ଓଡ଼ିଶାଲାଇଭ୍ ବ୍ୟୁରୋ
କ’ଣ ଭାରତର ଲୋକେ ଆଗକୁ ନଗଦବିହୀନ ହେବାକୁ ଯାଉଛନ୍ତି? ବ୍ୟାଙ୍କଗୁଡ଼ିକ ଯେଉଁ ମାତ୍ରାରେ ଏଟିଏମ ବନ୍ଦ କରିବା କାମରେ ଲାଗିଛନ୍ତି, ସେଥିରୁ ଏହା ସ୍ପଷ୍ଟ ପ୍ରମାଣିତ ହୋଇଛି। ଚଳିତ ବର୍ଷ ଜୁନରୁ ଅଗଷ୍ଟ ମାସ ମଧ୍ୟରେ ବିଭିନ୍ନ ସହରରେ ଓ ବିଭିନ୍ନ ବ୍ୟାଙ୍କ ପକ୍ଷରୁ ୪୦୦ ଏଟିଏମ ବନ୍ଦ କରିଦିଆଯାଇଛି। ଏହାଫଳରେ ଦେଶରେ ଏଟିଏମ ସଂଖ୍ୟା କମ ହେବାରେ ଲାଗିଛି। କିନ୍ତୁ ଏହି ପରିବର୍ତ୍ତନ ଖୁବ୍ ଜଲଦି ଆସିଛି। ଗତ ଚାରିବର୍ଷ ମଧ୍ୟରେ ଯେଉଁ ଭଳି ଏଟିଏମ ସଂଖ୍ୟା ବୃଦ୍ଧି ପାଇଥିଲା, ଏବେ ତାହା କମ ହେଉଛି। ଆଗାମୀ ଦିନରେ ମଧ୍ୟ ଏହା ହିଁ ଦେଖିବାକୁ ମିଳିବ।
ନୋଟବନ୍ଦୀ ପରେ ଦେଶର ନଗଦ କାରବାରରେ ବ୍ୟାପକ ପରିବର୍ତ୍ତନ ଆସିଛି। ପୂର୍ବ ଅପେକ୍ଷା ଏବେ କମ ଲୋକ ଏଟିଏମକୁ ଯାଉଛନ୍ତି। ଏଥିପାଇଁ ଖର୍ଚ୍ଚ ବଞ୍ଚାଇବା ସକାଶେ ବ୍ୟାଙ୍କମାନେ ଏଟିଏମ ବନ୍ଦ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।
ଭାରତରେ ସବୁଠାରୁ ଅଧିକ ଏଟିଏମ ନେଟୱାର୍କ ହେଉଛି ଷ୍ଟେଟ ବ୍ୟାଙ୍କର। ଜୁନ୍ ମାସରେ ଏସବିଆଇ ଗୁଡ଼ାଏ ଏଟିଏମ ବନ୍ଦ କରିଦେଇଛନ୍ତି। ସେହିଭଳି ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, ଏଚଡିଏଫସି ଓ ଅନ୍ୟ କିଛି ବ୍ୟାଙ୍କ ଗୋଟିଏ ପରେ ଗୋଟିଏ ଏଟିଏମ ବନ୍ଦ କରିବାକୁ ଯାଉଛନ୍ତି।
ଏହି ବନ୍ଦ ହେବାର ଗୋଟିଏ ବଡ଼ କାରଣ ଡିଜିଟାଲ ପେମେଂଟ ବ୍ୟବସ୍ଥାର ଲୋକପ୍ରିୟତା। ତା’ଛଡ଼ା ଖର୍ଚ୍ଚ ମଧ୍ୟ ଅନ୍ୟ ଏକ କାରଣ। ଗୋଟିଏ ଏଟିଏମ ପାଇଁ ୭ ଫୁଟରେ ୫ ଫୁଟର ଏକ ରୁମ୍ ନେଲେ ବଡ଼ ବଡ଼ ସହରରେ ପ୍ରାୟ ୨୦ରୁ ୪୦ ହଜାର ଟଙ୍କା ମାସିକ ଭଡ଼ା ପଡୁଥିବା ବେଳେ, ସିକୁରିଟି,ବିଦ୍ୟୁତ୍ ବିଲ ଓ ମେଣ୍ଟେନାନ୍ସ ପାଇଁ ଅଧିକ ଖର୍ଚ୍ଚ ହେଉଥିବା କୁହାଯାଉଛି। ଆନୁମାନିକ ଗୋଟିଏ ଏଟିଏମ ପିଛା ମାସକୁ ଲକ୍ଷେ ଟଙ୍କା ଖର୍ଚ୍ଚ ହେଉଛି। ତା’ ତୁଳନାରେ ବ୍ୟାଙ୍କର ରୋଜଗାର ହେଉନାହିଁ। ଏଣୁ ଖର୍ଚ୍ଚ କାଟ ପାଇଁ ବ୍ୟାଙ୍କଗୁଡ଼ିକ ନୂଆ ଏଟିଏମ ଖୋଲିବା ପାଇଁ ରାଜି ହେଉ ନଥିବା କଥା କହିଛନ୍ତି ଷ୍ଟେଟ ବ୍ୟାଙ୍କର ଜଣେ ଅଧିକାରୀ।