ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶରେ ଚାକିରୀ କ୍ଷେତ୍ରରେ ସଂରକ୍ଷଣକୁ ନେଇ ବିବାଦ ଓ ଆଲୋଚନା ଚାଲିଥିବା ବେଳେ ନୀତି ଆୟୋଗ ଅଧ୍ୟକ୍ଷ ରାଜୀବ କୁମାର କହିଛନ୍ତି ଯେ ଘରୋଇ କ୍ଷେତ୍ର ବା ପ୍ରାଇଭେଟ ସେକ୍ଟରରେ ସଂରକ୍ଷଣକୁ ସେ ବିରୋଧ କରନ୍ତି। ଏଥିସହିତ ସେ କହିଛନ୍ତି ଯେ ଦେଶରେ ରୋଜଗାର ସୁବିଧା ଓ  ସୃଷ୍ଟି ହେବା ଦରକାର ଓ ଏଦିଗରେ ପ୍ରୟାସ ଜାରି ରଖିବା ଜରୁରୀ।

କହିରଖୁ ଯେ ଘରୋଇ କ୍ଷେତ୍ରରେ ଅନୁସୂଚିତ ଜାତି ଓ ଜନଜାତିଙ୍କ ପାଇଁ ମଧ୍ୟ ସଂରକ୍ଷଣ ଲାଗୁ କରିବା ନିମନ୍ତେ କିଛି ନେତା ଦାବି କରିଆସୁଛନ୍ତି। ରାଜୀବଙ୍କୁ ଏହି ପ୍ରଶ୍ନ କରାଯାଇଥିଲା ଯାହାର ଉତ୍ତରଦେଇ ସେ ଏହି ମତ ପ୍ରକାଶ କରିଛନ୍ତି। ତାଙ୍କ ମତ ହେଲା ବରଂ ସରକାରୀ କ୍ଷେତ୍ର ରେ ଅଧିକ ନିଯୁକ୍ତି ସୃଷ୍ଟି ହେବା ଆବଶ୍ୟକ।

ଦେଶରେ ବର୍ଷକୁ ୧୦ରୁ ୧୨ ଲକ୍ଷ ଯୁବକଙ୍କ ପାଇଁ ଚାକିରୀ ଦେବା କ୍ଷମତା ସରକାରଙ୍କର ରହିଛି। କିନ୍ତୁ ପ୍ରତି ବର୍ଷ ୬୦ ଲକ୍ଷ ଯୁବକ କାମ କରିବାକୁ ଯୋଗ୍ୟ ବିବେଚିତ ହେଉଛନ୍ତି ।
ରାଜୀବ କୁମାର କହିଲେ,“ଘରୋଇ କ୍ଷେତ୍ରରେ ଯୁବକମାନେ ଚାକିରୀ ଖୋଜୁଛନ୍ତି ,ଅଥଚ ସେହି ଭଳି ଚାକିରୀ ନାହିଁ। ଏଣୁ ସଂରକ୍ଷଣ ଭଳି ଦାବି ଉଠୁଛି।”

ମନେପକାଇ ଦିଆଯାଇପାରେ ଯେ କିଛିଦିନ ତଳେ ଲୋକ ଜନଶକ୍ତି ପାର୍ଟିର ଅଧକ୍ଷ ତଥା କେନ୍ଦ୍ର ମନ୍ତ୍ରୀ ରାମବିଳାସ ପାସ୍ଵାନ ଏହି ପ୍ରସଙ୍ଗ ଉଠାଇଥିଲେ ଓ କହିଥିଲେ ଯେ ଘରୋଇ କ୍ଷେତ୍ରରେ ମଧ୍ୟ ସଂରକ୍ଷଣ ରହିବା ଦରକାର। କେବଳ ପାସ୍ଵାନ ନୁହନ୍ତି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧ।ରାମାୟା, ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ମଧ୍ୟ ବିଭିନ୍ନ ସମୟରେ ଏହି ପ୍ରସଙ୍ଗ ଉପରେ ମତ ଦେଇଛନ୍ତି ଓ ସଂରକ୍ଷଣ ଦାବି କରିଛନ୍ତି।

ଏଣେ ଘରୋଇ ଉଦ୍ୟୋଗ  ଓ ସଙ୍ଗଠନ ପକ୍ଷରୁ ସଂରକ୍ଷଣକୁ କଡ଼ା ବିରୋଧ କରାଯାଇଛି। ଘରୋଇ କମ୍ପାନୀରେ ସଂରକ୍ଷଣ ରହିଲେ ବିକାଶର ରାସ୍ତାରେ ବାଧା ସୃଷ୍ଟି ହେବା ସହିତ ବିଦେଶୀ ପୁଞ୍ଜିନିବେଶ କ୍ଷେତ୍ରରେ ମଧ୍ୟ ଏହା ସମସ୍ୟା ସୃଷ୍ଟି କରିବ ବୋଲି କହିଛନ୍ତି କିଛି ଘରୋଇ ସଂସ୍ଥାର ମାଲିକ।

Comment