ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଜେପୁର ଦଖଲ ପାଇଁ ବିଜେଡି ଅନ୍ୟ ଦୁଇ ଦଳଠାରୁ ଦୁଇ ପାଦ ଆଗରେ ରହିଛି। ବିଜେପୁରରେ କଂଗ୍ରେସ ଏବଂ ବିଜେପିର ପ୍ରାର୍ଥୀ କିଏ ହେବ ତାକୁନେଇ ଅଙ୍କ ଛିଣ୍ଡୁ ନଥିବା ବେଳେ ବିଜେଡି ଆଜି ପ୍ରଚାର ଆରମ୍ଭ କରିଛି। ବିଜେଡି ପ୍ରାର୍ଥୀ ରିତା ସାହୁ ତାଙ୍କ ସ୍ବାମୀ ସୁବଳ ସାହୁଙ୍କ ଗାଁ ଖେମସେରାରୁ ପ୍ରଚାର ବିଗୁଲ୍‌ ଫୁଙ୍କିଛନ୍ତି। ଏହି ପ୍ରଚାରର ମଙ୍ଗ ଧରିଥିଲେ ମନ୍ତ୍ରୀ ସ୍ନୋହାଙ୍ଗିନୀ ଛୁରିଆ।
ରିତା ତାଙ୍କ ସମର୍ଥକଙ୍କ ଗହଣରେ ଖେମସେରାରେ ପହଞ୍ଚିବା ପରେ ତାଙ୍କୁ ଲୋକେ ସ୍ବାଗତ କରିଥିଲେ। ଏହି ଅବସରରେ ଗାଁରେ ଏକ ସଭା ଆୟୋଜନ ହୋଇଥିଲା। ଏହି ସଭାରେ ରିତା ଏବଂ ସ୍ନୋହାଙ୍ଗିନୀ ଭାଷଣ ଦେଇଛନ୍ତି।
ରିତା ସାହୁ କହିଛନ୍ତି, “ଏହି ଗାଁରେ ଆମକୁ ଲୋକେ ସ୍ବାଗତ କରିଛନ୍ତି। ମୋ ସ୍ବାମୀଙ୍କ ଅଧୁରା ସ୍ବପ୍ନକୁ ପୂରଣ କରିବା ପାଇଁ ମୋତେ ଏବଂ ବିଜେଡିକୁ ବିପୁଳ ମାତ୍ରାରେ ଭୋଟ ଦିଅନ୍ତୁ।”
ଏହାପରେ ରିତା ସାହୁ ବିରତାପାଲ୍ଲି ଏବଂ ତିଙ୍ଗିପାଲ୍ଲିରେ ପ୍ରଚାର କରିଥିଲେ। ପ୍ରଚାର ବେଳେ ରିତା ଗାଁର ବିଭିନ୍ନ ଓ୍ବାର୍ଡ ବୁଲିଥିଲେ। ଲୋକଙ୍କ ନିକଟରେ ଭୋଟ ମାଗିଥିଲେ।
କଂଗ୍ରେସର ଦିବଙ୍ଗତ ବିଧାୟକ ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ଉପ-ନିର୍ବାଚନ ହେବ। ତାରିଖ ଘୋଷଣା ହୋଇ ନଥିଲେ ମଧ୍ୟ ବିଜେଡି, ବିଜେପି ଏବଂ କଂଗ୍ରେସ ଗୋଟି ଚାଳନା ଆରମ୍ଭ କରିଛନ୍ତି। ବିଜେଡି ପ୍ରଥମେ ରିତା ସାହୁଙ୍କୁ ଦଳରେ ସାମିଲ କରି ତାଙ୍କୁ ବିଜେପୁର ପାଇଁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା। ଏପଟେ କଂଗ୍ରେସ ଦୁଇ ଜଣଙ୍କୁ ନାମ ହାଇକମାଣ୍ଡଙ୍କ ସୁପାରିଶ ପାଇଁ ପଠାଇଛି। ବିଜେପି ମଧ୍ୟ କାହାକୁ ପ୍ରାର୍ଥୀ କରିବ ତାକୁନେଇ ଦ୍ବନ୍ଦ୍ବରେ ପଡ଼ିଛି।

LEAVE A REPLY

Please enter your comment!
Please enter your name here