ଓଡ଼ିଶାଲାଇଭ୍ ବ୍ୟୁରୋ
ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ୍। ହେଲେ ଏହା ଚାଷୀଙ୍କ ଉପରେ କୌଣସି ପ୍ରଭାବ ପକାଉନ୍ତି। ପ୍ୟାକେଜ୍ ଘୋଷଣା ପରେ ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି। ଏପଟେ ହକ୍ ପାଇଁ ଚାଷୀ ରାଜରାସ୍ତାକୁ ଓହ୍ଲାଇଛନ୍ତି।
ମରୁଡ଼ି ପ୍ରଭାବିତ ଅଞ୍ଚଳ ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି ସ୍ବତନ୍ତ୍ର ପ୍ୟାକେଜ୍। ହେଲେ ଏହି ପ୍ୟାକେଜ ଉପରେ ଚାଷୀଙ୍କ ଭରସା ପାଉନି। ଫଳରେ ଜଣକ ପରେ ଜଣେ ଚାଷୀ ଜୀବନ ହାରୁଛନ୍ତି। ଗୋଟିଏ ସପ୍ତାହରେ ୨ ଜଣ ଚାଷୀ ଆତ୍ମହତ୍ୟା କରିବା ଘଟଣା ରାଜ୍ୟ ସରକାରଙ୍କ ସ୍ବତନ୍ତ୍ର ମରୁଡ଼ି ପ୍ୟାକେଜକୁ ଚାଲେଞ୍ଜ ଦେଇଛି।
ଅକ୍ଟୋବର ୨୫ ତାରିଖ। ଜିଲ୍ଲାପାଳଙ୍କ ଫିଲ୍ଡ ରିପୋର୍ଟକୁ ଆଧାର କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କଲେ ସ୍ବତନ୍ତ୍ର ମରୁଡ଼ି ପ୍ୟାକେଜ୍। ୩୩ ପ୍ରତିଶତ ଫସଲ ହାନି ହୋଇଥିବା ଅଣ ଜଳସେଚିତ ଅଞ୍ଚଳର କ୍ଷୁଦ୍ର ଏବଂ ମଧ୍ୟମ ଚାଷୀଙ୍କୁ ହେକ୍ଟର ପିଛା ୬ ହଜାର ୮୦୦ ଟଙ୍କା ପ୍ରଦାନ କରାଯିବ। ଜଳସେଚନ ସୁବିଧା ଥିବା ଅଞ୍ଚଳର ଚାଷୀଙ୍କୁ ହେକ୍ଟର ପିଛା ୧୩,୫୦୦ ଟଙ୍କା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ। ଏହାସହ ଜଳକର ସମ୍ପୂର୍ଣ୍ଣ ଛାଡ଼ କରାଯିବା ସହ ସ୍କୁଲ, କଲେଜ ପିଲାଙ୍କ ପରୀକ୍ଷା ଓ ଟ୍ୟୁସନ ଫି ଛାଡ଼ କରିବା ପାଇଁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ।
ମୁଖ୍ୟମନ୍ତ୍ରୀଙ୍କ ଏହି ଘୋଷଣା ଚାଷୀଙ୍କ ଉପରେ କୌଣସି ପ୍ରଭାବ ପକାଇନି। ପ୍ୟାକେଜ ଘୋଷଣାର ମାତ୍ର ଦିନକ ପରେ ବରଗଡ଼ ଜିଲ୍ଲା ଗାଇସିଲଟ ବ୍ଲକର ଚାଷୀ ଇନ୍ଦ୍ର ବରିହା ଆଖି ବୁଜିଥିଲେ। ଫସଲ ହାନି ହୋଇଥିବାରୁ ସେ କୀଟନାଷକ ପଇଥିବା ଅଭିଯୋଗ ହୋଇଥିଲା। ଏହାକୁ ନେଇ ବିରୋଧୀ ରାଜ୍ୟ ସରକାରଙ୍କ ମରୁଡ଼ି ପ୍ୟାକେଜକୁ ସମାଲୋଚନା କରିଥିଲେ।
ଏହି ଦୁଃଖଦ ଘଟଣା ଲୋକଙ୍କ ମନରୁ ନଯାଉଣୁ ବରଗଡ଼ ସଦର ବ୍ଲକ ତୁରାଗାଁର ଚାଷୀ ଅକ୍ଷୟ ଧରେଇ ଜୀବନ ହାରିଛନ୍ତି। ଋଣ ଶୁଝିବା ଚିନ୍ତାରେ ସେ ବିଷ ଖାଇଥିବା ପରିବାରବର୍ଗ କହିଛନ୍ତି।
ଚାଷୀ ଆତ୍ମହତ୍ୟା ବଢ଼ୁଥିବା ବେଳେ ରାଜଧାନୀ ଭୁବନେଶ୍ବରରେ କୃଷକ ସଙ୍ଗଠନ ଗର୍ଜିଛନ୍ତି। ଓଡ଼ିଶା କୃଷକ ସଙ୍ଗଠନ ସମନ୍ବୟ ସମିତି ତରଫରୁ ଆୟୋଜିତ ସମାବେଶରେ ଶତାଧିକ ଚାଷୀ ଗର୍ଜିଛନ୍ତି। ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ଏବଂ କୃଷି ଋଣ ଛାଡ଼ ଦାବିରେ ଚାଷୀ ଆନ୍ଦୋଳନକୁ ଓହ୍ଲାଇଛନ୍ତି।