକର ହେବ। ଏହି ଦୃଷ୍ଟିରୁ କିଛି ମହଲରେ ଚର୍ଚ୍ଚା ଚାଲିଲା ଯେ ପୁଣି ଥରେ ଉଭୟ ଦଳ ଭିତରେ ମେଣ୍ଟ ହୋଇପାରେ।
ଜୁଲାଇ ମାସରେ ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ରାମନାଥ କୋବିନ୍ଦକୁ ବିଜୁ ଜନତା ଦଳ ପକ୍ଷରୁ ସମର୍ଥନ ଦିଆଯାଇଥିଲା। ଅନ୍ୟ ପ୍ରସଙ୍ଗରେ ବିଜେଡି ଓ ବିଜେପି ପରସ୍ପର ଉପରେ ଆକ୍ରମଣ କରୁଥିବା ବେଳେ ବିଜେଡି କୋବିନ୍ଦଙ୍କୁ ସମର୍ଥନ ଦେବା ଭିତରେ ମେଣ୍ଟର ଏକ କ୍ଷୀଣ ସମ୍ଭାବନା ଦେଖାଦେଇଥିଲା। ତା’ ପୂର୍ବରୁ ଯେତେବେଳେ ବିଜେପିର ଜାତୀୟ କାର୍ଯ୍ୟକାରିଣୀ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭୁବନେଶ୍ୱର ଆସିଥିଲେ ସେତେବେଳେ ସେ ନବୀନ ପଟ୍ଟନାୟକ ସରକାରଙ୍କ ବିରୁଦ୍ଧରେ କିଛି କହିନଥିଲେ। ତାହାର ଆହୁରି ଆଗରୁ ନରେନ୍ଦ୍ର ମୋଦିଙ୍କ ବିମୁଦ୍ରାକରଣ ନିଷ୍ପତ୍ତିକୁ ଓଡ଼ିଶା ସରକାର ପୂରା ସମର୍ଥନ କରିଥିଲେ। ଏହିସବୁକୁ ଆଖି ଆଗରେ ରଖି କେହି କେହି କହିବାକୁ ଲାଗିଲେ ଯେ ଉଭୟ ଦଳ ନିକଟତର ହେଉଛନ୍ତି।
ଏବେ କିନ୍ତୁ ତାହା ଆଉ ଦେଖାଯାଉନାହିଁ। ବିଜେପି ଓ ବିଜେଡି ବିଗତ କିଛି ଦିନ ଧରି ପରସ୍ପର ବିରୋଧରେ ଯେଉଁଭଳି ସାଂଘାତିକ ମନ୍ତବ୍ୟ ଦେଇଚାଲିଛନ୍ତି ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ଆସନ୍ତା ନିର୍ବାଚନରେ ଏହି ଦୁଇ ଦଳ ଆଉ ନିକଟତର ହେବେ ନାହିଁ।
ନିକଟରେ ବିଜେଡିର ଜନସମ୍ପର୍କ  ଯାତ୍ରା ସମୟରେ ମହୀଷାଖାଲଠାରେ ଯାତ୍ରାକୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ବିଜେପି କ୍ଷମତାର ଦିବା ସ୍ୱପ୍ନ ଦେଖୁଛି। ଅବଶ୍ୟ, ସେ ବିଜେପିର ସିଧା ନାଁ ନେଇନଥିଲେ କିନ୍ତୁ କହିଥିଲେ ଯେ ଲୋକେ ଠିକ୍ ଜବାବ ଦେବେ।
ତାଜା, ବିଜେଡିର ଉପସଭାପତି ଏବଂ କୃଷିମନ୍ତ୍ରୀ ଡାକ୍ତର ଦାମୋଦର ରାଉତ ବିଜେପି ଉପରେ ଯେଉଁ ପ୍ରଶ୍ନବାଣ କରିଛନ୍ତି ତାହା ସବୁଠାରୁ ଆକ୍ରମଣାତ୍ମକ ରଣନୀତି ବୋଲି ଧରାଯାଉଛି। ଖବର ଅନୁସାରେ ବିଜେଡ଼ି ପକ୍ଷରୁ ଆସନ୍ତା ଦିନମାନଙ୍କରେ ଆହୁରି ଆକ୍ରମଣାତ୍ମକ ରଣନୀତି ଗ୍ରହଣ କରାଯିବ।

Comment